ଦୁର୍ଦ୍ଦଶାରେ ଜୀବନ୍ତ ଠାକୁର

ଯଦି ଜଣେ ବାପା ନିଜ ସନ୍ତାନର ପ୍ରଥମ ପାଦ ବଢ଼଼ାଇବା ପାଇଁ ସାହାଯ୍ୟ କରି ପାରନ୍ତି ତେବେ ସେହି ପୁଅ ନିଜ ବାପାର ଶେଷ ପାଦ ଉଠାଇବା ପାଇଁ କାହିଁକି ସାହାଯ୍ୟ କରେ ନାହିଁ? ଯେଉଁ ପିଲାଙ୍କ ଖୁସି ପାଇଁ ମା’ବାପା ନିଜର କଷ୍ଟାର୍ଜିତ ଅର୍ଥରୁ ଗୋଟି ଗୋଟି କରି ସବୁ ହସିହସି ଖର୍ଚ୍ଚ କରିଦେଇଥା’ନ୍ତି, ସେହି ପିଲାମାନେ ବଡ଼ ହେବା ପରେ ମାତାପିତାଙ୍କ ପାଇଁ ଚଷମାଟିଏ ମଧ୍ୟ କିଣି ଦେବା ପାଇଁ କାହିଁକି କୁଣ୍ଠାବୋଧ କରନ୍ତି? […]

ଯଦି ଜଣେ ବାପା ନିଜ ସନ୍ତାନର ପ୍ରଥମ ପାଦ ବଢ଼଼ାଇବା ପାଇଁ ସାହାଯ୍ୟ କରି ପାରନ୍ତି ତେବେ ସେହି ପୁଅ ନିଜ ବାପାର ଶେଷ ପାଦ ଉଠାଇବା ପାଇଁ କାହିଁକି ସାହାଯ୍ୟ କରେ ନାହିଁ? ଯେଉଁ ପିଲାଙ୍କ ଖୁସି ପାଇଁ ମା’ବାପା ନିଜର କଷ୍ଟାର୍ଜିତ ଅର୍ଥରୁ ଗୋଟି ଗୋଟି କରି ସବୁ ହସିହସି ଖର୍ଚ୍ଚ କରିଦେଇଥା’ନ୍ତି, ସେହି ପିଲାମାନେ ବଡ଼ ହେବା ପରେ ମାତାପିତାଙ୍କ ପାଇଁ ଚଷମାଟିଏ ମଧ୍ୟ କିଣି ଦେବା ପାଇଁ କାହିଁକି କୁଣ୍ଠାବୋଧ କରନ୍ତି? ଜୀବନସାରା ନିଜର ଖୁସିକୁ ସନ୍ତାନମାନଙ୍କ ପାଇଁ ଉତ୍ସର୍ଗ କରିଦେଇଥିବା ନିଜ ମା’ ବାପାଙ୍କୁ କେଉଁ ଅପରାଧରେ ପରିଣତ ବୟସରେ ନିର୍ଯାତନା ଦେଇ ମୃତ୍ୟୁମୁଖକୁ ଠେଲି ଦିଆଯାଏ?

ଅକ୍ଟୋବର ମାସ ୧ ତାରିଖ ପରିଣତ ବୟସରେ ଉପନୀତ ବୃଦ୍ଧବୃଦ୍ଧାଙ୍କ ପାଇଁ ସମର୍ପିତ ଦିନଟିଏ। ତା’ପରଦିନ ୨ ତାରିଖ ଦିନ ପିତୃପକ୍ଷର ଶେଷ ଦିନ ବା ମହାଳୟା। ଜନ୍ମଦାତାଙ୍କ ମୃତ୍ୟୁ ପରେ ଆମେ ଲକ୍ଷ ଲକ୍ଷ ଟଙ୍କା ସାରି ଶୁଦ୍ଧକ୍ରିୟା କରୁଛେ, ପ୍ରୟାଗରାଜ ଯାଇ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରୁଛେ। ଦରିଦ୍ର ଭୋଜନ, ବ୍ରାହ୍ମଣ ଭୋଜନ ଆଦି ଆୟୋଜନ କରୁଛେ। ପିତୃ ପକ୍ଷ ଉପଲକ୍ଷେ ଆମ ପିତୃପୁରୁଷଙ୍କ ଶାନ୍ତି ଓ ମୋକ୍ଷ ପାଇଁ ବ୍ରାହ୍ମଣ ଭୋଜନ, ପିଣ୍ଡଦାନ ଓ ତିଳ ତର୍ପଣ ଆଦି କରୁଛେ। ଗରୁଡ଼ ପୁରାଣ ହିସାବରେ ଏହା ଆମେ ପ୍ରତିବର୍ଷ କରିବା କଥା। ଏହାସହିତ ଆମେ ଆତ୍ମସମୀକ୍ଷା ମଧ୍ୟ କରିବା ଦରକାର ଯେ ଯେଉଁ ପିତୃପୁରୁଷମାନଙ୍କୁ ମୃତ୍ୟୁ ପରେ ଆମେ ଏତେ ଭକ୍ତି ଓ ଅର୍ଚ୍ଚନା କରୁଛନ୍ତି ସେମାନଙ୍କ ଜୀବଦ୍ଦଶାରେ ଆମେ ତାଙ୍କର ଉପଯୁକ୍ତ ଯତ୍ନ ନେଇଥିଲେ କି ନାହିଁ। ମଣିଷ ଭଳିଆ ବ୍ୟବହାର କରିଥିଲେ କି ନାହିଁ। ଘରେ ଯତ୍ନରେ ରଖି ସେମାନଙ୍କୁ ଭଲରେ ଖାଇବାକୁ ମୁଠିଏ ଦେଇଥିଲେ କି ନାହିଁ।

