ଭାରତୀୟ କୃଷିରେ ଉପନିବେଶ ପ୍ରଭାବ

ଭାରତୀୟ ଅର୍ଥନୀତିର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି କୃଷି। ଉପନିବେଶବାଦ ପୂର୍ବରୁ ଭାରତୀୟମାନେ କୃଷି, ପଶୁପାଳନ, ମତ୍ସ୍ୟଚାଷ କରି ବେଶ୍‌‌ ଖୁସିରେ ଜୀବନ ଯାପନ କରୁଥିଲେ। ପ୍ରାକୃତିକ ସମ୍ପଦରେ ଭରପୂର ଏବଂ କୃଷି ଅନୁକୂଳ ଜଳବାୟୁ ଯୋଗୁଁଁ ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ପୃଥିବୀରେ ବଳକା ଦେଶ ଭାବେ ପରିଗଣିତ ହେଉଥିଲା। ଶିଳ୍ପ ବିପ୍ଲବ ସମୟରେ ଏହି ଖାଦ୍ୟ ଶସ୍ୟକୁ ଇଂରେଜମାନେ ସେମାନଙ୍କ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହାର କରିବା ପାଇଁ ଭାରତର କୃଷି ବ୍ୟବସ୍ଥାକୁ ବାଣିଜ୍ୟକରଣ କରିଦେଲେ। ଦୀର୍ଘ […]

ଭାରତୀୟ ଅର୍ଥନୀତିର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି କୃଷି। ଉପନିବେଶବାଦ ପୂର୍ବରୁ ଭାରତୀୟମାନେ କୃଷି, ପଶୁପାଳନ, ମତ୍ସ୍ୟଚାଷ କରି ବେଶ୍‌‌ ଖୁସିରେ ଜୀବନ ଯାପନ କରୁଥିଲେ। ପ୍ରାକୃତିକ ସମ୍ପଦରେ ଭରପୂର ଏବଂ କୃଷି ଅନୁକୂଳ ଜଳବାୟୁ ଯୋଗୁଁଁ ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ପୃଥିବୀରେ ବଳକା ଦେଶ ଭାବେ ପରିଗଣିତ ହେଉଥିଲା। ଶିଳ୍ପ ବିପ୍ଲବ ସମୟରେ ଏହି ଖାଦ୍ୟ ଶସ୍ୟକୁ ଇଂରେଜମାନେ ସେମାନଙ୍କ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହାର କରିବା ପାଇଁ ଭାରତର କୃଷି ବ୍ୟବସ୍ଥାକୁ ବାଣିଜ୍ୟକରଣ କରିଦେଲେ। ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ କବଳରେ ରହି ଭାରତର କୃଷି ବ୍ୟବସ୍ଥା ବିଗିଡ଼ି ଗଲା। ଖାଦ୍ୟାଭାବ, ମରୁଡ଼ି ଓ ଅନାହାରରେ ଅନେକ ଲୋକ ମୃତ୍ୟୁବରଣ କଲେ।

