ପ୍ରତି ବ୍ୟକ୍ତିର ବ୍ୟକ୍ତିତ୍ୱ ବିବିଧତାରେ ପରିପୂର୍ଣ୍ଣ। ଏଥିରେ ବହୁ ଶୈଳୀ, ବହୁ ରଙ୍ଗ, ବହୁ ରୂପ ଓ ବହୁ ରସର ସମାବେଶ ଘଟିଥାଏ। କିନ୍ତୁ ଯେଉଁ ଦିଗଟି ସବୁଠାରୁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ, ତାହା ହେଉଛି ସ୍ଫୂର୍ତ୍ତିଶୀଳତାର ଦିଗ। ମୁଖରେ ସଦା ପ୍ରସ୍ଫୁଟିତ ସ୍ମିତହସ, ଗତିରେ ସଚଳତା, କର୍ମପ୍ରବଣତାରେ ଗତିଶୀଳତା, କଥାବାର୍ତ୍ତାରେ ଚୁମ୍ବକୀୟତା, ଭାବନାରେ ବୌଦ୍ଧିକତା ଏବଂ ଆବେଗରେ ଅନୁକୂଳତା ବ୍ୟକ୍ତିତ୍ୱକୁ ଏକ ଅନନ୍ୟ ରୂପ ଦିଏ।
ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱର ଚୁମ୍ବକୀୟ ଆକର୍ଷଣ ଫଳରେ ସମସ୍ତେ ଏପରି ବ୍ୟକ୍ତିତ୍ୱର ଅଧିକାରୀ ହେବା ପାଇଁ ଅଭିଳାଷ ପୋଷଣ କରନ୍ତି। କିନ୍ତୁ ଏ କ୍ଷେତ୍ରରେ ସଫଳତା ସହଜ ହୋଇ ନ ଥାଏ। ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱ ଗଠନ କରିବା ଏକଧରଣର ସାଧନା। ଏ ସାଧନା ପଥରେ ପାଦଦେବାକୁ ହେଲେ ସାଧନାର ଉପାଦାନ ସମୂହକୁ ଚିହ୍ନଟ କରିବାକୁ ହେବ।
ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱର ପ୍ରଥମ ଉପାଦାନଟି ହେଉଛି ଭାବଗତ ଅନୁକୂଳତା ଓ ସ୍ମିତହସ। ଯଥାସମ୍ଭବ ଅଧିକସଂଖ୍ୟକ ସକାରାତ୍ମକ ଆବେଗକୁ ଜୀବନର ଅଙ୍ଗୀଭୂତ କରିବାକୁ ହେବ। ସୁଖାନୁଭୂତି, ସନ୍ତୋଷ, ପ୍ରସନ୍ନତା ଓ ଆନନ୍ଦର ମନୋଭାବ ବଜାୟ ରଖିବାକୁ ହେବ। ସକାରାତ୍ମକ ଆବେଗ ପରିପ୍ରେକ୍ଷୀରେ ଦୁଇଟି କଥା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଥମତଃ, ଅତି ଉଚ୍ଚମାତ୍ରାର ସକାରାତ୍ମକ ଆବେଗ (ଯଥା: ଲଟେରୀ ଜିତିବା ଫଳରେ ଅନୁଭୂତ ହେଉଥିବା ଉଲ୍ଲାସ) ଅପେକ୍ଷା ମଧ୍ୟମ ମାତ୍ରାର ଆବେଗ (ଶାନ୍ତି, ସ୍ଥିରତା, ସନ୍ତୋଷ, ସୁଖାନୁଭୂତି) ଅଧିକ ଉପଯୋଗୀ ମନେହୁଏ। ଜଣେ ଲଟେରୀ ଜିତିବାର ଖବର ପାଇବା ପରେ ହୁଏତ ଅତିମାତ୍ରାର ସକାରାତ୍ମକ ଆବେଗ ଅନୁଭବ କରେ। କିନ୍ତୁ ଏପରି ଆନନ୍ଦର ସ୍ଥିତିରେ ସେ ବେଶୀଦିନ ରହିନଥାଏ। ବ୍ୟକ୍ତି ଏକ ପୂର୍ବ ନିର୍ଦ୍ଧାରିତ ସ୍ତରକୁ ଖସିଆସେ। ସୁତରାଂ ଯେଉଁ ଭାବଗତ ଅନୁକୂଳତା ଦୀର୍ଘସ୍ଥାୟୀ ସେପରି ଆବେଗର ଅନୁବର୍ତ୍ତୀ ହେବା ଅଧିକ ଉପଯୋଗୀ।