ଆମେମାନେ ଯେତେ ବଡ଼ ହୋଇଗଲେ ମଧ୍ୟ, ଯେତେ ଶୀର୍ଷ ସ୍ଥାନକୁ ଗଲେ ମଧ୍ୟ ଆମ ପିଲାବେଳ କଥା କେବେହେଲେ ଭୁଲି ପାରିବାନି। ସେ ବାପା ଯିଏ ଆମର ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜକୁ ସର୍ବସ୍ୱାନ୍ତ କରି ଦେଇଥା’ନ୍ତି। ମାଆର ପଣତ କାନି, ଯାହା ତଳେ ଆମ ପିଲାଦିନ ହସ ଖୁସିରେ କଟିଥିଲା; ଯିଏ ସାରା ରାତି ଅନିଦ୍ରା ରହି ଆମକୁ ଗୀତ ଶୁଣାଇ ସୁଖ ନିଦ୍ରା ଦେଇଥିଲା; ଆମର ପ୍ରତିଟି ଇଚ୍ଛା, ଖୁସି, ସୁଖ ଓ ସ୍ୱପ୍ନକୁ ସାକାର କରିବା ନିଜ ସୁଖ ଶାନ୍ତ ବଳି ଦେଇଥିଲା; ତା’ର ପରିଣତ ବୟସରେ ଯେତେବେଳେ ସେମାନଙ୍କ ଆଖିର ନିଦ ହଜିଯାଏ, ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ, ସେତେବେଳେ ଆମେ କରୁ କଣ? ପିଲାମାନେ ପିତାମାତାଙ୍କ ପାଇଁ ଖର୍ଚ୍ଚ କରିବା ବଦଳରେ ସଞ୍ଚୟ କରିବା ଖୁବ ଭଲରେ ଶିଖିଛନ୍ତି। ନିଜର ଅସହାୟ, ଦୁର୍ବଳ ଓ ନିରାଶ୍ରୟ ପିତାମାତାଙ୍କୁ ଘରୁ ବାହାର କରିଦେବା ସମାଜର ସବୁଠାରୁ ବଡ଼ ଓ ଅପ୍ରିୟ ସତ୍ୟ ହୋଇଯାଇଛି ଏବଂ ବହୁତ ପରିବାରର ବାସ୍ତବତା ହୋଇ ଯାଇଛି।

ଆମର ହାତ ମୁଣ୍ଡକୁ ପାଇଗଲା ପରେ ଆମେ ପୂଜା ଘର ସହିତ ଅଟ୍ଟାଳିକା ତିଆରି କରୁଛେ। ଅଥଚ ଭଗବାନଙ୍କ ସମାନ ବାପାମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସୁଛେ। ସେହିପରି ବାପାଙ୍କ ନାମକୁ ନିଜ ସହିତ ବ୍ୟବହାର କରି ସବୁ ଫାଇଦା ନେଉଛେ। କିନ୍ତୁ ବାପାଙ୍କୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ମରିବାକୁ ଛାଡ଼ି ଦେଉଛେ। ପିତାମାତାଙ୍କ ଆଶୀର୍ବାଦରେ ଏତିକି ଶକ୍ତି ରହିଥାଏ ଯେ ବିଧିର ବିଧାନକୁ ମଧ୍ୟ ବଦଳାଇ ଦିଏ। ଘରୁ ପିତାମାତାଙ୍କୁ ବାହାର କରିଦେବା ବେଳେ ଏହି କଥା ହୁଏତ ଆମ ମନରେ ଆସି ଯାଆନ୍ତା କି!