କୃଷି ବ୍ୟତୀତ ଭାରତର ହସ୍ତଶିଳ୍ପ ମଧ୍ୟ ବେଶ୍‌‌ ପ୍ରସିଦ୍ଧି ଲାଭ କରିଥିଲା। ରେଶମ ବସ୍ତ୍ର, ପଥର ଖୋଦେଇ, ତାରକସି କାମ, ତାଳପତ୍ର ଲିଖନ, ଚାନ୍ଦୁଆ ଆଦି କ୍ଷେତ୍ରରେ ଉଚ୍ଚମାନର କାରିଗରୀ ଏବଂ ଉତ୍ତମ ଗୁଣବତ୍ତାର ସାମଗ୍ରୀଗୁଡ଼ିକର ଚାହିଦା ବିଦେଶ ବଜାରରେ ଢେର ଅଧିକ ଥିଲା। ଏହା ହିଁ ଇଉରୋପୀୟ ଆର୍ଥିକ ସମୃଦ୍ଧି ପୃଷ୍ଠଭୂମି ଥିଲା। ସପ୍ତଦଶ ଶତାବ୍ଦୀରେ ବାଣିଜ୍ୟ ମାର୍ଗରେ ଅଧିକାର ସ୍ଥାପିତ ସତ୍ତ୍ବେ ଉରୋପୀୟମାନେ(ଡଚ୍‌‌, ବ୍ରିଟିଶ, ପର୍ତ୍ତୁଗୀଜ) ଦୀର୍ଘକାଳୀନ ଭିତ୍ତିରେ ଭାରତ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଚାଲି ଆସିଥିବା ମୂଳ ବ୍ୟବସାୟୀ ଢାଞ୍ଚାକୁ ବଦଳାଇବାର ସୁଯୋଗ ପାଇ ନ ଥିଲେ। କିନ୍ତୁ ପଲାସି ଯୁଦ୍ଧରେ ବ୍ରିଟିଶମାନେ ବଙ୍ଗର ନବାବ ସିରାଜୌଦ୍ଦଲାଙ୍କୁ ପରାସ୍ତ କରି ୧୭୫୭ ମସିହାରେ ବଙ୍ଗ, ବିହାର ଓ ଓଡ଼ିଶା ଶାସନ ନିଜ ହାତକୁ ନେଇ ତାଙ୍କ ସାମ୍ରାଜ୍ୟର ମୂଳଦୁଆ ଭାରତରେ ସ୍ଥାପିତ କରାଇଥିଲେ। ତତ୍କାଳୀନ ଇଂରେଜ ଶାସକ କ୍ଲାଇବଙ୍କର ମୁଖ୍ୟ ଲକ୍ଷ୍ୟ ରହିଲା ଅର୍ଥ ଓ ଯୁଦ୍ଧ।

ଜୀବନ ଜୀବିକା ନିମନ୍ତେ ଭାରତରେ ଉତ୍ପାଦନ ହେଉଥିବା ପାରମ୍ପରିକ ଖାଦ୍ୟଶସ୍ୟ ବଦଳରେ ବ୍ରିଟିଶ ଶିଳ୍ପପତିମାନେ ମାତ୍ରାଧିକ ପାରିଶ୍ରମିକ ମୂଲ୍ୟ ମାଧ୍ୟମରେ ଅର୍ଥକରୀ ଫସଲ(ଔଦୌଗିକ କ୍ଷେତ୍ରରେ ବ୍ୟବହୃତ କଞ୍ଚାମାଲ ଯଥା ଆଖୁ, ତୈଳବୀଜ, ଚା, କଫି, ଝୋଟ, କପା)ଚାଷ କରିବା ପାଇଁ ଭାରତୀୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଥିଲେ। ବିଶେଷକରି ବ୍ରିଟେନ୍‌ରେ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା କପଡ଼ା ଶିଳ୍ପ ନିମନ୍ତେ ଉତ୍ତମ ଗୁଣବତ୍ତାର କଞ୍ଚାମାଲ୍‌‌ ବା କପା ଉତ୍ପାଦନ ନିମନ୍ତେ ସେମାନେ ଧ୍ୟାନ ଦେଇଥିଲେ। ତେଣୁ ସେମାନେ ନିଜକୁ ସୁହାଇଲା ଭଳି ନୀତି ନିୟମ ପ୍ରଣୟନ କରି ଔଦ୍ୟୋଗିକ ଫସଲ ଉତ୍ପାଦନ କ୍ଷେତ୍ରରେ ସମସ୍ତ ଚାଷୀଙ୍କୁ ନିୟୋଜିତ କରେଇଥିଲେ ଏବଂ ବେଶ୍‌‌ ଲାଭବାନ ହେଉଥିଲେ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଚାଷୀମାନେ ଅଫିମ, ଝୋଟ, କପା, ରେଶମ, ନୀଳ ଚା, ଅଫିମ, କଫି ଆଦି ଉତ୍ପାଦନ କରୁଥିଲେ। ଦି କେମ୍ୱ୍ରିଜ୍‌‌ ଇକୋନୋମିକ ହିଷ୍ଟ୍ରି ଅଫ୍‌‌ ଇଣ୍ଡିଆ(ଭାଗ ଦୁଇ, ୧୯୮୩)ର ତଥ୍ୟ ଅନୁସାରେ ୧୮୮୧ରୁ ୧୯୪୧ ମସିହା ମଧ୍ୟରେ ଭାରତରୁ ୭୫୪.୧ ନିୟୁତ ଟଙ୍କାର ଝୋଟ, ୧୬୧୯ ନିୟୁତ ଟଙ୍କାର କପା, ୯୬୭୪.୧ ନିୟୁତ ଟଙ୍କାର ଚା’, ୨୪୯.୪ ନିୟୁତ ଟଙ୍କାର କଫି ବିଦେଶକୁ ରପ୍ତାନୀ କରାଯାଇଥିଲା।

