ଜାମନଗର : ରାସ୍ତାକଡରୁ ଆମିଷ ଠେଲା ବେପାରୀଙ୍କୁ ହଟାଇବା ନେଇ ଅହମ୍ମଦାବାଦ ପୌର ନିଗମ(ଏଏମସି) ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗୁଜୁରାଟ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। ନିଗମ ପ୍ରତି କଡ଼ା ଟିପ୍ପଣୀ ରଖୀ କୋର୍ଟ କହିଛନ୍ତି ଯେ, ଆପଣମାନେ କ୍ଷମତାରେ ଅଛନ୍ତି ବୋଲି ଯାହା କିଛି ନିଷ୍ପତ୍ତି ନେବେ ତାହା କରିପାରିବେନି । ଏଥିସହିତ କୋର୍ଟ ଏଏମସିକୁ ପ୍ରଶ୍ନ କରିଛନ୍ତି ଯେ, ଜନସାଧାରଣଙ୍କ ଖାଦ୍ୟ ପସନ୍ଦ ସହିତ ନାଗରିକ ସଂସ୍ଥାର କଣ ସମ୍ପର୍କ ଅଛି?
ଲୋକମାନେ କଣ ଖାଇବେ ତାହାକୁ ଆପଣ କିଭଳି ସ୍ଥିର କରିପାରିବେ? କ୍ଷମତାରେ ଥିବାରୁ ଆପଣ ଯାହା ଚାହିଁବେ ତାହା କ’ଣ କରିବେ କି ବୋଲି ଏ ସମ୍ପର୍କିତ ଏକ ମାମଲାର ବିଚାର ପରିପ୍ରେକ୍ଷୀରେ ଜଷ୍ଟିସ ବିରେନ୍ ବୈଷ୍ଣବଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାସ୍ତା କଡରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ସମେତ କିଛି ଫଳ ଏବଂ ପରିବା ବ୍ୟବସାୟୀଙ୍କୁ ରାସ୍ତା କଡ଼ରୁ ହଟାଇବା ଲାଗି ଏଏମସି ପଦକ୍ଷେପ ନେଇଥିଲା ବେଳେ ସେମାନେ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।