ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍ କରିଥିବା କାରଣରେ ଦର୍ଶାଇଛି। ଏନେଇ ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟ୍ବିଟରେ ANIର ଆକାଉଣ୍ଟ ଦୃଶ୍ୟମାନ ଦେଉନାହିଁ। ANIର ଏହି ଟ୍ବିଟର ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ରହିଥିଲେ।
ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ଟ୍ବିଟର ପକ୍ଷରୁ ANIର ଆକାଉଣ୍ଟ ବ୍ଳକ ପରେ ପଠାଯାଇଥିବା ମେଲର ସ୍କ୍ରିନସଟ ସେୟାର କରିବା ସହ ANI ର ଟ୍ବିଟର ହ୍ୟାଣ୍ଡେଲ ଲକ୍ ହୋଇଥିବାର ଏକ ଫଟୋ ସେୟାର କରିଛନ୍ତି। ମେଲରେ ଲେଖା ଅଛି, “ଏକ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ, ଆପଣଙ୍କୁ ଅତି କମରେ ୧୩ ବର୍ଷ ହୋଇଥିବା ଆବଶ୍ୟକ | ଟ୍ୱିଟର ସ୍ଥିର କରିଛି ଯେ ତୁମେ ଏହି ବୟସ ଆବଶ୍ୟକତା ପୂରଣ କରୁନାହଁ, ତେଣୁ ତୁମର ଆକାଉଣ୍ଟ ଲକ୍ ହୋଇଯାଇଛି ଏବଂ ଟ୍ୱିଟରରୁ ହଟାଇଦିଆଯାଇଛି। ”
ANI ର ଟ୍ୱିଟର ଆକାଉଣ୍ଟ ଅଦୃଶ୍ୟ ହେବାର କିଛି ମିନିଟ୍ ପରେ, ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, “ଯେଉଁମାନେ ANI ଖବରକୁ ଅନୁସରଣ କରନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର, ଟ୍ୱିଟର ଭାରତର ସର୍ବବୃହତ ସମ୍ବାଦ ଏଜେନ୍ସିକୁ ଲକ୍ କରିଦେଇଛି। ଯେଉଁଥିରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଏହି ମେଲ୍ ପଠାଇଛନ୍ତି । ଆମର ବୟସ ୧୩ବର୍ଷରୁ କମ୍! ପ୍ରଥମେ ଆମର ଗୋଲଡେନ୍ ଟିକ୍କୁ ନେଇଥିଲେ। ଏହାପରେ ଆମେ ନୀଳ ଟିକ୍କୁ ଫେରିଥିଲୁ। କିନ୍ତୁ ଏବେ ଆମର ଆକାଉଣ୍ଟକୁ ହିଁ ଲକ୍ କରିଦେଲେ ବୋଲି ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟରେ ଲେଖିଛନ୍ତି।