ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ; ଆସନ୍ତୁ ଜାଣିବା ମହାଦେବଙ୍କ ମହିମା ମଣ୍ଡିତ ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ବିଷୟରେ…

ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦିଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ। ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ। ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ। ଏହି ଗୁମ୍ଫା ସମ୍ପର୍କିତ ଅନେକ ପୌରାଣିକ କାହାଣୀ ରହିଛି। ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ମଧ୍ୟ ଶିବଙ୍କ ମହିମା ମଣ୍ଡିତ ଏବଂ ଏହିସବୁ ଗୁମ୍ଫାଗୁଡ଼ିକରେ ଥିବା ରହସ୍ୟ ମଧ୍ୟ ଅଭେଦ୍ୟ। ଏହି […]

ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦିଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ। ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ। ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ। ଏହି ଗୁମ୍ଫା ସମ୍ପର୍କିତ ଅନେକ ପୌରାଣିକ କାହାଣୀ ରହିଛି। ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ମଧ୍ୟ ଶିବଙ୍କ ମହିମା ମଣ୍ଡିତ ଏବଂ ଏହିସବୁ ଗୁମ୍ଫାଗୁଡ଼ିକରେ ଥିବା ରହସ୍ୟ ମଧ୍ୟ ଅଭେଦ୍ୟ। ଏହି ଗୁମ୍ଫାଗୁଡ଼ିକରେ ମହାଦେବଙ୍କ ମହିମା ମଣ୍ଡିତ ଅନେକ ଅଲୌକିକ ସତ୍ତା ରହିଛି, ଯାହାକି ଅଭେଦ୍ୟ। ତେବେ ଏହି ରହସ୍ୟ ଭେଦ କରିବାକୁ ଗୁମ୍ଫା ଭିତରକୁ ଯାଇଥିବା ଅନେକ ବ୍ୟକ୍ତି ଆଉ ଫେରିନାହାନ୍ତି ବୋଲି କିମ୍ବଦନ୍ତୀ ଅଛି।

ଅମରନାଥ
ରହସ୍ୟମୟ ଶିବ ଗୁମ୍ଫା ଆଧାରରେ ଅମରନାଥ ସର୍ବାଗ୍ରେ ରହିଛି। ଶ୍ରୀନଗରଠାରୁ ୧୩୫ କିଲୋମିଟର ଦୂରତାରେ ଥିବା ଏହି ଗୁମ୍ଫା ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏଠାରେ ବରଫର ସ୍ବୟଂଭୂ ଶିବଲିଙ୍ଗ ପୂଜା ପାଇଥାନ୍ତି। ଏହି ସ୍ଥାନରେ ଆଉ ଦୁଇଟି ବରଫର ଶିବଲିଙ୍ଗ ବରଫ ଦ୍ବାରା ପ୍ରାକୃତିକ ଭାବେ ନିର୍ମିତ ହୋଇଥାଏ, ଯାହାକୁ ଭକ୍ତମାନେ ମା’ ପାର୍ବତୀ ଓ ଶ୍ରୀଗଣେଶ ଭାବେ ପୂଜା କରିଥାନ୍ତି। ଅମରନାଥରେ ଥିବା ବରଫ ଶିବଲିଙ୍ଗ ହେଉଛି ବିଶ୍ବର ଏକମାତ୍ର ଶିବଲିଙ୍ଗ, ଯାହାକି ଗୁମ୍ଫା ଭିତରେ ଥାଇ ମଧ୍ୟ ଚନ୍ଦ୍ରଦେବଙ୍କ ଆଲୋକ ସହିତ ସମାନ୍ତର ଭାବେ ବୃଦ୍ଧି ଓ କ୍ଷୟ ହୋଇଥାନ୍ତି। ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ସମ୍ପୂର୍ଣ୍ଣ ସ୍ବରୂପରେ ଥିବାବେଳେ ଅମାବାସ୍ୟାରେ ଶିବଲିଙ୍ଗର ଆକାର ହ୍ରାସ ହୋଇଥାଏ। ଏହି ଗୁମ୍ଫାରେ ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର ରହିବାର କଥା ଶୁଣାଇଥିଲେ। ସେତେବେଳେ ଏହି ଗୁମ୍ଫାରେ ଥିବା ଦୁଇଟି କପୋତ ଏହି କଥା ଶୁଣି ଦେଇଥିବାରୁ ସେମାନେ ମଧ୍ୟ ଅମର ହୋଇ ଏହି ଗୁମ୍ଫା ଭିତରେ ଅଛନ୍ତି ବୋଲି କୁହାଯାଉଛି। ଏହି ଗୁମ୍ଫାର ଆଉ ଏକ ରହସ୍ୟ ହେଉଛି, ଗୁମ୍ଫାରେ ଥିବା ବରଫ ବହୁତ ନରମ ହୋଇଥିବାବେଳେ ଶିବଲିଙ୍ଗ ସ୍ବରୂପ ବରଫ ଖଣ୍ଡ ବହୁତ ଶକ୍ତ ହୋଇଥାଏ।