ଆମ ଦେଶ ଶ୍ରବଣ କୁମାରଙ୍କ ପରି ପୁତ୍ରକୁ ଜନ୍ମ ଦେଇ ଗର୍ବ କରି ଆସିଛି। ସାରା ଦେଶରେ ଶ୍ରବଣ କୁମାରଙ୍କ ପରି ବହୁତ ସନ୍ତାନ ଅଛନ୍ତି। କିନ୍ତୁ କିଛି ସନ୍ତାନ ଏତେ ଘୃଣ୍ୟ ଅପରାଧ କରୁଛନ୍ତି, ଯେଉଁମାନେ କି ନିଜର ବୃଦ୍ଧ ପିତାମାତାଙ୍କୁ ଖାଇବାକୁ ନ ଦେଇ, ଦେହ ଖରାପ ହେଲେ ଔଷଧ ନ ଦେଇ, ଏପରିକି ମାଡ଼ ମାରି ଘରୁ ବାହାର କରି ଦେଉଛନ୍ତି। ମା’ ର ଚରଣରେ ସ୍ୱର୍ଗ ଏବଂ ବାପାଙ୍କ ଚେହେରାରେ ଈଶ୍ୱର ଆଉ ଆଜିକାଲି କେହି ଦେଖିବାକୁ ଚାହୁଁନାହାନ୍ତି। ଆଜିର ପିଢ଼ି ବହୁତ ହୁସିଆର, ବ୍ୟବହାରିକ ଓ ବୁଦ୍ଧିମାନ ହୋଇଗଲେଣି। ସେମାନଙ୍କ ପାଇଁ ପ୍ରତ୍ୟେକ ସମ୍ପର୍କ ଏକ ସିଡ଼ି ଭଳିଆ, ଯାହା ଉପରେ ଚଢ଼ି ସେମାନେ ଆଗକୁ ଚାଲି ଯାଆନ୍ତି। ଆଉ ଯେତେବେଳେ ମୁଣ୍ଡକୁ ହାତ ପାଇଯାଏ ଏବଂ ସେହି ସିଡ଼ି ଆବଶ୍ୟକ ନାହିଁ, ସେତେବେଳେ ତା’କୁ ବାହାରେ ଫୋପାଡ଼ି ଦିଆଯାଏ।

ଜୀବନ ଗଛ ପରି ବଢ଼଼ି ଥାଏ, ସିଡ଼ି ପରି ଉପରକୁ ଯାଏ ନାହିଁ। ଆମେ ସର୍ବଦା ଜାଣି ରଖିବା ଉଚିତ ଯେ ପିତାମାତା ସିଡ଼ି ନୁହନ୍ତି, ବରଂ ସେମାନେ ଗୋଟିଏ ଝଙ୍କାଳିଆ ବରଗଛ ପରି। ବରଗଛ ଯେତେବଡ଼ ହୋଇଯାଉନା କାହିଁକି, ଯେତେ ଝଙ୍କାଳିଆ ହୋଇଗଲେ ମଧ୍ୟ ମୂଳ ବା ଚେରକୁ କାଟିଦେଲେ ନିଶ୍ଚୟ ଝାଉଁଳି ପଡ଼ିବ। ଆମ ସମାଜରେ ଗୋଟିଏ ପ୍ରଥା ସନ୍ତାନମାନେ ଆପଣେଇଛନ୍ତି। ଯେଉଁ ପିତାମାତାଙ୍କ ଏକାଧିକ ସନ୍ତାନ ଅଛନ୍ତି, ସେମାନେ ମା’ ବାପାଙ୍କୁ ଭାଗ କରି ପାଖରେ ରଖୁଛନ୍ତି। ଜଣେ ପୁଅ ଛଅ ମାସ ରଖିଲେ ଆଉ ଜଣେ ବାକି ଛଅ ମାସ ପାଇଁ ରଖୁଛି। ପିତାମାତା କ’ଣ ପଣ୍ୟ ଦ୍ରବ୍ୟ ଯେ ତାଙ୍କୁ ଭାଗ ବଣ୍ଟା କରାଯିବ? ଯେଉଁ ପିତାମାତା ଆମେ ଛୋଟ ଓ ଅସହାୟ ଥିଲା ବେଳେ ପାତର ଅନ୍ତର ନକରି ସମାନ ଦେଖୁଥିଲେ, ସେହି ପିତାମାତାଙ୍କ ଶେଷ ସମୟରେ ଆମେ ଭାଗ କରିବା କେତେଦୂର ଯୁକ୍ତିଯୁକ୍ତ? କ’ଣ ଏହିଦିନ ପାଇଁ ମଣିଷ ସନ୍ତାନ କାମନା କରିଥାଏ?

