ପୃଥିବୀର ହାରାହାରି ୭୦ ପ୍ରତିଶତରୁ ଅଧିକ ପୃଷ୍ଠଭାଗ ଜଳରେ ଆଚ୍ଛାଦିତ ହୋଇରହିଛି। ତଥାପି ଜଳକୁ ଏକ ଦୁର୍ଲଭ ପ୍ରାକୃତିକ ସମ୍ପଦ ଭାବରେ ବିବେଚନା କରାଯାଏ। ଏହାର କାରଣ, ପୃଥିବୀ ପୃଷ୍ଠରେ ଉପଲବ୍ଧ ସମୁଦାୟ ଜଳରାଶି ମଧ୍ୟରୁ କେବଳ ୩ ପ୍ରତିଶତ ମଧୁର ଜଳ, ଯାହାକି ମନୁଷ୍ୟ ସମାଜ ପାଇଁ ବ୍ୟବହାର ଉପଯୋଗୀ। ବାକି ୯୭ ପ୍ରତିଶତ ଜଳରାଶି ଲୁଣି। କିନ୍ତୁ ସମୁଦାୟ ଉପଲବ୍ଧ ମଧୁର ଜଳରାଶିର ଦୁଇ-ତୃତୀୟାଂଶ ବରଫ ଆକାରରେ ରହିଥିବାରୁ ତାହା ବ୍ୟବହାର ପାଇଁ ଉପଯୋଗୀ ନୁହେଁ। ଅର୍ଥାତ ସମୁଦାୟ ଜଳରାଶିର କେବଳ ୧ ପ୍ରତିଶତ ଜଳ ଏବଂ ସମୁଦାୟ ମଧୁର ଜଳରାଶିର ୩୩ ପ୍ରତିଶତ ଦୈନନ୍ଦିନ ବ୍ୟବହାର ପାଇଁ ଉପଲବ୍ଧ, ଯାହା ଜଳସଂପଦର ଅତ୍ୟଧିକ ନିଅଣ୍ଟିଆ ପରିସ୍ଥିତିକୁ ସୂଚାଉଛି। ଫଳସ୍ୱରୂପ ସମଗ୍ର ବିଶ୍ୱରେ ୬୦ କୋଟିରୁ ଅଧିକ ଲୋକ ଅତ୍ୟଧିକ ଜଳାଭାବର ସମ୍ମୁଖୀନ ହେବା ସହ ଦିନକୁ ଦିନ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି।
ବିକାଶର ଆବଶ୍ୟକତା, ଗୁରୁତ୍ୱପୂର୍ଣ୍ଣ ପରିବେଶ ଚିନ୍ତା ଏବଂ ଜଳବାୟୁ ସ୍ଥିତିରେ ପରିବର୍ତ୍ତନ ହେତୁ ଭାରତ ସମେତ ଅଧିକାଂଶ ଜନବହୁଳ ଦେଶଗୁଡ଼ିକ ପାଖାପାଖି ସମାନ ଜଳାଭାବ ପରିସ୍ଥିତିର ସାମ୍ନା କରୁଛନ୍ତି। ଫଳସ୍ୱରୂପ, ଜଳସଙ୍କଟ ଭୋଗୁଥିବା ଦେଶରେ ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ମଧ୍ୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ଜଳାଭାବ ପରି ଜଟିଳ ସମସ୍ୟା ଭାରତ ସମେତ ଅନେକ ଜନବହୁଳ ରାଷ୍ଟ୍ରକୁ ପରିବ୍ୟାପ୍ତ। ବିକାଶଶୀଳ ଓ ଉଦୀୟମାନ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ରମାନଙ୍କରେ ଏହାର ତୀବ୍ରତା ଉଦ୍ବେଗଜନକ। ତେଣୁ ଜଳର ଦୁର୍ଲଭତା ଜନିତ ସମ୍ୱେଦନଶୀଳ ପରିସ୍ଥିତିକୁ ଆମେ ସମସ୍ତେ ଅନୁଭବ କରିବା ଦରକାର। ଭାରତ ପରି ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଜଳର ଉତ୍କଟ ପରିସ୍ଥିତି ସାଧାରଣରେ ଏକ ଚିନ୍ତାର ବିଷୟ। ଅଧୁନା ଭାରତର ଜନସଂଖ୍ୟା ପାଖାପାଖି ୧୪୫ କୋଟି, ଯାହା ସମଗ୍ର ବିଶ୍ୱ ଜନସଂଖ୍ୟାର ହାରାହାରି ୧୮ ପ୍ରତିଶତ। ଭାରତର