ଭାରତର ବନ୍ଧୁ କହୁଥିବା ଟ୍ରମ୍ପଙ୍କ ଭାରତ ବିରୋଧୀ ଭୂମିକା, ଭାରତ ପ୍ରତି ବଢୁଛି ଟ୍ରମ୍ପଙ୍କ ଅସୂୟା ମନୋଭାବ

ନୂଆଦିଲ୍ଲୀ: ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣ ଘଟଣା ଓ ଭାରତ–ପାକିସ୍ତାନ ଯୁଦ୍ଧ ପରିସ୍ଥିିତି ବନ୍ଧୁ ବୋଲାଉଥିବା ଭାରତର ଶତ୍ରୁମାନଙ୍କ ମୁହଁରୁ ମୁଖା ଖୋଲିେଦଇଛି। ଏସୀୟ ଦେଶ ମଧ୍ୟରେ ଚୀନ ସହ ଭାରତର ମତାନ୍ତର ଓ ବିବାଦ ପୂର୍ବରୁ ଜଣାଶୁଣା ରହିଥିଲା, ମାତ୍ର ନିଜକୁ ଭାରତର ବନ୍ଧୁ କହୁଥିବା ଟ୍ରମ୍ପଙ୍କ ଭାରତ ବିରୋଧୀ ଭୂମିକା ଏବେ ସ୍ପଷ୍ଟ ହୋଇଛି। ଶୁଳ୍କ ନୀତିଠାରୁ ଆରମ୍ଭ କରି ଯୁଦ୍ଧ ବିରତିରେ ପାକିସ୍ତାନକୁ ସମର୍ଥନ କରିବା ପର୍ଯ୍ୟନ୍ତ ସବୁଠାରେ ଟ୍ରମ୍ପ୍‌ ପ୍ରଶାସନର ଭାରତ ପ୍ରତି […]

ନୂଆଦିଲ୍ଲୀ: ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣ ଘଟଣା ଓ ଭାରତ–ପାକିସ୍ତାନ ଯୁଦ୍ଧ ପରିସ୍ଥିିତି ବନ୍ଧୁ ବୋଲାଉଥିବା ଭାରତର ଶତ୍ରୁମାନଙ୍କ ମୁହଁରୁ ମୁଖା ଖୋଲିେଦଇଛି। ଏସୀୟ ଦେଶ ମଧ୍ୟରେ ଚୀନ ସହ ଭାରତର ମତାନ୍ତର ଓ ବିବାଦ ପୂର୍ବରୁ ଜଣାଶୁଣା ରହିଥିଲା, ମାତ୍ର ନିଜକୁ ଭାରତର ବନ୍ଧୁ କହୁଥିବା ଟ୍ରମ୍ପଙ୍କ ଭାରତ ବିରୋଧୀ ଭୂମିକା ଏବେ ସ୍ପଷ୍ଟ ହୋଇଛି। ଶୁଳ୍କ ନୀତିଠାରୁ ଆରମ୍ଭ କରି ଯୁଦ୍ଧ ବିରତିରେ ପାକିସ୍ତାନକୁ ସମର୍ଥନ କରିବା ପର୍ଯ୍ୟନ୍ତ ସବୁଠାରେ ଟ୍ରମ୍ପ୍‌ ପ୍ରଶାସନର ଭାରତ ପ୍ରତି ଅସୂୟା ମନୋଭାବ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି। ଏବେ ଭାରତରେ ନିବେଶ ରୋକିବାକୁ ଟ୍ରମ୍ପ ଯେପରି ଖୋଲାଖୋଲି ବାହାରିଛନ୍ତି ଓ ଆପଲ୍‌ କମ୍ପାନୀକୁ ଭାରତରେ କାରଖାନା ସ୍ଥାପନରୁ ରୋକିଛନ୍ତି; ସେଥିରୁ ଭାରତର ଅଗ୍ରଗତି ଓ ଆନ୍ତର୍ଜାତୀୟ ପ୍ରାଧାନ୍ୟକୁ ଆମେରିକା ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ ହୋଇ ଯାଇଛି। ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁଯାୟୀ କାତାର ରାଜଧାନୀ ଦୋହାରେ ଅନୁଷ୍ଠିତ ବ୍ୟବସାୟିକ ସମ୍ମିଳନୀରେ ଟ୍ରମ୍ପ୍‌ ଆପଲ୍‌ ସିଇଓ ଟିମ୍‌ କୁକ୍‌ଙ୍କୁ ଭାରତରେ ଆଇଫୋନ୍‌ ୟୁନିଟ୍‌ ସ୍ଥାପନରୁ ଓହରିବାକୁ ଟ୍ରମ୍ପ ଖୋଲାଖୋଲି ଧମକ ଦେଇଛନ୍ତି। ଏହା ସହ ଭାରତ ପରିବର୍ତ୍ତେ ଆମେରିକାରେ ଉତ୍ପାଦନ ବୃଦ୍ଧି ଉପରେ ସେ ପରାମର୍ଶ ଦେଇଛନ୍ତି।

