‘ଗାଁ ମାଟି ମୋ ସ୍ୱର୍ଗଦ୍ୱାର’

୨୦୦୭ ମସିହାରେ ମୁଁ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲାବେଳେ ମୋ ସରକାରୀ ବାସଭବନରେ ମୋ ନନାଙ୍କ ଦେହାନ୍ତ ହେଲା, ଏକାଅଶୀ ବର୍ଷ ବୟସରେ। ଦେହାନ୍ତ ପୂର୍ବରୁ ମୁଁ ତାଙ୍କୁ ପଚାରିଥିଲି, ‘ନନା ତୁମର ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ତୁମର ଇଚ୍ଛା ଅଛି କି?’ ସେ ମୋ ମୁହଁକୁ କିଛି ସମୟ ଚାହିଁ କହିଲେ, ‘ତୁ କ’ଣ ଭାବୁଛୁ ମୋ ପୂର୍ବପୁରୁଷଙ୍କ ପବିତ୍ର ଶ୍ମଶାନଠାରୁ ସ୍ୱର୍ଗଦ୍ୱାର ବଡ଼? ମୋତେ ଗାଁକୁ ନେଇଯିବୁ। ମୋ ଗାଁ ମାଟି ମୋର ସ୍ୱର୍ଗଦ୍ୱାର। […]

୨୦୦୭ ମସିହାରେ ମୁଁ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲାବେଳେ ମୋ ସରକାରୀ ବାସଭବନରେ ମୋ ନନାଙ୍କ ଦେହାନ୍ତ ହେଲା, ଏକାଅଶୀ ବର୍ଷ ବୟସରେ। ଦେହାନ୍ତ ପୂର୍ବରୁ ମୁଁ ତାଙ୍କୁ ପଚାରିଥିଲି, ‘ନନା ତୁମର ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ତୁମର ଇଚ୍ଛା ଅଛି କି?’ ସେ ମୋ ମୁହଁକୁ କିଛି ସମୟ ଚାହିଁ କହିଲେ, ‘ତୁ କ’ଣ ଭାବୁଛୁ ମୋ ପୂର୍ବପୁରୁଷଙ୍କ ପବିତ୍ର ଶ୍ମଶାନଠାରୁ ସ୍ୱର୍ଗଦ୍ୱାର ବଡ଼? ମୋତେ ଗାଁକୁ ନେଇଯିବୁ। ମୋ ଗାଁ ମାଟି ମୋର ସ୍ୱର୍ଗଦ୍ୱାର। ପୁଣ୍ୟତୋୟା ଋଷିକୂଲ୍ୟାର ଉପନଦୀ ବଡ଼ନଦୀର ସ୍ୱଚ୍ଛ ଶୁଭ୍ର ବାଲି ମୋର ଅନ୍ତିମ ଶଯ୍ୟା।’ ଦେହାନ୍ତ ପରେ ତାଙ୍କୁ ନେଇ ଯାଇଥିଲି ଗାଁକୁ। ସବୁ କ୍ରିୟା ଗାଁରେ ହିଁ ହୋଇଥିଲା। ଗାଁକୁ ପ୍ରାଣଭରି ଭଲ ପାଉଥିବା ଜଣେ ମଣିଷ ଥିଲେ ମୋ ନନା। ତାଙ୍କରି ସେହି ଗୁଣ ଆମ ପାଖକୁ ମଧ୍ୟ ଗୁଣସୂତ୍ର ଭାବରେ ଆସିଯାଇଛି।

ଗାଁରେ ଆମର ସମ୍ପତ୍ତି ବୋଇଲେ ଆଠ ହାତ ସୋରରେ ଘର ଖଣ୍ଡେ। କୋଉ କାଳର ପୁରୁଣା ଘର। ମଝିରେ ମଝିରେ ପୁଣ୍ୟପର୍ବରେ, ଯାନିଯାତ୍ରାରେ ଗଲେ ଆମେ ସେଠାରେ ରହୁଥିଲେ ମଧ୍ୟ ସ୍ଥାୟୀ ଭାବରେ ଆମେ ଆଉ ଗାଁରେ ରହୁନାହୁଁ। ଘର ଆଉ ମରାମତି ଯୋଗ୍ୟ ନଥିଲା। ଅନେକ ମନା କରୁଥିଲେ। ତଥାପି ପ୍ରାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରି ତାକୁ ଭାଙ୍ଗି ପୁଣି ନୂଆରେ ତିଆରି କଲୁ। ଘରଟି ଭାଙ୍ଗି ଯାଇଥିଲେ ଗାଁ ସହ ଆମ ସମ୍ପର୍କ ତୁଟି ଯାଇଥା’ନ୍ତା। ତିଆରି କରିବାରୁ ସମ୍ପର୍କ ଅତୁଟ ରହିଗଲା। ଧୀରେ ଧୀରେ ଆମ ପିଲାମାନେ ମଧ୍ୟ ଗାଁ ସହ ଯୋଡ଼ି ହେଲେଣି। ଅନ୍ତତଃ ଆମ ପର ପିଢ଼ି ଯାଏଁ ଇଏ ଚାଲିବ।

