ଇସ୍ରାଏଲ ତଟରେ ଆମେରିକାର ପରମାଣୁ ବୁଡ଼ାଜାହାଜ, ହମାସ୍‌ ମୁଖ୍ୟ ସିନୱାରକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ

ୱାଶିଂଟନ୍‌: ହମାସ୍‌ ବିରୋଧରେ ଇସ୍ରାଏଲ ଜାରି ରଖିଥିବା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଇସ୍ରାଏଲ ସମେତ ଏହାକୁ ସମର୍ଥନ କରିଥିବା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଇରାନ,ଲେବାନନ,ସରିଆ, କାତାର ଆଦି ବହୁ ଆରବୀୟ ରାଷ୍ଟ୍ର ଏକାଠି ହୋଇଥିଲା ବେଳେ ଏହିସବୁ ରାଷ୍ଟ୍ରର ବହୁ କଠୋରପନ୍ଥୀ ଇସଲାମିକ୍‌ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ ଡକରା ଦେ ଇଛନ୍ତି। ଯାହାକୁ ନେଇ ମଧ୍ୟପ୍ରାଚ୍ୟ କୌଣସି ମୁହୂର୍ତ୍ତରେ ଯୁଦ୍ଧକ୍ଷେତ୍ର ପାଲଟିବାର ଆଶଙ୍କାକୁ ଏଡାଇ ଦିଆଯାଇପାରୁନି। କିନ୍ତୁ ଏହି […]

ୱାଶିଂଟନ୍‌: ହମାସ୍‌ ବିରୋଧରେ ଇସ୍ରାଏଲ ଜାରି ରଖିଥିବା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଇସ୍ରାଏଲ ସମେତ ଏହାକୁ ସମର୍ଥନ କରିଥିବା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଇରାନ,ଲେବାନନ,ସରିଆ, କାତାର ଆଦି ବହୁ ଆରବୀୟ ରାଷ୍ଟ୍ର ଏକାଠି ହୋଇଥିଲା ବେଳେ ଏହିସବୁ ରାଷ୍ଟ୍ରର ବହୁ କଠୋରପନ୍ଥୀ ଇସଲାମିକ୍‌ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ ଡକରା ଦେ ଇଛନ୍ତି। ଯାହାକୁ ନେଇ ମଧ୍ୟପ୍ରାଚ୍ୟ କୌଣସି ମୁହୂର୍ତ୍ତରେ ଯୁଦ୍ଧକ୍ଷେତ୍ର ପାଲଟିବାର ଆଶଙ୍କାକୁ ଏଡାଇ ଦିଆଯାଇପାରୁନି। କିନ୍ତୁ ଏହି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ଆମେରିକା। ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ପ୍ରଥମ ଦିନରୁ ଆମେରିକା ଇସ୍ରାଏଲ ସମର୍ଥନରେ ବାହାରିବା ସହିତ ରାଷ୍ଟ୍ରପତି ବାଇଡେନଙ୍କ ସମେତ ବହୁ ତୁଙ୍ଗ ନେତା ଇସ୍ରାଏଲ ଗସ୍ତ କରିସାରିଛନ୍ତି। ଏହାବ୍ୟତୀତ ଆମେରିକାର ଦୁଇ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ମଧ୍ୟ ଇସ୍ରାଏଲ ସମୁଦ୍ରତଟରେ ପଇଁତରା ମାରୁଛି। ଆମେରିକାର ଏହି ନୀତିକୁ ବହୁ ଆରବୀୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ଆମେରିକା ସୋମବାର ଏହାର ‘ଓହିଓ’ ଶ୍ରେଣୀର ଅତ୍ୟାଧୁନିକ ଆଣବିକ ବୁଡ଼ାଜାହାଜକୁ ପୁଣି ଇସ୍ରାଏଲ ତଟରେ ନିୟୋଜିତ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସାମରିକ ରଣନୀତି ଅନୁସାରେ ଏହି ଶ୍ରେଣୀର ବୁଡ଼ାଜାହାଜ ଗୁପ୍ତ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଥା। କିନ୍ତୁ ଆମେରିକାର ପ୍ରତିରକ୍ଷା ବିଭାଗ ଖୋଲାଖୋଲି ଭାବେ ଏହି ଆଣବିକ ବୁଡ଼ାଜାହାଜର ଅବସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଉଲ୍ଳେଖ କରିଛି। ଯାହାକି ଇସ୍ରାଏଲ ବିପକ୍ଷୀ ରାଷ୍ଟ୍ରମାନଙ୍କ ପାଇଁ ଆମେରିକାର ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଏହି ବୁଡ଼ାଜାହାଜରେ ୨୪ଟି ‘ଟ୍ରାଇଡେଣ୍ଟ-୨ ଡି୫’ ଆଣବିକ କ୍ରୁଜ୍‌ କ୍ଷେପଣାସ୍ତ୍ର ରହିଛି ଯାହାକି ହଜାର କିମିରୁ ଅଧିକ ଗତି କରିବାର କ୍ଷମତା ରଖିଛି। ଏହି ଜାହାଜକୁ ନିୟୋଜିତ କରି ଆମେରିକା ପରୋକ୍ଷରେ ଲେବାନନ, ତୁର୍କୀ ,ସିରିଆ,ୟେମେନ ଏବଂ ଇରାନ ଆଦି ରାଷ୍ଟ୍ରଙ୍କୁ ଚେତାବନୀ ଦେଇଥିବା ସ୍ପଷ୍ଟ ହୋଇଛି। ଇସ୍ରାଏଲ ବିରୋଧରେ ମିଳିତ ଯୁଦ୍ଧ ଆରମ୍ଭ କରିବାକୁ ଏହି ସବୁ ରାଷ୍ଟ୍ର ଏକାଠି ହେଉଥିବା ବେଳେ ସେମାନଙ୍କୁ ଠିକଣା ଜବାବ ଦେବାକୁ ଆମେରିକା ପ୍ରସ୍ତୁତ ହୋଇସାରିଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ଇସ୍ରାଏଲ ଉପରେ ଯଦି ଅନ୍ୟ କୌଣସି ରାଷ୍ଟ୍ର ଆକ୍ରମଣ କରେ ତେବେ ଆମେରିକା ଏହାର ଠିକଣା ଜବାବ ଦେବ ବୋଲି ପ୍ରଥମରୁ ସ୍ପଷ୍ଟ କରିଛି। କିନ୍ତୁ ଏଭଳି ସ୍ଥିତି ମଧ୍ୟପ୍ରାଚ୍ୟ ଭୂ-ରାଜନୀତିକୁ ଆହୁରି ଆହୁରି ଜଟିଳ କରିଛି ବୋଲି କୁହାଯାଉଛି।