ଦ୍ୱିତୀୟତଃ, ଭାବଗତ ଅନୁକରଣର ତୀବ୍ରତା ଅପେକ୍ଷା ତାହାର ବାରମ୍ବାରତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଛୋଟପିଲାର ହସ ଦେଖି ଆପଣ ଆନନ୍ଦ ଅନୁଭବ କରନ୍ତି କି? ଆକାଶରେ ଉଡ଼ିଯାଉଥିବା ପକ୍ଷୀଦଳର ଶୋଭା ଆପଣଙ୍କୁ ଆନନ୍ଦ ଦିଏ କି? ଜଳପ୍ରପାତର ନିମ୍ନଗାମୀ ଜଳଧାରାର ଦୃଶ୍ୟ ଆପଣଙ୍କୁ ଖୁସି ଦିଏ କି? ଅଧିକସଂଖ୍ୟକ ଛୋଟ ଛୋଟ ଆନନ୍ଦ ସଂଗ୍ରହ କରିପାରୁଥିବା ଲୋକମାନେ ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱର ଅଧିକାରୀ ହୁଅନ୍ତି।
ସୁଖରେ ସଦାସର୍ବଦା ସ୍ମିତହସ ଲାଗି ରହିବା ଏକ ବିଶେଷ ସହାୟକ ଅବସ୍ଥା। ଅନେକଲୋକ ବିଶ୍ୱାସ କରନ୍ତି ଯେ ଆମେ କେବଳ ଖୁସି ଥିବା ଅବସ୍ଥାରେ ହସିପାରୁ। ଏହା ସତ କଥା। ମାତ୍ର ଏ କଥା ମଧ୍ୟ ସତ୍ୟ ଯେ ଆମେ ହସିପାରିଲେ ଖୁସୀମିଞ୍ଜାସ ଗଠିତ ହୋଇଥାଏ। ଗୋଟିଏ ଗବେଷଣାରେ ଜଣେ ଗବେଷକ କଲେଜ ଛାତ୍ରଛାତ୍ରୀମାନଙ୍କୁ ଏକ ଅଭିନୟରେ ଅଂଶଗ୍ରହଣ କରିବାକୁ ଅନୁରୋଧ କଲେ। ସେହି ଅଭିନୟରେ ପ୍ରତିଦିନ ନିୟମିତ ଭାବରେ କିଛି ସମୟ ପାଇଁ ସେମାନଙ୍କୁ ସ୍ମିତହସର ଅଭିନୟ କରିବାକୁ ପଡୁଥିଲା। ଦୁଇମାସ ଧରି ଏପରି ସ୍ମିତହସର ଅଭିନୟ କରିବା ପରେ ଦେଖାଗଲା ଯେ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ସହପାଠୀଙ୍କ ତୁଳନାରେ ଅଧିକ ସୁଖାନୁଭୂତିର ଅଧିକାରୀ ହୋଇପାରିଛନ୍ତି।
ସ୍ଫୂର୍ତ୍ତିଶୀଳତା ପାଇଁ ତୃତୀୟ ଉପାଦାନ ହେଉଛି କର୍ମନିଷ୍ଠା ଓ ପରିଶ୍ରମଶୀଳତା। କୌଣସି କର୍ମରେ ସମ୍ପୃକ୍ତ ରହିବାର ଅଭ୍ୟାସ ଆମକୁ ସ୍ଫୂର୍ତ୍ତି ପ୍ରଦାନ କରେ ଏବଂ ଦୁଶ୍ଚିନ୍ତାରୁ ମୁକ୍ତି ଦିଏ। ଆମେ କାର୍ଯ୍ୟ ନ କରି ଏକୁଟିଆ ବସି ରହି ଯେଉଁ ଚିନ୍ତା କରିଥାଉ ତାହା ମୁଖ୍ୟତଃ ଦୁଶ୍ଚିନ୍ତାର ହିଁ ରୂପ ନେଇଥାଏ। ସୁତରାଂ କର୍ମସମ୍ପୃକ୍ତି ଓ ପରିଶ୍ରମଶୀଳତାକୁ ସ୍ୱାଗତ କରିବାକୁ ହେବ।