‘ମୋ ଗାଁ ମାଟି ମୋ ସ୍ୱର୍ଗଦ୍ୱାର’- ନନାଙ୍କର ଏଇ ଧାଡ଼ିକ କଥା ମୋ ଛାତିରେ ଆଙ୍କି ହୋଇ ରହିଗଲା। ଏବେ ପୁଣି ତା’ର ପୁନରାବୃତ୍ତି ଘଟିଲା ସଦ୍ୟ ଘଟିଥିବା ମୋ ବୋଉର ଦେହାନ୍ତରେ। ତା’ର ଦେହାନ୍ତ ହେଲା ଚଉରାଅଶୀ ବର୍ଷ ବୟସରେ ମୋ ପାଖରେ ଭୁବନେଶ୍ୱରରେ। ଏହି ଦି’ ଚାରିବର୍ଷ ହେବ ତା’ର ଦେହ ଅସୁସ୍ଥ ହେବାରୁ ମୁଁ ତା’କୁ ଏକା ଗାଁରେ ରହିବାକୁ ଛାଡୁନଥିଲି। ସାଥିରେ ନେଇ ଗାଁ କାମ ସାରି ତା’କୁ ବୁଲେଇ ନେଇ ଆସୁଥିଲି। ବୋଉ ଗାଁକୁ ଗଲେ ଆମ ଘର ଆଗରେ ସମସ୍ତେ ଆସି ପହଞ୍ଚି ଯାଉଥିଲେ। ଗାଁରେ ତା’ର ଜନସମ୍ପର୍କ ଖୁବ୍‌‌ ବଢ଼଼ିଆ ଥିଲା। ଆଗରୁ ତ ସେ ନିଜେ ନିଜେ ଗାଁରେ ମାସ ମାସ ରହିଯାଉଥିଲା। ଗାଁରୁ ଏକା ବସ୍‌‌ରେ ବସି ବରମୁଣ୍ଡା ଆସିଯାଉଥିଲା। ମୁଁ ତା’କୁ ଯାଇ ନେଇ ଆସୁଥିଲି। ବସ୍‌‌ ବାଲାମାନେ ତା’କୁ ‘ମାଆ ମାଆ’ କହି ସୁବିଧାରେ ତା’ର ସମସ୍ତ ଜିନିଷପତ୍ର ସହ ତା’କୁ ଆଣି ବରମୁଣ୍ଡାରେ ଓହ୍ଲାଇ ଦେଉଥିଲେ। ମୁଁ ବିପତ୍ନୀକ ହୋଇଯିବା ପରେ ସେ ମୋତେ ଛାଡ଼ି ଆଉ ଗାଁକୁ ଯିବାକୁ ଚାହିଁଲା ନାହିଁ। ତଥାପି ମୁଁ ମଝିରେ ମଝିରେ ତା’କୁ ନେଇ ଗାଁକୁ ଯାଏ। ଦିନେ ଦୁଇଦିନ ରହି ଫେରିଆସେ। ତା’ର ତ ଭୋର ଉଠା ଅଭ୍ୟାସ। ଭୁବନେଶ୍ୱରରେ ଥିବାବେଳେ ମୁଁ ଉଠିବା ପୂର୍ବରୁ ସେ ଉଠି ଚାହା ତିଆରି କରି ବାରମ୍ବାର ମୋର ଶୋଇବା ଘର ପରଦା ଟେକି ଦେଖୁଥାଏ। ମୋତେ ଚାହାଟା ଦେଇଦେଲେ ତା’ ମନ ଶାନ୍ତି। ବଜାରରୁ ବିଭିନ୍ନ ଦେଶୀ ପରିବା କଦଳୀ, ଭଣ୍ଡା, ମଞ୍ଜା, କଖାରୁ ଫୁଲ, ଗନ୍ଧଣା ଶାଗ ଇତ୍ୟାଦି ଆଣିଲେ ସେ ତା’କୁ ନିଜେ ନିଜ ପଦ୍ଧତିରେ ଭଜା, ଆମ୍ବିଳ ଇତ୍ୟାଦି କରେ। ଝୁଡ଼ୁଙ୍ଗ ମଞ୍ଜି ଆଣିଲେ ତା’କୁ ଆମ୍ବୁଲ ପକାଇ ମଞ୍ଜି ଫୁଟା କରେ। ବିଭିନ୍ନ ପରିବା ଯଥା ବାଇଗଣ, କଖାରୁ, ଭେଣ୍ଡି, ମୂଳା, ଅମୃତଭଣ୍ଡା ପକେଇ କାଞ୍ଜି, ଆମ୍ବିଳ କରେ। ଖାଲି ବସି ରହିବା ତା’ ପାଇଁ ଦଣ୍ଡ। କ’ଣ ନା କ’ଣ କରୁଥାଏ। କିଛି କାମ ନ ମିଳିଲେ ଭାଗବତ ଧରି ପଢ଼େ। ମାଳାଟିଏ ଗଡ଼ାଇ ଜପ କରେ। ମୋ ସ୍ତ୍ରୀ ଥିଲାବେଳେ ସେ କହୁଥିଲା- ‘ନନା ଚାଲିଗଲେ। ତମ ଆଗରେ ମୁଁ ଚାଲି ଯାଆନ୍ତି ଶୀଘ୍ର।’ କିନ୍ତୁ ମୋ ସ୍ତ୍ରୀ ଚାଲିଗଲା ପରେ ତା’ର ଏଇ କଥାଟି ଓଲଟି ଗଲା। ସେ କହିଲା- ‘ମୋ ପିଲାଟା ଏକୁଟିଆ ହୋଇଗଲା। ମୁଁ ଆଉ ଦଶଟା ବର୍ଷ ବଞ୍ଚନ୍ତି କି ହେଲେ।’ ସତକୁ ସତ ସେ ନଅବର୍ଷ ବଞ୍ଚିଲା ତା’ର ହୃଦ୍‌‌ରୋଗ ସତ୍ତ୍ବେ। ଆମ ଘରକୁ ମୋତେ ଭେଟିବା ପାଇଁ କିଏ ଆସିଥିବେ, ଆମେ ବସି କଥା ହେଉଥିବୁ। ସେ ତାଙ୍କୁ ଚିହ୍ନି ନଥିବ। କିଛି କହିବା ଆଗରୁ ସେ ଆଣି ଚାହା ଜଳଖିଆ ଥୋଇ ଦେଇଥିବ। ଏଭଳି ଥିଲା ମୋ ବୋଉ। ମୋ ସହିତ ସେ ଥିଲା ଅନ୍ୟମାନଙ୍କର ସମ ଭାବରେ ପ୍ରିୟ।

ଦେହାନ୍ତ ପୂର୍ବରୁ ଠିକ୍‌‌ ନନାଙ୍କୁ ପଚାରିଥିବା ଭଳି ବୋଉକୁ ମଧ୍ୟ ମୁଁ ପଚାରିଲି, ‘ତୋର ଅନ୍ତିମ ସଂସ୍କାର କୋଉଠି କରିବି?’ ସେ କହିଲା- ‘ଗାଁରେ, ପୁରୀରେ, ଏଇଠି, ତୋର ଯେଉଁଠି ସୁବିଧା ସେଇଠି କରିବୁ। ମୋଟେ ହଇରାଣ ହେଇ ବର୍ଷା, ଶୀତ, ରାତବିକାଳିରେ ଗାଁକୁ ନବୁନି। ସୁବିଧା ହେଲେ ଗାଁକୁ ନବୁ, ନ ହେଲେ ତୋର ଯେଉଁଠି ସୁବିଧା ଓ ଇଚ୍ଛା ସେଇଠି କରିବୁ। ଗାଁକୁ ନେଇ ନ ପାରିଲେ ମୋ ବ୍ୟାଗ୍‌‌ରେ ଗୋଟେ ପୁଡ଼ାରେ ଗାଁ ଦାଣ୍ଡରେ ଧୂଳି ଟିକିଏ ଅଛି। ତାକୁ ମୋ ଉପରେ ପକେଇଦେବୁ।’ ବୋଉର ଏହି କଥା ତକ ଶୁଣି ମୁଁ ଅଭିଭୂତ ଏବଂ ବିହ୍ୱଳିତ ହୋଇଗଲି। ‘ଗାଁ ମାଟି ମୋ ସ୍ୱର୍ଗଦ୍ୱାର’ ବୋଲି ନନା କହିଥିଲେ। ‘ଗାଁ ଦାଣ୍ଡ ଧୂଳି ମୋ ଶରଧା ବାଲି’ ବୋଲି ବୋଉ କହିଲା। ଗାଁ ମାଟିର ମମତା କେତେ ତୀବ୍ର ହୋଇପାରେ ଏବଂ ଜଣଙ୍କର ଚେତନାକୁ ଆଚ୍ଛନ୍ନ କରି ରଖିପାରେ ତାହା ଫୁଟି ଉଠିଥିଲା ଏଇ କେତେପଦ କଥାରେ। ଏହାର ହୃଦୟସ୍ପର୍ଶୀ ଆବେଦନ ଆଜୀବନ ରହିବ ମୋ ଭିତରେ ଏକ ସାନ୍ଦ୍ର ଆବେଗ ରୂପରେ। ଯେତେବେଳେ କି ମନେ ପଡ଼ିଗଲେ ଆଖି ଆପଣାଛାଏଁ ଓଦା ହୋଇଯିବ।