ହମାସ୍‌ ମୁଖ୍ୟ ସିନୱାରକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ
ଇସ୍ରାଏଲର ଘନ ଘନ ଆକ୍ରମଣରେ ଗାଜାପଟି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଏଠାକାର ପ୍ରାୟ ୧୫ ରୁ ୧୭ ଲକ୍ଷ ଲୋକ ଏବେ ସୁଦ୍ଧା ବିସ୍ଥାପିତ ହୋଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନିର୍ବାହ ଯନ୍ତ୍ରଣାମୟ ହୋଇପଡ଼ିଛି। କିନ୍ତୁ ହମାସ୍‌କୁ ସମ୍ପୂର୍ଣ୍ଣ ନିର୍ମୂଳ ନ କରିବା ଯାଏ ଇସ୍ରାଏଲ ସେନା ଗାଜାରୁ ହଟିବ ନାହିଁ ବୋଲି ଇସ୍ରାଏଲ ସରକାର ନିଜ ପଣରେ ଅତୁଟ ରହିଛନ୍ତି। ବର୍ତ୍ତମାନ ହମାସ୍‌ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳଗୁଡିକୁ ଇସ୍ରାଏଲ ସେନା ନିଶାଣ କରି ଆକ୍ରମଣ ଜାରି ରଖିଥିଲା ବେଳେ ଏହାର ଗାଜାମୁଖ୍ୟ ୟାହିୟା ସିନୱାରକୁ ନିପାତ କରିବା ଲାଗି ଅପରେସନ ଆରମ୍ଭ କରିଛି। ଯଦି ଗାଜାବାସୀ ଯୁଦ୍ଧ ବନ୍ଦ ହେବାକୁ ଚାହୁଁଛନ୍ତି ତେବେ ସେମାନେ ସିନୱାରକୁ ହତ୍ୟା କରନ୍ତୁ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି। ନଚେତ୍‌ ଲକ୍ଷ୍ୟସାଧନ ନ ହେଲା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧରୁ ବିରତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି।

About The Author: The Sakala