ମନ-ମସ୍ତିଷ୍କ ଓ ଗପ-ଗୀତ

ଆଜିକାଲି ପିଲାମାନେ ଆଉ ଗପ ଶୁଣି ଶୋଉ ନାହାନ୍ତି କି ମା’ମାନେ ଆଉ ଗପ କହୁନାହାନ୍ତି। ତା’ଛଡ଼ା, ଗପ କହିବାକୁ ଆଜିକାଲି ନା ତ ସମୟ ରହୁଛି, ନା ଅଛି ଧୈର୍ଯ୍ୟ। ନାନାବାୟା ଗୀତ କଥା ତ ଛାଡ଼! ତାହା ଆଜିକାଲିକା ମା’ମାନଙ୍କୁ ଆସୁ ନଥିବ ମଧ୍ୟ। ନାନାବାୟା ଗୀତଗାଇ ପିଲାଙ୍କୁ ଶୁଆଇବା କୁଆଡ଼େ ‘ଆଉଟ୍‌‌ଡେଟେଡ୍‌‌’ ବା ପୁରୁଣାକାଳିଆ। ଡିଜିଟାଲ ଯୁଗରେ ପିଲାମାନେ ମନୋରଞ୍ଜନ ଓ ଶିକ୍ଷା ପାଇଁ ଟେଲିଭିଜନ, ସ୍ମାର୍ଟଫୋନ୍‌‌, କମ୍ପ୍ୟୁଟର ଓ ଟାବଲେଟ୍‌‌ ପରି […]

ଆଜିକାଲି ପିଲାମାନେ ଆଉ ଗପ ଶୁଣି ଶୋଉ ନାହାନ୍ତି କି ମା’ମାନେ ଆଉ ଗପ କହୁନାହାନ୍ତି। ତା’ଛଡ଼ା, ଗପ କହିବାକୁ ଆଜିକାଲି ନା ତ ସମୟ ରହୁଛି, ନା ଅଛି ଧୈର୍ଯ୍ୟ। ନାନାବାୟା ଗୀତ କଥା ତ ଛାଡ଼! ତାହା ଆଜିକାଲିକା ମା’ମାନଙ୍କୁ ଆସୁ ନଥିବ ମଧ୍ୟ। ନାନାବାୟା ଗୀତଗାଇ ପିଲାଙ୍କୁ ଶୁଆଇବା କୁଆଡ଼େ ‘ଆଉଟ୍‌‌ଡେଟେଡ୍‌‌’ ବା ପୁରୁଣାକାଳିଆ। ଡିଜିଟାଲ ଯୁଗରେ ପିଲାମାନେ ମନୋରଞ୍ଜନ ଓ ଶିକ୍ଷା ପାଇଁ ଟେଲିଭିଜନ, ସ୍ମାର୍ଟଫୋନ୍‌‌, କମ୍ପ୍ୟୁଟର ଓ ଟାବଲେଟ୍‌‌ ପରି ଇଲେକ୍ଟ୍ରୋନିକ୍‌‌ ଉପକରଣ ସହିତ ଅଧିକରୁ ଅଧିକ ପରିଚିତ। ଗପ ଓ ନାନାବାୟା ଗୀତ ଯେ ପିଲାମାନଙ୍କର ଜ୍ଞାନାତ୍ମକ, ଭାବପ୍ରବଣ ଓ ସାମାଜିକ ବିକାଶରେ ଗଭୀର ଗୁରୁତ୍ୱ ବହନ କରେ ଏବଂ ଅନେକ ମାନସିକ, ସାମାଜିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସମସ୍ୟାର ସମାଧାନ କରେ, ତାହା କେଜାଣି କେତେ ଲୋକ ବୁଝିପାରୁଛନ୍ତି!