କେବଳ ସେତିକି ନୁହେଁ; ଭାରତ ନିଜ କଥା ନିଜେ ବୁଝିପାରିବ ବୋଲି ଟିପ୍ପଣୀ ଦେଇ ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟିକ ସମ୍ପକ ଓ ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ଆଭିମୁଖ୍ୟକୁ ପରୋକ୍ଷରେ ଆଘାତ ଦେଇଛନ୍ତି। ଅପରପକ୍ଷରେ ଭାରତକୁ ଟ୍ରମ୍ପ ‘ଶୁଳ୍କ ରାଜା’ ବୋଲି କଟାକ୍ଷ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଯେ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ କିମ୍ବା ‘ଶୂନ୍ୟ ଶୁଳ୍କ’ ବାଣିଜ୍ୟ ଚୁକ୍ତି ନିମନ୍ତେ ଭାରତ ପ୍ରସ୍ତାବ ଦେଇଛି। ମାତ୍ର ଟ୍ରମ୍ପଙ୍କ ଏହି ଦାବିର ସତ୍ୟତା ସ୍ପଷ୍ଟ ହୋଇ ନାହିଁ।

ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରଠାରୁ ‘ଆମେରିକା ଫାଷ୍ଟ’ ନୀତିର ସମର୍ଥକ ହୋଇଆସୁଛନ୍ତି। ସେ ଆପଲ୍‌ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକୁ ଅନ୍ୟ ଦେଶ ବଦଳରେ ଆମେରିକାକୁ ଉତ୍ପାଦନ ସ୍ଥାନାନ୍ତର କରିବାକୁ କହିଛନ୍ତି, ଯାହାଦ୍ୱାରା ଏଠାରେ ଅଧିକରୁ ଅଧିକ ଲୋକ ଚାକିରି ପାଇପାରିବେ ଏବଂ ଆମେରିକୀୟ ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଏହା ପ୍ରଥମ ଥର ନୁହେଁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ବୟାନ ଦେଇଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଭାରତକୁ ଏକ ଶୁଳ୍କ ରାଜା ବୋଲି କହିସାରିଛନ୍ତି।

ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଶୁଳ୍କକୁ ନେଇ ଆଲୋଚନା ଚାଲିଛି। ପୂର୍ବରୁ ଆମେରିକା ଦ୍ୱାରା ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଲାଗୁ କରାଯାଉଥିବା ଶୁଳ୍କ ବିରୁଦ୍ଧରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ନିକଟରେ ଭାରତ ଅନୁମତି ପାଇଁ ଆବେଦନ କରିସାରିଛି। ସେ ପୂର୍ବରୁ କହିଥିଲେ ଯେ ଭାରତ ବିଦେଶୀ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଭାରତର ଉଚ୍ଚ଼ ଶୁଳ୍କ ଯୋଗୁଁ ଆମେରିକୀୟ ଉତ୍ପାଦଗୁଡ଼ିକ ଭାରତୀୟ ବଜାରରେ ତିଷ୍ଠି ରହିବା କଷ୍ଟକର ହୋଇପଡୁଛି। ଆମେରିକା ଦ୍ୱାରା ଚୀନ୍‌ ଉପରେ ଅଧିକ ଶୁଳ୍କ ଲାଗୁ ହୋଇଥିବାରୁ ଆପଲ୍‌ ଭଳି ଅନେକ କମ୍ପାନୀ ଭାରତକୁ ଉତ୍ପାଦନ ୟୁନିଟ ସ୍ଥାନାନ୍ତର କରିବାକୁ ରାଜି ହୋଇଥିଲେ। ଏବେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି ଏବଂ ଶୁଳ୍କ ହାର ହ୍ରାସ ହୋଇଛି। ଏଭଳି ସ୍ଥଳେ ଆପଲ୍‌ ସମେତ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ପ୍ଲାଣ୍ଟ ସ୍ଥାପନ ଯୋଜନା ପରିବର୍ତ୍ତନ କରିପାରନ୍ତି। ମାତ୍ର ଭାରତର ବିଶାଳ ବଜାର ଓ ଆବଶ୍ୟକତାକୁ ଦେଖି ଆପଲ୍‌ ଓ ଅନ୍ୟ କମ୍ପାନୀଗୁଡ଼ିକ ଟ୍ରମ୍ପଙ୍କ ନିର୍ଦ୍ଦେଶ ମାନିବେ କି ନାହିଁ ତାହା ଭବିଷ୍ୟତ ହିଁ କହିବ।

About The Author: The Sakala