ସକାରାତ୍ମକ କର୍ମକ୍ଷେତ୍ର

ସକାରାତ୍ମକ କର୍ମକ୍ଷେତ୍ର କହିଲେ ଯେଉଁଠାରେ ସମସ୍ତ କର୍ମଚାରୀଙ୍କୁ ନ୍ୟାୟପୂର୍ଣ୍ଣ, ମର୍ଯ୍ୟାଦା ଓ ସମ୍ମାନର ସହିତ ବ୍ୟବହାର କରାଯାଏ ଏବଂ ଯୋଗାଯୋଗ, ସହଯୋଗ ଓ ଗଠନମୂଳକ ଦୃଷ୍ଟିଭଙ୍ଗୀରେ ବିବାଦର ସମାଧାନ କରାଯାଏ। ସମ୍ମାନର ଅଭାବ ଓ ଉପରିସ୍ଥ ଅଧିକାରୀମାନଙ୍କର ନକାରାତ୍ମକ ଆଚରଣ ନିମ୍ନସ୍ତରର କର୍ମଚାରୀଙ୍କ ଉତ୍ପାଦକତାରେ ହ୍ରାସ ଓ ମାନସିକ ଆଘାତର ଆଶଙ୍କା ସୃଷ୍ଟି କରିଥାଏ। କର୍ମକ୍ଷେତ୍ର ଏପରି ହେବା ଉଚିତ, ଯେଉଁଠାରେ କର୍ମଚାରୀମାନେ ସୁରକ୍ଷିତ ତଥା ନିରାପଦ ଅନୁଭବ କରିପାରିବେ, ଉତ୍ପୀଡ଼ନ ଓ ଭେଦଭାବରୁ ସୁରକ୍ଷିତ ମନେ […]

ସକାରାତ୍ମକ କର୍ମକ୍ଷେତ୍ର କହିଲେ ଯେଉଁଠାରେ ସମସ୍ତ କର୍ମଚାରୀଙ୍କୁ ନ୍ୟାୟପୂର୍ଣ୍ଣ, ମର୍ଯ୍ୟାଦା ଓ ସମ୍ମାନର ସହିତ ବ୍ୟବହାର କରାଯାଏ ଏବଂ ଯୋଗାଯୋଗ, ସହଯୋଗ ଓ ଗଠନମୂଳକ ଦୃଷ୍ଟିଭଙ୍ଗୀରେ ବିବାଦର ସମାଧାନ କରାଯାଏ। ସମ୍ମାନର ଅଭାବ ଓ ଉପରିସ୍ଥ ଅଧିକାରୀମାନଙ୍କର ନକାରାତ୍ମକ ଆଚରଣ ନିମ୍ନସ୍ତରର କର୍ମଚାରୀଙ୍କ ଉତ୍ପାଦକତାରେ ହ୍ରାସ ଓ ମାନସିକ ଆଘାତର ଆଶଙ୍କା ସୃଷ୍ଟି କରିଥାଏ। କର୍ମକ୍ଷେତ୍ର ଏପରି ହେବା ଉଚିତ, ଯେଉଁଠାରେ କର୍ମଚାରୀମାନେ ସୁରକ୍ଷିତ ତଥା ନିରାପଦ ଅନୁଭବ କରିପାରିବେ, ଉତ୍ପୀଡ଼ନ ଓ ଭେଦଭାବରୁ ସୁରକ୍ଷିତ ମନେ କରିବେ ଏବଂ ସେମାନଙ୍କ ପୃଷ୍ଠଭୂମି ନିର୍ବିଶେଷରେ ମର୍ଯ୍ୟାଦା, ସମ୍ମାନ ଓ ଉଚିତ ବ୍ୟବହାର ଆଶା କରିବେ। ଏହା କର୍ମଚାରୀଙ୍କ କଲ୍ୟାଣ, ଉତ୍ପାଦକତା ଏବଂ ସାମଗ୍ରିକ ଭାବେ ସାଂଗଠନିକ ସଫଳତା ପାଇଁ ଅତ୍ୟାବଶ୍ୟକ।