ପ୍ରଥିତଯଶା କବି ସଚ୍ଚି ରାଉତରାୟ ତାଙ୍କ ‘ଛୋଟ ମୋର ଗାଁଟି’ କବିତାରେ ଯଦିଓ ଗାଁ ମାଟିର ଜୟଗାନ କରି ଲେଖିଥିଲେ- ‘ମାଟିର ସେଇ ସରଗ ମୋର / ସେଇଠି ଅଛି ମୋ ଷଠୀ ଘର / ଜଳିବ ପୁଣି ସେଇଠି ଶେଷେ / ମୋହର ଚିତା ନିଆଁଟି / ଛୋଟ ମୋର ଗାଁଆଟି’- କିନ୍ତୁ କଟକରୁ ତାଙ୍କ ଗାଁ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ବିଶେଷ ଦୂର ନ ହେଲେ ମଧ୍ୟ ସେଇ ‘ସରଗ ମାଟି’କୁ ଯାଇ ପାରିଲେ ନାହିଁ। କଟକ ସତୀଚଉରାରେ ଅନ୍ତିମଶଯ୍ୟା ଗ୍ରହଣ କଲେ। କେଡ଼େ କେଡ଼େ ପ୍ରତିଷ୍ଠିତ ଲୋକମାନେ ଗାଁ ମାଟିର ମମତା ଓ ମହକ ଏଡ଼େଇ ନ ପାରି ଅନ୍ତିମ ଜୀବନ ଗାଁରେ କଟେଇଛନ୍ତି ଏବଂ ସେଇଠି ହିଁ ତାଙ୍କ ଚିତା ନିଆଁ ଜଳିଛି। ଉଦାହରଣ ହେଲେ ପ୍ରଫେସର ଭୁବନେଶ୍ୱର ବେହେରା। କଳାହାଣ୍ଡି ଜିଲ୍ଲାର ନିଜ ଗାଁ ମୁଣ୍ଡରାଗୁଡ଼ାରେ ରହିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ ଝାରସୁଗୁଡ଼ା ଭିତରେ ତାଙ୍କ ଗାଁରେ ରହିଲେ। ଆଇଏଏସ୍‌‌ ରାମଚନ୍ଦ୍ର ପାତ୍ର ତାଙ୍କ ଗାଁ କଳାହାଣ୍ଡି ଧର୍ମଗଡ଼ ନିକଟରେ ରହିଲେ। ସହରରେ ରହି ମଧ୍ୟ ଗାଁ ସହ ଯୋଡ଼ି ହୋଇ ରହିବା କଥାଟି ହୋଇପାରିବ ଏବଂ ତାହା ହିଁ ବ୍ୟକ୍ତିକୁ ନିଜ ମାଟିର ଏକ ସ୍ୱର୍ଗୀୟ ଅମୃତ ଅନୁଭବ ଆଣିଦେବ। ଏଇଟା ଭାବ ଜଗତର କଥା। ଗାଁରୁ ସମ୍ପର୍କ ତୁଟାଇ ଦେଇ ସହରରେ ରହୁଥିବା କିଛିଲୋକ ବେଳେବେଳେ କୁହନ୍ତି- ‘ଆମେ ଅନେକ ଦିନ ହେବ ଗାଁ ଛାଡ଼ି ଦେଲୁଣି। ଆମେ ତ ଏଠି ଘର କରି ସାରିଲୁଣି। ଗାଁ ସହ ଆମର ଆଉ ସମ୍ପର୍କ ନାହିଁ।’ ଏଇ କଥାଟା କହିଲା ବେଳେ ତାଙ୍କ ଭିତରେ ସହରିଆ ହୋଇଥିବାର ଏକ ମିଥ୍ୟା ଆଭିଜାତ୍ୟ ଏବଂ ଗାଁ ପ୍ରତି ଏକ ଅବଜ୍ଞା ମିଶି ଫୁଟି ବାହାରୁଥାଏ। ଏକଥା ମୁଁ କେତେକଙ୍କ ମୁହଁରୁ ଶୁଣି କଷ୍ଟ ପାଇଛି। ତାଙ୍କୁ କିଛି କହି ପାରିନାହିଁ। କିନ୍ତୁ ମୋ ଭିତରଟା ମନ୍ଥି ହୋଇଯାଇଛି। ମୋର ବ୍ୟକ୍ତିଗତ ବିଚାର ହେଲା ନିଜ ଜନ୍ମମାଟି ଗାଁକୁ ଭୁଲିଯିବା ବା ଅବଜ୍ଞା କରିବା ଏକ ଗ୍ରାମଦ୍ରୋହ। ଆଉ ଗୋଟିଏ ଦୃଷ୍ଟିରୁ ମାତୃଦ୍ରୋହ।

ବୋଉ ଚାଲିଯିବାର ଆଜି ହେଇଗଲା ବାରଦିନ। ମୋ ବୋଉର ଦେହାନ୍ତ ଆଦୌ ଏକ ସମ୍ବାଦ ନୁହେଁ ସମସ୍ତଙ୍କ ପାଇଁ। ଇଏ ଏକ ସାଧାରଣ କଥା। କିନ୍ତୁ ମୋ ବୋଉର ପ୍ରୟାଣରେ ଗାଁ ଶ୍ମଶାନ ସ୍ୱର୍ଗଦ୍ୱାରରେ ଏବଂ ଗାଁ ଦାଣ୍ଡର ଧୂଳି ଶରଧାବାଲିରେ ରୂପାନ୍ତରିତ ହୋଇଯିବା ଭାବନାଟି ନିଶ୍ଚିତ ଭାବରେ ଅନନ୍ୟ, ଆବେଗିକ ଏବଂ ପ୍ରାସଙ୍ଗିକ। ଉଭୟ ମୋ ନନା ଏବଂ ବୋଉଙ୍କର ଏ ବିଚାର ଆମ୍ଭମାନଙ୍କୁ ଗାଁ ମାଟି ମନସ୍କ କରିବାରେ ଏକ ପ୍ରେରକ ତତ୍ତ୍ୱ ଭାବରେ କାର୍ଯ୍ୟ କରିବ- ଏଇ ଉଦ୍ଦେଶ୍ୟରେ ଏ ଆଲେଖ୍ୟ। ଏ କଥା ଲେଖିବା ବେଳେ ମୋର ସମସ୍ତ ଅନୁଭବକୁ ପ୍ରକାଶ କରିବା ପାଇଁ ଭାଷାର ଅଭାବ ମୋ ପାଖରେ। ମୋ ଆଖି ଆଗରେ ଦିଶିଯାଉଛି ବୋଉର ହସ ହସ ପରିତୃପ୍ତ ମୁହଁ। ଓଁ ଶାନ୍ତି।

ଡ. ଶାନ୍ତନୁ କୁମାର ରଥ
ଭୁବନେଶ୍ୱର, ମୋ: ୯୪୩୭୪୮୦୮୦୬

About The Author: The Sakala