ଜନସଂଖ୍ୟା ଓ ଜଳ ଉପଲବ୍ଧତାକୁ ଅନୁଧ୍ୟାନ କଲେ ଜଣାଯାଏ ବିଶ୍ୱର ୧୮ ପ୍ରତିଶତ ଜନସଂଖ୍ୟା ବହନ କରୁଥିବା ଭାରତ ସମଗ୍ର ବିଶ୍ୱର ମଧୁର ଜଳରାଶିର କେବଳ ୪ ପ୍ରତିଶତ ଧାରଣ କରେ, ଯାହା ଏକ ଜଳ-ନିଅଣ୍ଟିଆ ଦେଶ ରୂପେ ପରିଗଣିତ ହେଉଛି। ଜଳର ନିଅଣ୍ଟିଆ ପରିସ୍ଥିତି ପ୍ରତିବର୍ଷ ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି ଏବଂ ଏହି ସଂଖ୍ୟା ଦିନକୁ ଦିନ ବଢ଼଼ିବାରେ ଲାଗିଛି।
ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଅନୁସନ୍ଧାନ ମୁତାବକ ଭାରତରେ ମୁଣ୍ଡପିଛା ଜଳ ଉପଲବ୍ଧତା ୨୦୦୧ ରେ ୧୮୧୬ ଘନ ମିଟରରୁ ୨୦୧୧ ରେ ୧୫୪୫ ଘନ ମିଟରକୁ ହ୍ରାସ ପାଇଛି। ଗବେଷଣାରୁ ଏହା ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ୨୦୩୦ ବେଳକୁ ଜଳର ମୁଣ୍ଡପିଛା ଚାହିଦା ପାଖାପାଖି ଦୁଇଗୁଣ ହେବ। ୨୦୫୦ ବେଳକୁ ଭାରତରେ ଜଳସମ୍ପଦ ସର୍ବାଧିକ ଜିଡିପି ଉତ୍ପାଦନକାରୀ ପ୍ରାକୃତିକ ସମ୍ପଦ ଭାବେ ଗ୍ରହଣୀୟ ହେବ। ଏହାବ୍ୟତୀତ ଦୈନନ୍ଦିନ ଦୂଷିତ ଜଳର ମାତ୍ରା ବଢ଼଼ିବା ଏବଂ ପ୍ରାୟ ୭୦ ପ୍ରତିଶତ ଜଳ ଦୂଷିତ ହେବ। ଏହାସହିତ ୧୨୦ ଦେଶରେ ମପା ଯାଇଥିବା ଜଳ ଗୁଣବତ୍ତା ସୂଚକାଙ୍କରେ ଭାରତ ୧୨୦ ତମ ସ୍ଥାନରେ ରହିବା ଜଣାପଡ଼ିଛି, ଯାହା ପରିସ୍ଥିତିକୁ ଆହୁରି ଉତ୍କଟ କରୁଛି।
ଭାରତରେ ଜଳର ଉପଲବ୍ଧିକୁ ବିବେଚନା କଲେ ଜଣାଯାଏ ସମଗ୍ର ୫୧୨୨ ବିଲିୟନ ଘନ ମିଟର ଗଛିତ ଜଳରାଶି ମଧ୍ୟରୁ ବର୍ଷାଜଳ ୪୦୦୦ ବିଲିୟନ ଘନ ମିଟର, ଅବ୍ୟବହୃତ ଭୂପୃଷ୍ଠ ଜଳ ୬୯୦ ବିଲିୟନ ଘନ ମିଟର ଓ ଭୂତଳ ଜଳ ୪୨୦ ବିଲିୟନ ଘନ ମିଟର। ମୋଟାମୋଟି ଭାବରେ ଏହା କୁହାଯାଇପାରିବ ଯେ ଉପଲବ୍ଧ ସମଗ୍ର ଜଳରାଶିର ହାରାହାରି ୮୦ ପ୍ରତିଶତ ବର୍ଷାଜଳ, ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଏକ ବରଦାନ। ଅନ୍ୟପକ୍ଷରେ ଆବଶ୍ୟକତା ଦୃଷ୍ଟିରୁ ଜଳ ଆବଣ୍ଟନକୁ ଅନୁଧ୍ୟାନ କଲେ ଜଣାଯାଏ ପାନୀୟଜଳ ଏବଂ ଜଳର ଘରୋଇ ବ୍ୟବହାର ଶୀର୍ଷରେ ରହିବା ସହିତ ପରବର୍ତ୍ତୀ ଚାହିଦା ରୂପେ ପରିବେଶ, ଜଳସେଚନ, କୃଷି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକଳାପ, ମତ୍ସ୍ୟଚାଷ, ଜଳ ବିଦ୍ୟୁତ୍, କୃଷି ଶିଳ୍ପ ଓ ଅନ୍ୟାନ୍ୟ ଶିଳ୍ପ, ନାଭିଗେସନ୍ ଓ ପର୍ଯ୍ୟଟନ ଓ ବିଭିନ୍ନ କାର୍ଯ୍ୟକଳାପକୁ ବିବେଚନା କରାଯାଏ।