ଯେଉଁଠାରେ ସଚ୍ଚୋଟତା, ସାଧୁତା ଓ ବୃତ୍ତିଗତ ନ୍ୟାୟକୁ ଗୁରୁତ୍ୱ ଦିଆଯାଏ, ସେଠାରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି ହୁଏ। କର୍ମକ୍ଷେତ୍ର ଏପରି ହେବା ଉଚିତ, ଯେଉଁଠାରେ କର୍ମଚାରୀମାନେ ସେମାନଙ୍କର ଚିନ୍ତାଧାରା ଓ ମତାମତ ଖୋଲାଖୋଲି ଏବଂ ସଚ୍ଚୋଟ ଭାବରେ ପ୍ରକାଶ କରିପାରିବେ। କର୍ମଚାରୀମାନଙ୍କୁ ସେମାନଙ୍କ କାମର ସମସ୍ତ ଦାୟିତ୍ୱ ବହନ କରିବାର କ୍ଷମତା ଦିଆଯିବା ସହିତ ସେମାନଙ୍କ କାର୍ଯ୍ୟ ପାଇଁ ମଧ୍ୟ ଉତ୍ତରଦାୟୀ କରାଯାଏ। ଅସୌଜନ୍ୟ ଆଚରଣ ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ପରିବେଶ ସୃଷ୍ଟି କରିଥାଏ। ଏକ ସମ୍ମାନଜନକ କର୍ମକ୍ଷେତ୍ର ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଆକର୍ଷିତ କରେ ଏବଂ ଅନୁଷ୍ଠାନର ଖ୍ୟାତି ବୃଦ୍ଧି କରେ। ସକାରାତ୍ମକ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରୁଥିବା ସମ୍ମାନଜନକ କର୍ମକ୍ଷେତ୍ରଗୁଡ଼ିକ କର୍ମଚାରୀମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେବା ସହିତ ହୃଦରୋଗ ଓ ଉଚ୍ଚ ରକ୍ତଚାପ ହ୍ରାସ ଏବଂ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

କର୍ମକ୍ଷେତ୍ରରେ ଦଳଗତ ବିଶ୍ୱାସ ସୃଷ୍ଟି କରିବା ପାଇଁ ଦଳ ମୁଖ୍ୟମାନଙ୍କୁ ଅନୁଷ୍ଠାନର ଯେକୌଣସି ସ୍ତରର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ ଓ ଆଲୋଚନା କରିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ, ସେମାନଙ୍କୁ ସ୍ପଷ୍ଟ ଓ ସଂକ୍ଷିପ୍ତ ହେବାକୁ ପଡ଼ିବ ଏବଂ କିଭଳି ଉତ୍ତମ ଆନ୍ତରିକ ସମ୍ପର୍କ ଗଠନ କରିବେ ତାହା କର୍ମଚାରୀମାନଙ୍କୁ ଶିଖାଇବାକୁ ପଡ଼ିବ। ସମସ୍ତଙ୍କୁ ନେଇ ଯେପରି ଚାଲିବାକୁ ପଡ଼ିବ ସେ ଦିଗରେ ଉପରିସ୍ଥ ଅଧିକାରୀମାନଙ୍କୁ ଧ୍ୟାନ ଦେବା ସହିତ ବୟସ-ଲିଙ୍ଗ-ଜାତି-ସଂସ୍କୃତି ନିର୍ବିଶେଷରେ ସମସ୍ତଙ୍କୁ ଉଚିତ୍‌‌ ନ୍ୟାୟ ଦେବାକୁ ହେବ। କର୍ମଚାରୀମାନେ ଯେପରି ବୃତ୍ତିଗତ ସହିତ ବ୍ୟକ୍ତିଗତ ଉନ୍ନତି ସାଧନ କରିପାରିବେ ସେଥିଲାଗି ଉପରିସ୍ଥ ଅଧିକାରୀମାନେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ଦୟା, ଭଦ୍ରତା, ସହାନୁଭୂତି କରୁଣା ଭଳି ଗୁଣଗୁଡ଼ିକୁ କର୍ମକ୍ଷେତ୍ରରେ ପ୍ରୋତ୍ସାହିତ କରିବା ସହିତ ସମ୍ବେଦନଶୀଳ ହେବା ମଧ୍ୟ ଅନୁଷ୍ଠାନ ମୁଖ୍ୟଙ୍କ କର୍ତ୍ତବ୍ୟ। ମୁଖ୍ୟମାନେ ଅଧସ୍ତନମାନଙ୍କ କର୍ତ୍ତବ୍ୟପରାୟଣତା ପ୍ରତି କୃତଜ୍ଞତା ଜ୍ଞାପନ, ପୁରସ୍କୃତ ଏବଂ ପ୍ରଶଂସା କରିବାରେ କାର୍ପଣ୍ୟ ପ୍ରଦର୍ଶନ କରନ୍ତୁ ନାହିଁ।