ଗପ ଶୁଣିବା ମସ୍ତିଷ୍କର ଏକାଧିକ ଭାଗକୁ ସକ୍ରିୟ କରିଥାଏ, ଯେଉଁଥିରେ ବ୍ରୋକା ଓ ୱର୍ନିକ୍‌‌ର କ୍ଷେତ୍ର ଅନ୍ତର୍ଭୁକ୍ତ। ଏହା ଧ୍ୱନି ଓ ବୋଧଗମ୍ୟତାକୁ ସୁସଂହତ କରେ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌‌ ହେଲ୍‌‌ଥ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ପିଲାମାନେ ନିୟମିତ ଶୋଇବା ସମୟରେ ଗପ ଶୁଣନ୍ତି, ସେମାନଙ୍କର ଭାଷାଗତ ଦକ୍ଷତା ବୃଦ୍ଧି ପାଇଥାଏ। ପ୍ରତିଦିନ ଗପ ଶୁଣି ଶୁଣି ଗପ କହୁଥିବା ବ୍ୟକ୍ତିଙ୍କ ମୁହଁକୁ ଚାହିଁ ଓଠର ଗତିବିଧିକୁ ଲକ୍ଷ୍ୟ କରୁଥିବା ପିଲାଙ୍କ ତୁଳନାରେ ଦିନକୁ ତିନି ଘଣ୍ଟାରୁ ଅଧିକ ମୋବାଇଲ ବା ଟିଭି ଦେଖୁଥିବା ପିଲାଙ୍କର କଥାବାର୍ତ୍ତା କରିବା ଦକ୍ଷତାରେ ୪୦% ବିଳମ୍ୱ ଘଟିଥାଏ। ତାହାସହିତ ଯେଉଁମାନେ ନିୟମିତ ଗପ ଶୁଣୁଥା’ନ୍ତି, ସେମାନଙ୍କର ସାକ୍ଷରତା ଦକ୍ଷତା ପାଞ୍ଚବର୍ଷ ବୟସ ସୁଦ୍ଧା ୨୦% ଅଧିକ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ଗପ, ପ୍ରି-ଫ୍ରଣ୍ଟାଲ୍‌‌ କର୍ଟେକ୍ସ୍‌‌ର ବିକାଶକୁ ବୃଦ୍ଧି କରେ, ଯାହା ନିଷ୍ପତ୍ତି ନେବା, ଧ୍ୟାନ ଓ ଆତ୍ମନିୟନ୍ତ୍ରଣ ସହିତ ସଂଶ୍ଲିଷ୍ଟ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ, ପିଲାଦିନରୁ ଅଧିକ ସ୍କ୍ରିନ୍‌‌ ସଂସ୍ପର୍ଶରେ ଆସିବା ଦ୍ୱାରା ଧ୍ୟାନ ନିଅଣ୍ଟ ବ୍ୟାଧି ହେବାର ଆଶଙ୍କା ୨୫% ବୃଦ୍ଧି ପାଇଥାଏ। ଯେଉଁ ପିଲାମାନେ ଅଧିକ ଗପ ଶୁଣନ୍ତି, ସେଇମାନେ ଅଧିକ ସ୍କ୍ରିନ୍‌‌ ଏକ୍ସପୋଜର ଥିବା ପିଲାମାନଙ୍କ ତୁଳନାରେ ଆବେଗ ନିୟନ୍ତ୍ରଣ ଏବଂ ସମସ୍ୟା ସମାଧାନ କରିବାରେ ଅଧିକ ଦକ୍ଷ ହୋଇପାରନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭାଷାର ବିକାଶ ପାଇଁ ସିଧାସଳଖ ମାନବ ପାରସ୍ପାରିକ କ୍ରିୟା ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କୁ ଗପ ଶୁଣାଇବା ଦ୍ୱାରା ପିଲାମାନେ ଜଟିଳ ବାକ୍ୟ ସଂରଚନା ଏବଂ ନୂତନ ଶବ୍ଦଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ବୁଝିବାରେ ସମର୍ଥ ହୁଅନ୍ତି। ଗପ, ପିଲାଙ୍କର ଧ୍ୟାନ, ଧୈର୍ଯ୍ୟ ଓ କଳ୍ପନାକୁ ମାର୍ଜିତ ଓ ସୃଜନଶୀଳ କରେ, ଯାହା ଶିକ୍ଷାଗତ ସଫଳତା ଏବଂ ସାମାଜିକ ପାରସ୍ପାରିକ କ୍ରିୟା ପାଇଁ ଆବଶ୍ୟକ। ଯେତେବେଳେ ପିଲାମାନେ ଗପ ଶୁଣନ୍ତି, ସେମାନେ ବିଭିନ୍ନ ପ୍ରକାରର ଲୋକ, ଚରିତ୍ର, ସ୍ଥାନ, ପରିସ୍ଥିତି ଓ ପରିକଳ୍ପନା ସହିତ ପରିଚିତ ହୁଅନ୍ତି। ଏହା ଶିଶୁମାନଙ୍କୁ ସୃଜନଶୀଳ, ସହନଶୀଳ, ସାହସୀ, ଉଚ୍ଚ ଆକାଂକ୍ଷୀ, କର୍ତ୍ତବ୍ୟପରାୟଣ, ନ୍ୟାୟପରାୟଣ, ଭଳି ଅନେକ ମାନବୀୟ ଗୁଣ ଶିଖାଇଥାଏ। ନାନାବାୟା ଗୀତ ଓ ଗପ ଆଦି ପିଲାମାନଙ୍କ ମଧ୍ୟରେ ଚାପ ହ୍ରାସ କରିଥାଏ ଓ ଭାବପ୍ରବଣତା ବୃଦ୍ଧି କରିଥାଏ।

ଶିଶୁ ଆଚରଣ ଓ ବିକାଶ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନାନାବାୟା ଗୀତ ଶିଶୁଙ୍କ ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରିବାରେ ଏବଂ ସେମାନଙ୍କ ନିଦ୍ରାର ଗୁଣବତ୍ତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଗପ ଓ ନାନାବାୟା ଗୀତ ଶୁଣାଇବା ଦ୍ୱାରା ମସ୍କିଷ୍କ ଅକ୍ସିଟୋସିନ୍‌‌ ମୁକ୍ତ କରେ, ଯାହା ଗପ ଶୁଣାଉଥିବା ବା ନାନାବାୟା ଗୀତ ଗାଉଥିବା ବ୍ୟକ୍ତି ଏବଂ ଶୁଣୁଥିବା ପିଲାମାନଙ୍କ ମଧ୍ୟରେ ସମ୍ପର୍କକୁ ମଜଭୂତ କରେ। ସ୍କ୍ରିନ୍‌‌-ଆଧାରିତ ପାରସ୍ପାରିକ କ୍ରିୟାରେ ମାନବ ସ୍ପର୍ଶ ଓ ଉଷ୍ମତା ନଥାଏ, ଯାହା କେବଳ ପିତାମାତା, ଜେଜେବାପା-ଜେଜେମା ବା ଗପ କହୁଥିବା ବା ଗୀତ ଗାଉଥିବା ବ୍ୟକ୍ତି ପିଲାଟିକୁ ପ୍ରଦାନ କରିପାରନ୍ତି। ପିଲାଙ୍କର ଗପ ବା ନାନାବାୟା ଗୀତ ଶୁଣିବା ଦୀର୍ଘକାଳୀନ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ। ଛୁଆଟିକୁ କୋଳରେ ଧରି, ତା’ ମୁହଁକୁ ଅନାଇ ଗପ କହିବା, ନାନାବାୟା ଗୀତ ଗାଇବା, ଅତି ସାମାନ୍ୟ ବା ଆଜିକା ସମୟରେ ସମୟର ଅପଚୟ ଲାଗି ପାରେ। କିନ୍ତୁ ତାହାର ପ୍ରଭାବ ପିଲାଙ୍କ ଉପରେ ଦୀର୍ଘସ୍ଥାୟୀ। ଆଜିକାଲି ମୋବାଇଲ୍‌‌ ଓ ୟୁଟ୍ୟୁବ୍‌‌ ରେ ଗୀତ ବାଜୁଥିବ ଏବଂ ସେଇଆକୁ ଶୁଣି ପିଲା ଶୋଇବା ଅଭ୍ୟାସ କରୁଛନ୍ତି କିମ୍ବା ଅଭ୍ୟାସ କରାଯାଉଛି।

ଆଗରୁ ପିଲାଟି ଯେତେବେଳେ ଖାଇବା ପାଇଁ ଅମଙ୍ଗ ହୋଇ ମା’କୁ ହଇରାଣ କରୁଥିଲା, ମା’ ସେତେବେଳେ ଗୋଟିଏ ହାତରେ ପିଲାକୁ କାଖେଇ ଆର ହାତରେ ଖାଇବା ଥାଳି ଧରି କାଉ, କୋଇଲି, ପକ୍ଷୀ, ଜୀବଜନ୍ତୁ ଦେଖାଇ, କେତେ ଗପ ଶୁଣାଇ ଖାଇବା ଥାଳି ଶେଷ କରିଦେଉଥିଲା। କିନ୍ତୁ ଆଜି ପିଲାକୁ କାର୍ଟୁନ୍‌‌ ସାମ୍ନାରେ ବସାଇ ଦିଅ, ତରବର ହୋଇ ପିଲାଟିକୁ ଚାମୁଚରେ ଖୁଆଇ ଦେଇ କାମ ସାରିଦେଲେ ଗଲା। ଆଜିକାଲି ମା’ଙ୍କ ପାଖରେ ଏତେ ସମୟ ନାହିଁ ଯେ ଭାତ ଗୁଣ୍ଡା କରି, ଏଇଟା ମାମୁଁଙ୍କର ଗୁଣ୍ଡା, ଏଇଟା ଅଜାଙ୍କର ଗୁଣ୍ଡା କହି, ଗପ ଶୁଣାଇ, ଗୀତଗାଇ ପିଲାଟିକୁ କୋଳରେ ବସାଇ ନିଜ ହାତରେ ଖୁଆଇ ଦେବ। ମୋବାଇଲ୍‌‌ ଫୋନ୍‌‌ରେ କାର୍ଟୁନ୍‌‌ ସିରିଏଲ୍‌‌ କିମ୍ବା ୟୁଟୁବ୍‌‌ରେ ପିଲାଙ୍କ ଗୀତ ଲଗେଇ ଦେଲେ ପିଲା ଆପେ ଆପେ ଖାଇ ଦେବେ। ଧୀରେ ଧୀରେ ପିଲା ଯେମିତି ବଡ଼ ହୁଅନ୍ତି, ତାଙ୍କର ଜିଜ୍ଞାସୁ ମନକୁ ଖାଦ୍ୟ ଯୋଗାଇବାକୁ ସେମାନେ ବହୁତ ପ୍ରଶ୍ନ କରିଥା’ନ୍ତି। ଯେମିତି, ପତ୍ର କାହିଁକି ସବୁଜ? ବର୍ଷା କେମିତି ହୁଏ? ଆମେ ଦିନରେ କାହିଁକି ତାରା ଦେଖିପାରୁ ନାହାନ୍ତି? ଇତ୍ୟାଦି ଇତ୍ୟାଦି। ଏବେ ଗପ ମାଧ୍ୟମରେ ତାହା ନ ବୁଝାଇ, ପିଲାଟିକୁ ଇଣ୍ଟରନେଟ୍‌‌ ବା ୟୁଟ୍ୟୁବ୍‌‌ ଦେଖିକି ଶିଖିବାକୁ କହି ଦିଆଯାଉଛି। ଏମିତି କୌଣସି ପ୍ରଶ୍ନ ନାହିଁ, ଯାହାର ଉତ୍ତର ଗୁଗଲ୍‌‌ କିମ୍ବା ୟୁଟ୍ୟୁବ୍‌‌ ପାଖରେ ନଥିବ। ଆଉ ଗପର ଆବଶ୍ୟକତା ବା କ’ଣ?