ପିଲାମାନେ ନିଶ୍ଚୟ ଭୁଲି ଯାଉଛନ୍ତି ଯେ ଯାହା ଆଜି ପିତାମାତାଙ୍କ ଅବସ୍ଥା ତାଙ୍କର ଆସନ୍ତାକାଲି ସେଇୟା ହେବ। ସେମାନେ ଆଜି ଯାହା ନିଜ ପିତାମାତାଙ୍କ ପାଇଁ କରୁଛନ୍ତି ସେଇଆ ବହୁତ ଶୀଘ୍ର ସେମାନଙ୍କ ସନ୍ତାନମାନେ ଅନୁସରଣ କରିବେ। କାରଣ କଥାରେ ଅଛି ତଳ ବରଡ଼ା ଖସୁଛି, ଉପର ବରଡା ହସୁଛି, ମଝି ବରଡ଼ା କହୁଛି ତୋ ଦିନ କାଳ ଆସୁଛି। ଅନ୍ୟକୁ ଖୁସି କରିବା ପାଇଁ ନିଜ ପିତାମାତାଙ୍କ ଉପରେ କ୍ରୋଧାନ୍ୱିତ ହେବା ଅତ୍ୟନ୍ତ ପରିତାପର ବିଷୟ। ଆମେ ଯଦି ପିତାମାତାଙ୍କ ହାତ ଧରି ରଖିବା, ଆମକୁ ଅନ୍ୟର ପାଦ ଧରିବାକୁ ପଡ଼ିବ ନାହିଁ। ପିତାଙ୍କ କ୍ଷମତା ଓ ମା’ ର ମମତାର କଳନା କରିବା ସମ୍ଭବ ନୁହେଁ। ଯେଉଁ କାନ୍ଧ ଉପରେ ବସି ଆମେ ପିଲାଦିନେ କେତେ ଯାତ୍ରା ଦେଖିଥିଲେ ଆଜି ସେଇ କାନ୍ଧ ନଇଁ ଯାଇଛି। ଆମର କୁନି କୁନି ହାତଧରି ଆମକୁ ଦିନେ ପିତାମାତାଙ୍କ ଯେଉଁ ହାତ ଚାଲିବା ଶିଖାଇଥିଲା ଆମେ ଚିନ୍ତା କରିବା କଥା ଆଜି ସେହି ହାତ ଥରୁଛି। ଆମମାନଙ୍କ ଲାଳନ ପାଳନ ଓ ଭବିଷ୍ୟତ ତିଆରି ପାଇଁ ଖାଲି ହୋଇଯାଇଛି। ଆଜି ସେହି ଥର ଥର ଅସହାୟ ହାତକୁ ଆମେ ଛାଡ଼ି ଦେବା କାହିଁକି ଓ କେମିତି?

ମାତାପିତା ହେଉଛନ୍ତି ଜୀବନ୍ତ ଠାକୁର ଓ ପ୍ରଥମ ଶିକ୍ଷକ ମଧ୍ୟ। ତେଣୁ ପିତାମାତାଙ୍କୁ ବଞ୍ଚଥିବା ବେଳେ ଆମେ ଉପଯୁକ୍ତ ସମ୍ମାନ ଦେଇ, ଶିଶୁମାନଙ୍କ ପରି ସେବାଶୁଶ୍ରୁଷା କଲେ ସେମାନଙ୍କ ଆତ୍ମା ଯେଉଁ ଶାନ୍ତିରେ ରହିବ ତାହା ହିଁ ଆମ ପାଇଁ ଓ ଆମ ସନ୍ତାନମାନଙ୍କ ପାଇଁ ଆଶୀର୍ବାଦ ସଦୃଶ୍ୟ ହେବ। ଏହା ସମସ୍ତେ ମନେ ରଖିବା ଉଚିତ।

ଡ. ସମୀର କୁମାର ନନ୍ଦ
ମୋ: ୯୪୩୭୨୧୮୯୧୭

About The Author: The Sakala