‘ଏବେ ଯୁଦ୍ଧ ଶେଷ କର, ନହେଲେ କୋଟି କୋଟି ଲୋକ ମରିବେ’: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପଙ୍କ ଚେତାବନୀ

ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ 'ଶେଷ ପର୍ଯ୍ୟାୟ' ଶାନ୍ତି ଆଲୋଚନା ପରେ ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ମିଳିତ ପ୍ରେସମିଟରୁ ସୂଚନା ମିଳିଛି । ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଏହି ବୈଠକକୁ ‘ଚୂଡ଼ାନ୍ତ ପର୍ଯ୍ୟାୟ’ ବା ଶେଷ ପର୍ଯ୍ୟାୟର ଶାନ୍ତି ଆଲୋଚନା ବୋଲି ବର୍ଣ୍ଣନା କରାଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଯୁଦ୍ଧର ଭବିଷ୍ୟତ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୪ ବର୍ଷ ହେବ ଯୁବଦ୍ଧ ଚାଲିଥିବାରୁ ଏହାକୁ ବନ୍ଦ କରି ଦୁଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଛି । 

ବୈଠକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଏହି ଯୁଦ୍ଧର ଫଳାଫଳ ଦୁଇଟି ରାସ୍ତାରେ ଯାଇପାରେ - ହୁଏତ ସଂଘର୍ଷ ଏବେ ଶେଷ ହେବ, ନଚେତ୍ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଯଦି ଯୁଦ୍ଧ ଜାରି ରୁହେ, ତେବେ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି, ଯାହା କେହି ଚାହାନ୍ତି ନାହିଁ। ଟ୍ରମ୍ପ କହିଛନ୍ତି, "ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ଅଛୁ। ଏହାକୁ ଏବେ ଶେଷ କରିବାକୁ ପଡ଼ିବ, ନଚେତ୍ ଲକ୍ଷ ଲକ୍ଷ ଅତିରିକ୍ତ ଲୋକ ପ୍ରାଣ ହରାଇବେ।"

ଜେଲେନସ୍କିଙ୍କ ସହ ଭେଟିବା ପୂର୍ବରୁ, ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ଧରି ଫୋନରେ କଥା ହୋଇଥିଲେ। ଏହି ଆଲୋଚନାକୁ ସେ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ପୁଟିନ ଏଥର ଶାନ୍ତି ଚୁକ୍ତି ପାଇଁ ଗମ୍ଭୀର ଅଛନ୍ତି। ସେ କହିଛନ୍ତି, "ମୁଁ ଭାବୁଛି ଉଭୟ ନେତା ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ବହୁତ ଲୋକ ମୃତ୍ୟୁବରଣ କରିସାରିଲେଣି, ତେଣୁ ଏକ ସମାଧାନର ଆବଶ୍ୟକତା ରହିଛି।"

ସଙ୍କଟ ସମୟରେ ଜେଲେନସ୍କିଙ୍କ ନେତୃତ୍ୱ ଏବଂ ସାହସକୁ ଟ୍ରମ୍ପ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜେଲେନସ୍କି ଜଣେ କଠିନ ପରିଶ୍ରମୀ ଏବଂ ସାହସୀ ବ୍ୟକ୍ତି। ତାଙ୍କ ଦେଶର ଲୋକମାନେ ଯେଉଁ କଷ୍ଟ ସହିଛନ୍ତି, ତାହା ବିରଳ। ମାର-ଏ-ଲାଗୋ ବୈଠକ ପରେ ଟ୍ରମ୍ପ ପୁଣିଥରେ ପୁଟିନଙ୍କୁ ଫୋନ୍ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

About The Author: Madhusudan Das