ଉପରିସ୍ଥ ଅଧିକାରୀମାନେ ଅଧସ୍ତନମାନଙ୍କର ନୂତନ କ୍ଷମତା ବିକାଶ କରିବାରେ ସାହାଯ୍ୟ କରନ୍ତୁ ଏବଂ ଆବଶ୍ୟକ ସମୟରେ ସେମାନଙ୍କୁ ସମର୍ଥନ କରି ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରାଇବାକୁ ସକ୍ଷମ କରାନ୍ତୁ। ଯେତେବେଳେ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ମାନସିକ ସୁରକ୍ଷା ପାଆନ୍ତି, ସେମାନେ ନିଜେ ଆରାମଦାୟକ ଅନୁଭବ କରନ୍ତି। ଏକ ସମ୍ମାନଜନକ ସଂଗଠନ ବିବିଧତା ଓ ସମାନତାକୁ ପ୍ରୋତ୍ସାହିତ କରେ, ଆଲୋଚନାକୁ ଉତ୍ସାହିତ କରେ ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ସଭ୍ୟତା ଉପରେ ଜୋର ଦିଏ। ଏହାକୁ ଅଧିକାରୀମାନେ ସ୍ମରଣକୁ ଆଣିବା ଦରକାର। ପ୍ରଭାବଶାଳୀ ଓ ଲକ୍ଷ୍ୟ-କୈନ୍ଦ୍ରିକ ପରିଚାଳକମାନେ କର୍ମଚାରୀମାନଙ୍କୁ ନିୟମିତ ଭାବରେ ଦକ୍ଷତା ଓ ନୂତନ ପ୍ରଯୁକ୍ତି ବିଦ୍ୟା ବିକାଶ ଉପରେ ଧ୍ୟାନ ଦେବା ନିମନ୍ତେ ଗୁରୁତ୍ୱ ଦେଇଥା’ନ୍ତି।

କର୍ମଚାରୀଙ୍କ ନିୟୋଜିତତାକୁ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି କୌଣସି ପ୍ରକାରର ଭେଦଭାବକୁ ସହ୍ୟ କରିବା ନାହିଁ। ଆମର ମଙ୍ଗଳ ଓ ସଫଳତା ପାଇଁ ସମ୍ମାନ ଓ ଗର୍ବ ଉଭୟ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ଅନ୍ୟମାନଙ୍କୁ ସମ୍ମାନ କରୁ ଏବଂ ପ୍ରତିବଦଳରେ ସମ୍ମାନ ଆଶା କରୁ, ତାହା ସକାରାତ୍ମକ ସମ୍ପର୍କ ଏବଂ ନିଜର ଭାବନାକୁ ବୃଦ୍ଧି କରିପାରେ। ଏକ କର୍ମକ୍ଷେତ୍ର ଯେଉଁଥିରେ ସମସ୍ତଙ୍କର ସମାନ ଅଂଶଗ୍ରହଣ ରହିଥାଏ, ତାହା ଅନନ୍ୟ ଚିନ୍ତାଧାରା ଏବଂ ସୃଜନଶୀଳତାର ଏକ ମିଶ୍ରଣ ହୋଇଥାଏ, ଯାହା ସର୍ବଦା ସଂଗଠନର କାର୍ଯ୍ୟଦକ୍ଷତା, ଉତ୍ପାଦକତା ଓ ସଂସ୍କୃତି ପାଇଁ ସର୍ବୋତ୍ତମ। ମର୍ଯ୍ୟାଦା ଓ ସମ୍ମାନଜନକ ବ୍ୟବହାର ସକାରାତ୍ମକ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ, ଯେଉଁଥିରେ କର୍ମଚାରୀମାନେ ପରିପୂର୍ଣ୍ଣ, ବିଶ୍ୱସ୍ତ, ନିୟୋଜିତ ଏବଂ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ କରିବାକୁ ପ୍ରେରଣାପ୍ରାପ୍ତ ହୁଅନ୍ତି।

ଡାକ୍ତର ଅଶୋକ କୁମାର ମହାନ୍ତି
ମୋବାଇଲ: ୯୨୩୪୬୬୭୫୪୬

About The Author: The Sakala