ତେଣୁ ଉପନିବେଶବାଦ ଯୁଗରେ ଭାରତରେ ଅର୍ଥକରୀ ଫସଲର ଉତ୍ପାଦନ ବଢ଼଼ିବା ସହିତ ଚାଷୀମାନଙ୍କୁ ପାରମ୍ପରିକ ଖାଦ୍ୟଶସ୍ୟ ଉତ୍ପାଦନରୁ ନିବୃତ୍ତ କରାଗଲା। ବ୍ରିଟିଶ ସୈନିକମାନଙ୍କ ପାଇଁ ଭାରତରେ ଉତ୍ପାଦନ ହେଉଥିବା ଖାଦ୍ୟଶସ୍ୟ ପଠାଗଲା। ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନ୍‌‌ ତାଙ୍କ ପୁସ୍ତକ ‘ଇନ୍‌‌ ଫେମିନ ଅଫ୍‌‌ ୧୯୪୩’ରେ ଦର୍ଶାଇଛନ୍ତି ଯେ ‘୧୮୮୧ ରୁ ୧୯୪୧ ମସିହା ମଧ୍ୟରେ ମଧ୍ୟରେ ଭାରତରେ ବାଣିଜ୍ୟଭିତ୍ତିକ ଦ୍ରବ୍ୟ ଉତ୍ପାଦନ ୮୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଜୀବନ ଧାରଣ ନିମନ୍ତେ ଖାଦ୍ୟଶସ୍ୟର ପରିମାଣ ମାତ୍ର ୭ ପ୍ରତିଶତ ବୃଦ୍ଧି ହୋଇଥିଲା। ବାର୍ଷିକ ଅର୍ଥକାରୀ ଫସଲ ଉତ୍ପାଦନର ହାର ୦.୫୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପାରମ୍ପରିକ ଖାଦ୍ୟଶସ୍ୟର ଉତ୍ପାଦନର ହାର ୧.୧୫ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ଭାରତରେ ଖାଦ୍ୟାଭାବ ଦେଖାଯିବା ସହ ଦୁର୍ଭିକ୍ଷର ସୂତ୍ରପାତ୍ର ହେଲା। ଉପନିବେଶବାଦ ଯୁଗରେ ଭାରତରେ ମୋଟ ୩୩ ଥର ଛୋଟବଡ଼ ଦୁର୍ଭିକ୍ଷ ହୋଇଥଲା। ଏହି ସମୟ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ହାର ୦.୩୭ ପ୍ରତିଶତ ଥିବା ବେଳେ ଜନସଂଖ୍ୟା ବୃଦ୍ଧିର ହାର ଥିଲା ୦.୬୭ ପ୍ରତିଶତ। ତେଣୁ ଭାରତରେ ଜନସଂଖ୍ୟାର ବିସ୍ଫୋରଣ ସାଙ୍ଗକୁ ଖାଦ୍ୟଶସ୍ୟର ଉତ୍ପାଦନର ହାର କମ୍‌‌ ହେବା ମଧ୍ୟ ଦୁର୍ଭିକ୍ଷର ଅନ୍ୟଏକ କାରଣ ଥିଲା।