ଜଳର ବ୍ୟବହାରକୁ ତର୍ଜମା କଲେ ଜଣାଯାଏ, ସମଗ୍ର ବ୍ୟବହୃତ ଜଳରାଶିର ୮୦ ପ୍ରତିଶତରୁ ଅଧିକ ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ବେଳେ ୧୫ ପ୍ରତିଶତ ଜଳରାଶି ଶିଳ୍ପରେ ବ୍ୟବହାର ହୁଏ ଏବଂ ବାକି ୫ ପ୍ରତିଶତ ଅନ୍ୟ ସମସ୍ତ ଆବଶ୍ୟକତା ପୂରଣ କରିଥାଏ। ଗବେଷଣାରୁ ଦେଖାଯାଇଛି ଯେ ସର୍ବାଧିକ ଜଳ ବ୍ୟବହାରକାରୀ କୃଷି କ୍ଷେତ୍ର ସର୍ବାଧିକ ଜଳ ଅପଚୟର କାରଣ। ଭାରତ ପରି କୃଷିପ୍ରଧାନ ଦେଶରେ ୫୫ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ କ୍ଷୁଦ୍ର ଚାଷୀ। ତେଣୁ ଏହା ମଧ୍ୟ କୁହାଯାଇପାରେ କି, ଜମିର ସ୍ୱଳ୍ପତା, ନିରକ୍ଷରତା ଓ ସଚେତନତାର ଅଭାବ ଜଳ ଅପଚୟର ଅନ୍ୟ ଏକ ପ୍ରମୁଖ କାରଣ। ଏହାବ୍ୟତୀତ, ଭାରତରେ ହାରାହାରି ୫୫ ପ୍ରତିଶତ ମହିଳା ଚାଷୀ ପାଖାପାଖି ୮୦ ପ୍ରତିଶତ ଚାଷକାମ ନିର୍ବାହ କରିଥା’ନ୍ତି, ଯେଉଁ ସଂଖ୍ୟା ଓଡ଼ିଶାରେ ପାଖାପାଖି ୬୨ ପ୍ରତିଶତ ଏବଂ ଗ୍ରାମୀଣ ଓଡ଼ିଶାରେ ପାଖାପାଖି ୭୯ ପ୍ରତିଶତ। ତେଣୁ ମହିଳାମାନଙ୍କ ମଧ୍ୟରେ ଜଳ ପରିଚାଳନା ସମ୍ବନ୍ଧିତ ବୈଷୟିକ ଜ୍ଞାନର ଅଭାବ ଜଳ ଅପଚୟର ଅନ୍ୟ ଏକ ମୁଖ୍ୟ କାରଣ ହେଇଥାଇପାରେ। ଏହାବ୍ୟତୀତ ଜଳଭଣ୍ଡାର ଓ କେନାଲ ବନ୍ଧରେ ଫାଟ, ପାରମ୍ପରିକ ଜଳସେଚନ ପଦ୍ଧତି ଏବଂ ଜଳସେଚନ ବିଷୟରେ ଜ୍ଞାନର ଅଭାବ ଜଳ ଅପଚୟର ଅନ୍ୟାନ୍ୟ ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ, ଯାହା କୃଷିକ୍ଷେତ୍ରରେ ବ୍ୟବହୃତ ଜଳରାଶିର ପାଖାପାଖି ୬୦ ପ୍ରତିଶତ। ତେଣୁ ଭବିଷ୍ୟତର ଜଳାଭାବକୁ ରୋକିବାକୁ ହେଲେ କୃଷିକ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିରେ ଜଳ ପରିଚାଳନା ଏକାନ୍ତ ଆବଶ୍ୟକ।