ପାତାଳ ଭୁବନେଶ୍ବର
ଉତ୍ତରାଖଣ୍ଡର ପିଥୋରଗଡ଼ରେ ରହିଛି ପାତାଳ ଭୁବନେଶ୍ବର ଗୁମ୍ଫା, ଯାହାକି ୯୦ ଫୁଟ ଗଭୀର ଏବଂ ୧୬୦ ମିଟର ଲମ୍ବା। ଆଦି ଶଙ୍କରାଚାର୍ଯ୍ୟଙ୍କୁ ପାତାଳ ଭୁବନେଶ୍ବର ଗୁମ୍ଫାର ସନ୍ଧାନ ମିଳିଥିଲା। ଅଷ୍ଟମ ଶତାବ୍ଦୀରେ ଏହି ଗୁମ୍ଫାରୁ ନାଗରାଜାଙ୍କର ଅବଶେଷ ମିଳିଥିଲା। ଏହି ଗୁମ୍ଫାରେ ମହାଦେବଙ୍କ ସହିତ ତେତିଶକୋଟି ଦେବଦେବୀଙ୍କ ଦର୍ଶନ ସହିତ ଚାରିଧାମର ଦର୍ଶନ ମଧ୍ୟ ମିଳିଥାଏ ବୋଲି ଜନଶ୍ରୁତି ରହିଛି।

ଶିବଖୋରି
ଜମ୍ମୁର ରୟାସି ଜିଲ୍ଲାସ୍ଥିତ ସଙ୍ଗର ଗାଁରେ ଶିବଖୋରି ଗୁମ୍ଫା ୧୫୦ ମିଟର ଲମ୍ବା। ଏହା ଶିବାଲିକ ପର୍ବତମାଳାରେ ରହିଛି। ସ୍ଥାନୀୟ ଲୋକଙ୍କର ବିଶ୍ବାସ ରହିଛି ଯେ, ଏହି ଗୁମ୍ଫାରେ ସ୍ବୟଂ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ସହିତ ବିରାଜମାନ ଅଛନ୍ତି। ମାନ୍ୟତା ରହିଛି ଯେ, ଏହି ଗୁମ୍ଫାର ଶେଷ ଦ୍ବାର ଅମରନାଥ ଗୁମ୍ଫା ସହିତ ସଂଲଗ୍ନ ହୋଇଛି। ଏଠାରେ ଶିବ ଭସ୍ମାସୁରକୁ ଭସ୍ମରେ ପରିଣତ କରିଥିଲେ ବୋଲି କିମ୍ବଦନ୍ତୀ ମଧ୍ୟ ଅଛି। କୁହାଯାଏ ଯେ, ଯେଉଁ ବ୍ୟକ୍ତିମାନେ ଏହି ଗୁମ୍ଫା ଭିତରକୁ ଶିବଙ୍କ ସାକ୍ଷାତ ଦର୍ଶନ ପାଇଁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି। କାରଣ ଏହି ଗୁମ୍ଫାର ରାସ୍ତା ସ୍ବର୍ଗକୁ ଯାଇଛି ବୋଲି କୁହାଯାଏ। ଏହି ଗୁମ୍ଫା ଭିତରେ ପ୍ରାକୃତିକ ଭାବେ ୪ ଫୁଟର ଶିବଲିଙ୍ଗ ନିର୍ମାଣ ହୋଇଛି।