କୌଣସି କାର୍ଯ୍ୟକରିବା ସମୟରେ ଯେଉଁ ଉପାଦାନଟି ସ୍ଫୂର୍ତ୍ତି ପ୍ରଦାନ କରିଥାଏ, ତାହା ହେଉଛି ତଲ୍ଲୀନତା ବା ନିମଗ୍ନତା। ତଲ୍ଲୀନତା ହେଉଛି ଗୋଟିଏ ଧରଣର ପୂର୍ଣ୍ଣମନସ୍କତା ବା ପୂର୍ଣ୍ଣ ଏକାଗ୍ରତା। ତଲ୍ଲୀନତା ସମୟରେ ନୃତ୍ୟଶିଳ୍ପୀ ନୃତ୍ୟର ରୂପ ନିଏ। ସନ୍ତରଣକାରୀ ସନ୍ତରଣର ରୂପ ନିଏ। ଲେଖକର ଆତ୍ମବିସ୍ମୃତି ଲେଖା ମଧ୍ୟରେ ଘଟିଥାଏ। ଆମର ଦୁର୍ଭାଗ୍ୟ ଯେ ନୃତ୍ୟଗୀତ ଉପଭୋଗ କରିବାକୁ ପ୍ରେକ୍ଷାଳୟକୁ ଗଲେ ମଧ୍ୟ ଆମର ମନ ଅନ୍ୟଠାରେ ବିଚରଣ କରୁଥାଏ। ପୁଅକୁ କେତେବେଳେ କୋଚିଂ କେନ୍ଦ୍ରରୁ ଆଣିବାକୁ ହେବ, ସେ ବିଷୟରେ ଚିନ୍ତା ରହିଥାଏ। ଝିଅକୁ କେତେବେଳେ ସ୍କୁଲରୁ ଆଣିବାକୁ ହେବ, ସେ ବିଷୟରେ ଭାବନା ଥାଏ। ଅନ୍ୟପକ୍ଷରେ ତଲ୍ଲୀନତା ହେଉଛି ପୂର୍ଣ୍ଣ ଏକାଗ୍ରତା। ମନ ଗୋଟିଏ ବିନ୍ଦୁରେ ସ୍ଥିର ରହେ। ତଲ୍ଲୀନତା ସମୟେ ସମୟେ ଦ୍ରୁତଗତିରେ ଚାଲିଯାଏ କିମ୍ବା ଗୋଟିଏ ବିନ୍ଦୁରେ ଅଟକି ରହେ। ଖାଇବା ସମୟରେ ଖାଦ୍ୟର ରୂପ, ରସ ଓ ଗନ୍ଧ ପ୍ରତି ପୂର୍ଣ୍ଣ ସଚେତନ ହେବାକୁ ପଡ଼ିବ। ଚାଲିବା ସମୟରେ ପାଦର ଅଙ୍ଗଭଙ୍ଗୀ, ରାସ୍ତାର ଅବୟବ ଏବଂ ପାରିପାର୍ଶ୍ବିକ ବର୍ଣ୍ଣବିଭା ପ୍ରତି ଜାଗ୍ରତ ରହିବାକୁ ହେବ। ଏପରି ପୂର୍ଣ୍ଣମନସ୍କତା ସ୍ଫୁର୍ତ୍ତିବର୍ଦ୍ଧନରେ ସହାୟକ ହୁଏ।
ପରିଶେଷରେ କୁହାଯିବ ଯେ ସ୍ଫୂର୍ତ୍ତିଶୀଳ ବ୍ୟକ୍ତିମାନେ ଜୀବନର ପ୍ରତିଟି ଲକ୍ଷ୍ୟକୁ ଅଭିପ୍ରେରିତ କରିଥିବା ଅର୍ଥପୂର୍ଣ୍ଣତା ପ୍ରତି ସଚେତନ ରୁହନ୍ତି। କରାଯାଉଥିବା କାର୍ଯ୍ୟ ଓ ଲକ୍ଷ୍ୟର ଅର୍ଥ ଆବିଷ୍କାର କରିବାକୁ ହେବ। ଅର୍ଥପୂର୍ଣ୍ଣତା ଅନ୍ୱେଷଣ କେହି କାହା ଉପରେ ଲଦିଦେଇ ପାରିବେ ନାହିଁ। ବ୍ୟକ୍ତିକୁ ନିଜେ ଏପରି ଅନ୍ୱେଷଣ କରିବାକୁ ହେବ। ଆଲୋଚିତ ଉପାଦାନର ସହାୟତାରେ ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱର ବିକାଶ କେବଳ ନିଜର ବ୍ୟକ୍ତିଗତ ବିକାଶର ମାର୍ଗ ନୁହେଁ। ଏହା ଏକ ସାମାଜିକ ପଲ୍ଲବନର ସୁନ୍ଦର ନକ୍ସା।
ଡ. ଫକୀର ମୋହନ ସାହୁ
ଭୁବନେଶ୍ୱର, ମୋ: ୯୪୩୭୧୨୧୨୭୯