ଜଳର ସ୍ୱଳ୍ପତା, ଶିଳ୍ପ ଓ କୃଷିକ୍ଷେତ୍ରରେ ଅତ୍ୟଧିକ ବ୍ୟବହାର, ଅପଚୟକୁ ଧ୍ୟାନରେ ରଖି ଭାରତ ସରକାର ଜଳ ପରିଚାଳନା ଓ ଜଳ ସଞ୍ଚୟ ନିମିତ୍ତ ନିୟମାବଳୀ ‘ଜାତୀୟ ଜଳ ନୀତି -୧୯୮୭’ ମସିହାରେ ପାରିତ କରିଥିଲେ। ପରବର୍ତ୍ତୀ ସମୟରେ କୃଷିକ୍ଷେତ୍ରକୁ ଧ୍ୟାନରେ ରଖି ଓଡ଼ିଶା ସରକାର ୨୦୦୨ ମସିହାରେ ପାଣି ପଞ୍ଚାୟତ ଅଧିନିୟମ ପାରିତ କଲେ, ଯାହା କୃଷି କ୍ଷେତ୍ରରେ ଜଳ ପରିଚାଳନା, ଜଳ ଆବଣ୍ଟନ ଓ ଜଳ ସଞ୍ଚୟ ଉପରେ ଗୁରୁତ୍ୱ ଦେଉଛି। ଏଥିସହିତ ଭବିଷ୍ୟତ ପିଢ଼ିର ବିକାଶକୁ ଧ୍ୟାନରେ ରଖି ନାନାଦି ଜଳସଞ୍ଚୟ ପଦ୍ଧତି ଯଥା- କମ୍ ପାଣିରେ ଫସଲ ଉତ୍ପାଦନ, ମାଇକ୍ରୋଜଳସେଚନ, ସେନସର ଆଧାରିତ ଜଳସେଚନ, କାଡା କେନାଲ ନିର୍ମାଣ, ବର୍ଷା ଜଳ ଅମଳ ଓ ସଞ୍ଚୟ, ସ୍ମାର୍ଟ ଜଳସେଚନ ଇତ୍ୟାଦି କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯାଉଛି।
ଏ ସମସ୍ତ କାର୍ଯ୍ୟକ୍ରମରେ ମହିଳାମାନଙ୍କର ସହଭାଗିତା ଲୋଡ଼ାଯିବା ସହିତ ସରକାରୀ ସହାୟତାରେ ନାନାଦି କାର୍ଯ୍ୟକ୍ରମ, ଯଥା – ତାଲିମ, ପ୍ରୟୋଗ, କ୍ଷେତ୍ର ଅଭ୍ୟାସ, କ୍ଷେତ୍ର ପ୍ରଦର୍ଶନ ଇତ୍ୟାଦି କରାଯାଉଥିଲେ ହେଁ ସେମାନଙ୍କର ସହଭାଗିତା ଏ ଯାଏଁ ଆଖିଦୃଶିଆ ହୋଇପାରିନାହିଁ। ଘରୋଇ ଜଳ ବ୍ୟବହାର ହେଉ ବା ଚାଷ କ୍ଷେତ୍ରରେ ଜଳ ପରିଚାଳନା ହେଉ ମହିଳାମାନଙ୍କ ଭୂମିକା ସବୁକ୍ଷେତ୍ରରେ ଅତ୍ୟନ୍ତ ଜରୁରୀ। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ବିଶ୍ୱ ପ୍ରସିଦ୍ଧ ଡବଲିନ୍ ନିୟମାବଳୀ ୧୯୯୨ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଳ ଯୋଗାଣ, ପରିଚାଳନା ଓ ସୁରକ୍ଷାରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ତେଣୁ ଜଳ ବିକାଶ ଓ ପରିଚାଳନା ମହିଳାମାନଙ୍କ ସହଭାଗିତାରେ ସମସ୍ତ ସ୍ତରରେ ଉପଭୋକ୍ତା, ଯୋଜନାକାରୀ ଓ ନୀତି ନିର୍ଣ୍ଣୟକାରୀଙ୍କ ମିଳିତ ଆଭିମୁଖ୍ୟ ଓ ପ୍ରୟାସରେ ହେବା ଉଚିତ୍। ତେଣୁ ସରକାରଙ୍କୁ ଜଳ ପରି ଏକ ସୀମିତ ଓ ଅସୁରକ୍ଷିତ ପ୍ରାକୃତିକ ସମ୍ପଦ, ଯାହା ଜୀବନ ବଞ୍ଚାଇବା, ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ତାହାର ସୁରକ୍ଷା ଦିଗରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ।
ଡ. ପ୍ରଦୀପ କୁମାର ସାହୁ
(ସହକାରୀ ପ୍ରାଧ୍ୟାପକ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ)
ଭୁବନେଶ୍ୱର, ମୋ: ୯୮୬୧୦୬୫୧୬୪