ସେ ସମୟରେ ଚାଷୀମାନଙ୍କୁ ଅଧିକ ଖଜଣା ଦେବାକୁ ପଡୁଥିବାରୁ ସେମାନେ ଲାଭଦାୟକ କୃଷି କରିବାକୁ ବାଧ୍ୟ ହେଉଥିଲେ। ଯଦିଓ ଇଂରେଜ ସରକାର ଜଳସେଚନ ଏବଂ କୃଷି ନିମନ୍ତେ ଆଧୁନିକ ଜ୍ଞାନକୌଶଳର ପ୍ରଚଳନ କରିଥିଲେ, ତଥାପି ଏହା ମହଙ୍ଗା ଥିବାରୁ ଛୋଟ ଚାଷୀ ଉପକୃତ ହୋଇପାରିଲେ ନାହିଁ। ୧୮୭୦ ମସିହାରେ ଡଲାର ଚାହିଦା ପୃଥିବୀରେ କମିଯିବା ଫଳରେ କୃଷକମାନେ ଋଣଗ୍ରସ୍ତ ହୋଇ ଦୁର୍ଭିକ୍ଷରେ ପୀଡ଼ିତ ହେଲେ। ଏହାର ଫଳ ହେଲା କୃଷକ ଆନ୍ଦୋଳନ। ୧୯୩୦ରେ ଝୋଟ ଶିଳ୍ପଗୁଡ଼ିକ ଧ୍ୱଂସ ପାଇବା ଫଳରେ ବଙ୍ଗଳାରେ ୧୯୪୩ରେ ଏକ କରାଳ ଦୁର୍ଭିକ୍ଷ ଦେଖାଦେଲା।

ଭାରତରେ ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଭାରତର କୃଷି ବ୍ରିଟିଶ ସରକାରଙ୍କ ପାଇଁ ରାଜସ୍ୱର ଏକ ପ୍ରମୁଖ ଉତ୍ସ ଥିଲା। ସେଥିପାଇଁ ୧୭୯୩ ମସିହାରେ ଲର୍ଡ କର୍ଣ୍ଣୱାଲିସ୍‌‌ ଚିରସ୍ଥାୟୀ ବନ୍ଦୋବସ୍ତ ଓ ଅସ୍ଥାୟୀ ବନ୍ଦୋବସ୍ତ ନାମରେ ଦୁଇପ୍ରକାରର ଭୂ-ରାଜସ୍ୱ ନୀତି ପ୍ରଣୟନ କରିଥିଲେ। ଭାରତର ପୂର୍ବପଟେ ଜମିଦାର, ପଶ୍ଚିମରେ ମହଲୱାରି, ଦକ୍ଷିଣରେ ରୟତମାନଙ୍କ ଦ୍ୱରା ଭୂ-ରାଜସ୍ୱ ଆଦାୟ ଦାୟିତ୍ୱ ଇଂରେଜମାନେ ନ୍ୟସ୍ତ କରିଥିଲେ। ବହୁବର୍ଷ ପର୍ଯ୍ୟନ୍ତ ସେମାନେ ନିଷ୍ଠୁର ଭାବେ ରାଜସ୍ୱ ଆଦାୟ କଲେ। ଏପରିକି ଇଂରେଜମାନଙ୍କ ପ୍ରିୟପାତ୍ର ହେବା ପାଇଁ ସେମାନେ ସାଧାରଣ ଗରିବ, ଖଟିଖିଆ, କ୍ଷୁଦ୍ର ଚାଷୀମାନଙ୍କଠାରୁ ଜୋରଜବରଦସ୍ତି କର ଆଦାୟ କଲେ। ପ୍ରାକୃତିକ ଦୁର୍ବିପାକ ଯୋଗୁଁଁ ଆମଦାନୀ କମ୍‌‌ ହେଲେ ମଧ୍ୟ ଖଜଣା ଓ କର ପରିମାଣ ଅପରିବର୍ତ୍ତିତ ରହିଲା। ଖଜଣା ଖିଲାପକାରୀଙ୍କୁ ମିଳିଲା ଅକଥନୀୟ ଅତ୍ୟାଚାର। ଫିରିଙ୍ଗି ଶାସନର ଜୁଲମ ଅତ୍ୟାଚାର, ନିର୍ଯାତନା ଭୋଗିଲେ ଚାଷୀମାନେ।
ଇଂରେଜମାନେ ଭଲରୂପରେ ଜାଣିଥିଲେ ଯେ, ଭାରତୀୟ କୃଷି ବ୍ୟବସ୍ଥା ଆତ୍ମନିର୍ଭରଶୀଳ ହୋଇଗଲେ ଭାରତ ବିକଶିତ ଦେଶ ରୂପେ ପରିଗଣିତ ହେବ ଏବଂ ବ୍ରିଟିଶ ରାଜ୍‌‌ ଚାଲିବନି। ତେଣୁ ସେମାନେ ସର୍ବଦା ଭାରତର କୃଷିକୁ ବରବାଦ କରିବା ପାଇଁ ଚାଷୀମାନଙ୍କଠାରୁ ମାତ୍ରାଧିକ କର ଦାବି କରୁଥିଲେ, ପାରମ୍ପରିକ କୃଷିକୁ ଧ୍ୟାନ ନଦେଇ ଲାଭଜନକ କୃଷିକୁ ପ୍ରୋତ୍ସାହନ ଦେଉଥିଲେ, ବ୍ରିଟିଶ ଶିଳ୍ପର ଅଭିବୃଦ୍ଧି ପାଇଁ ଭାରତକୁ କଞ୍ଚାମାଲ ଯୋଗାଣର ଦେଶ ବୋଲି ଅଭିହିତ କରୁଥିଲେ। କୃଷକ ଓ କୃଷି ମାରଣ ପନ୍ଥା ଅବଲମ୍ୱନ କରି ଭାରତର କୃଷିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥିଲେ।