ଯୁଗ ଯୁଗ ଧରି ଗପ, କାହାଣୀ, ଲୋକକଥା, ଲୋକସଙ୍ଗୀତ ମାନବ ସଭ୍ୟତାର ଏକ ମୌଳିକ ଅଂଶ ହୋଇ ରହିଆସିଛି। ପରମ୍ପରା, ନୈତିକତା ଓ ଇତିହାସକୁ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ପ୍ରଦାନ ପାଇଁ ଏହା ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି। ସାଂସ୍କୃତିକ ସଂରକ୍ଷଣରେ ନାନାବାୟା ଗୀତ, ଲୋକସଙ୍ଗୀତ, ଲୋକକଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବିଭିନ୍ନ ସଂସ୍କୃତିରେ ଅନନ୍ୟ ନାନାବାୟା ଗୀତ ଓ ଗପ ରହିଛି, ଯାହା ଗଭୀର ଐତିହାସିକ ଓ ସାମାଜିକ ଅର୍ଥ ବହନ କରେ। ଉଦାହରଣ ସ୍ୱରୂପ, ଭାରତରେ ଗପ ଓ ନାନାବାୟା ଗୀତରେ ପ୍ରାୟତଃ ଆଧ୍ୟାତ୍ମିକ ଏବଂ ନୈତିକ ଶିକ୍ଷା ଅନ୍ତର୍ଭୁକ୍ତ, ଯାହା ପ୍ରମାଣିତ କରେ ଯେ ମାନବ ସମାଜ ଏକ ଐଶ୍ୱରୀୟ ଶକ୍ତି ଦ୍ୱାରା ପରିଚାଳିତ। ଆମ ଗପରେ କେତେବେଳେ ଜହ୍ନ ଆମର ମାମୁ ତ ଆଉ କେତେବେଳେ ସୌରମଣ୍ଡଳ ଆମ ମାମୁଁଘର। ବିଲେଇ କେତେବେଳେ ନାନୀ ତ ବିଲୁଆ କେତେବେଳେ ନନା। ନଦୀ କେତେବେଳେ ମା’ ତ ଗୁଣ୍ଡୁଚିମୂଷା ମାଉସୀ। ବେଙ୍ଗ କେତେବେଳେ ରାଣୀ ତ ସିଂହ କେତେବେଳେ ରାଜା। ଭାଲୁ କେତେବେଳେ ଭାଇନା ତ ବରଗଛ କେତେବେଳେ ବୁଢ଼ା।

ଗପ ବା ଗୀତରେ ଥିବା ବିବିଧତା ଏହା ଦର୍ଶାଏ ଯେ ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଜଗତ ପରସ୍ପର ସହିତ ଜଡ଼ିତ ଏବଂ ଏକ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କରେ ବନ୍ଧା। ହେଲେ ସେଇ ଗପ ଓ ଗୀତର ଲୋପ ସହିତ ଆମେ ମଣିଷ ବୋଧେ ଧୀରେ ଧୀରେ ନିଜ ମଣିଷପଣିଆ ତ୍ୟାଗ କରିଚାଲିଛନ୍ତି। ଆଜିକାଲି ମଣିଷ ଏତେ ବାସ୍ତବବାଦୀ ବା ବସ୍ତୁବାଦୀ ହୋଇଗଲାଣି ଯେ ଗପର ସେଇ କାଳ୍ପନିକ, ପୌରାଣିକ, ଅବିଶ୍ୱସନୀୟ ଭାବ ଓ ଭାବନା ଉପରେ ନା ତ ବିଶ୍ୱାସ କରୁଛି ନା ନିଜ ପିଲାଙ୍କୁ କହିବାକୁ ପସନ୍ଦ କରୁଛି ନା ପିଲାଙ୍କ ଉପରେ ଗପର ସକାରାତ୍ମକ ପ୍ରଭାବକୁ ସ୍ୱୀକାର କରୁଛି। ଆଜି ମଣିଷ ଯେତେବେଳେ କୃତ୍ରିମ ବୁଦ୍ଧିମତ୍ତାର ଆବିଷ୍କାରକ, ସେତେବେଳେ ଆଈମା’ ଗପ, ବାଘମାମୁ, ଜହ୍ନମାମୁ, ଗପରୁ ବା କ’ଣ ମିଳିବ ଭାବିବାଟା ସତରେ କ’ଣ ଯୁକ୍ତିଯୁକ୍ତ? ଗପ, ଗପ ହେଲେ ସୁଦ୍ଧା ତା’ର ଜ୍ଞାନାତ୍ମକ, ଗୁଣାତ୍ମକ ତଥା ସୃଜନାତ୍ମକ ମହତ୍ତ୍ୱ ଗଭୀର।

ଡ.ଅନ୍ତର୍ଜିତା ନାୟକ
ଭୁବନେଶ୍ୱର, ମୋ: ୬୩୭୦୯୦୫୯୪୭

About The Author: The Sakala