ଦୁର୍ବାସା ଗୁମ୍ଫା
ପୁରାଣ କଥା ଅନୁସାରେ, ମଧ୍ୟପ୍ରଦେଶ ଅମରକଣ୍ଟକର ଅନୁପପୁର ଜିଲ୍ଲାରେ ଭୋଳାନାଥ ତ୍ରିପୁର ନାମକ ରାକ୍ଷସର ବଧ କରିଥିଲେ। ଏହି ସ୍ଥାନରେ ଥିବା ଏକ ଗୁମ୍ଫାରେ ଋଷି ଦୁର୍ବାସା ଶିବଲିଙ୍ଗ ସ୍ଥାପନା କରି ଶିବଙ୍କ ଆରାଧନା କରୁଥିଲେ। ତେଣୁ ଉକ୍ତ ଗୁମ୍ଫାକୁ ଦୁର୍ବାସା ଗୁମ୍ଫା କୁହାଯାଏ। ଏହି ଗୁମ୍ଫାର ରହସ୍ୟ ହେଉଛି, ଏଠାରେ ଥିବା ଶିବଲିଙ୍ଗରେ ପ୍ରତିଦିନ ବୁନ୍ଦା ବୁନ୍ଦା ଜଳ ଦ୍ବାରା ଶିବାଭିଷେକ ହୋଇଥାଏ। ସ୍ବୟଂ ନର୍ମଦା ନଦୀ ଆସି ଶିବଙ୍କ ଅଭିଷେକ କରିଥାନ୍ତି ବୋଲି ବଶ୍ବାସ ରହିଛି। କିନ୍ତୁ ଏହି ଜଳ କେଉଁଠାରୁ ଆସୁଛି, ତାହା ରହସ୍ୟମୟ।

ତୁଲାର ଗୁମ୍ଫା
ଛତିଶଗଡ଼ର ବସ୍ତର ଜିଲ୍ଲାରେ ଭଗବାନ ଶିବଙ୍କୁ ସମର୍ପିତ ବହୁ ପୁରାତନ ଗୁମ୍ଫା ରହିଛି, ଯାହା ତୁଲାର୍‌ ନାମରେ ନାମିତ। ଏହି ଗୁମ୍ଫା ତିନୋଟି ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅବୁଝମାଡ଼ରେ ସ୍ଥିତ। ଏଠାରେ ପ୍ରତିଷ୍ଠିତ ଶିବଲିଙ୍ଗ ଉପରେ ଗୁମ୍ଫାର ଚଟାଣରୁ ସବୁବେଳେ ଜଳ ପତିତ ହୋଇଥାଏ। କିନ୍ତୁ ଏହି ଗୁମ୍ଫାକୁ କେଉଁଆଡ଼ୁ ଜଲଧାର ଆସୁଛି, ତାହା ବେଶ୍‌ ରହସ୍ୟମୟ। ଆଉ ଏକ ରହସ୍ୟ ହେଉଛି ଯେ, ଏହି ଜଳଧାର କେବଳ ଶିବଲିଙ୍ଗ ଉପରେ ପତିତ ହୋଇଥାଏ। ଆଉ ଏକ ପୌରାଣିକ କଥା ଅନୁସାରେ, ତପସ୍ୟା ପାଇଁ ବାଣାସୁର ଏହି ଗୁମ୍ଫାକୁ ତିଆରି କରିଥିଲେ।

About The Author: The Sakala