ଉପନିବେଶବାଦ ଯୁଗର ପ୍ରଭାବ ଏପରି ପଡ଼ିଥିଲା ଯେ ସ୍ୱାଧୀନତା ପ୍ରାପ୍ତିର ୭୮ ବର୍ଷ ବିତିଯାଇଥିଲେ ମଧ୍ୟ ଉପେକ୍ଷିତ ଅବସ୍ଥାରେ ପଡ଼ିରହିଛି ଭାରତୀୟ କୃଷି ଓ କୃଷକ। କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୯୫୧ମସିହାରେ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ଥିଲା ୫୧ ପ୍ରତିଶତ। ଏବେ ଏହା ୧୮.୨ ପ୍ରତିଶତକୁ ଖସି ଆସିଛି। ୧୯୫୧ରେ କୃଷି କ୍ଷେତ୍ରରେ ୭୦ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଥିବା ବେଳେ ସଂପ୍ରତି ଏହା କମି କମି ୪୨.୩ ପ୍ରତିଶତରେ ପହଞ୍ଚିଛି। କୃଷିପ୍ରଧାନ ଦେଶ ପାଇଁ ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ! କୃଷି କ୍ଷେତ୍ରରେ ଏପରି ନିମ୍ନଗତିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, କୃଷି କ୍ଷେତ୍ରର ବିକାଶ ପାଇଁ ଯାହା କରାଯିବା କଥା ଏବଂ ଯେପରି ଇଚ୍ଛାଶକ୍ତି ଆବଶ୍ୟକ, ତାହା ନାହିଁ। ସରକାର ପରେ ସରକାର ବଦଳିଛନ୍ତି। କିନ୍ତୁ ଫଳ ଶୂନ। ସମସ୍ତେ ଏଠାରେ ଚାଷୀ ଓ ଚାଷ ପାଇଁ ବିକଳ ହୁଅନ୍ତି, କାନ୍ଦନ୍ତି। କିନ୍ତୁ କାହାରି ଆଖିରେ ଲୁହ ନଥାଏ। ଅଧୁନା ଆମର ସରକାର ବିକଶିତ ଭାରତ ଓ ଆତ୍ମନିର୍ଭରଶୀଳ ଭାରତ କଥା କହୁଛନ୍ତି। କୃଷି ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ ନକରି ପରାଧୀନ ତଥା ବଜାର ନିର୍ଭରଶୀଳ ବ୍ୟବସ୍ଥାକୁ ବଜାୟ ରଖିଲେ ଏହି ଲକ୍ଷ୍ୟ କେବେ ମଧ୍ୟ ସାକାର ହୋଇପାରିବ ନାହିଁ।

ଶ୍ରୀବତ୍ସ ନାୟକ
(ଅଧ୍ୟାପକ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ)
କଟକ, ମୋ: ୯୪୩୮୦୭୦୮୪୯

About The Author: The Sakala