ଲୁଚାଛପାରେ ଚାଲିଛି ପରମାଣୁ ପରୀକ୍ଷା ! , ପାକିସ୍ତାନ, ଚୀନର ମୁଖା ଖୋଲିଲେ ଟ୍ରମ୍ପ...

ବିଶ୍ୱକୁ ୧୫୦ଥର ଧ୍ୱଂସ କରିବା ପାଇଁ ପରମାଣୁ ଅସ୍ତ୍ର ଆମ ପାଖରେ ରହିଛି

ୱାସିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସମସ୍ତଙ୍କୁ ଚକିତ କଲା ଭଳି ମନ୍ତବ୍ୟ ଦେଇଛନ୍ତି। ପରମାଣୁ ଅସ୍ତ୍ର ପରୀକ୍ଷଣ ନେଇ ସେ ଏଥର ମନ୍ତବ୍ୟ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ପାକିସ୍ତାନ ପରମାଣୁ ଅସ୍ତ୍ର ପରୀକ୍ଷା କରୁଛି ବୋଲି ସେ କହିଛନ୍ତି। ରବିବାର ସିବିଏସ୍‌‌ ନ୍ୟୁଜିକୁ ସାକ୍ଷାତ୍‌‌କାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ପୁଣିଥରେ ଆମେରିକାକୁ ପରମାଣୁ ପରୀକ୍ଷଣ ଆରମ୍ଭ କରିବାର ଅବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଆମେରିକା ପାଖରେ ପର୍ଯ୍ୟାପ୍ତ ପରିମାଣର ପରୁମାଣୁ ଅସ୍ତ୍ର ରହିଛି। ଏହି ଅସ୍ତ୍ରକୁ ବ୍ୟବହାର କରି ଆମେରିକା ବିଶ୍ୱକୁ ୧୫୦ଥର ଧ୍ୱଂସ କରିବାର କ୍ଷମତା ରଖୁଛି ବୋଲି ସେ ଦାବି କରିଛନ୍ତି। ଉତ୍ତର କୋରିଆକୁ ବାଦ୍‌‌ ଦେଲେ ଆଉ କୌଣସି ଦେଶ ପରମାଣୁ ପରୀକ୍ଷା କରୁନାହାନ୍ତି। ତେଣୁ ଆମେରିକା କାହିଁକି ପରୀକ୍ଷା କରିବ ବୋଲି ପ୍ରଶ୍ନ ହେବାରୁ ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ଓ ଚୀନ୍‌‌ ଗୁପ୍ତ ଭାବେ ପରୀକ୍ଷା କରୁଛନ୍ତି। କିନ୍ତୁ ବିଶ୍ୱକୁ ଏ ନେଇ କୌଣସି ସୂଚନା ମିଳିନାହିଁ। ଟ୍ରମ୍ପ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ)କୁ ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବା ପାଇଁ ଆଦେଶ ଦେଇସାରିଛନ୍ତି।

 ସେ ପୁଣିଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ରୋକିବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି ବୋଲି କହିଛନ୍ତି। ଦକ୍ଷିଣ ଏସିଆର ଏହି ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବାର ଅବକାସ ସୃଷ୍ଟି ହୋଇଥିଲା। ଯଦି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନ କରାଇଥାନ୍ତି, ତାହେଲେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥାନ୍ତେ ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି। ମଧ୍ୟସ୍ଥତା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା ଓ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଗକୁ ବଢ଼଼ି ନଥିଲା। ପୂର୍ବରୁ ମଧ୍ୟ ଟ୍ରମ୍ପ ଏ ନେଇ ଏକାଧିକ ବାର ଦାବି କରିଆସିଛନ୍ତି। ସେ ମୋଟ ଉପରେ ୭୦ଥର ଏପରି ଦାବି କରିଛନ୍ତି। ଗତ ସପ୍ତାହରେ ଟ୍ରମ୍ପ ଦକ୍ଷିଣ କୋରିଆରେ ଏପରି ଦାବି କରିଥିଲେ। ଭାରତ ଓ ପାକିସ୍ତାନ ଉପରେ ୨୫୦ ପ୍ରତିଶତ ଟାରିଫ ଲାଗୁ କରିବାକୁ ଧମକ ଦେବା ପରେ ଦୁଇ ଦେଶ ଫୋନ୍‌‌ କରି ଅସ୍ତ୍ରବିରତି ନେଇ ସହମିତ ପ୍ରକାଶ କରିଥିଲେ। ସେହିପରି ସେ ଚୀନ୍‌‌ ଓ ତାଇୱାନ ନେଇ ନିଜର ମତ ରଖିଥିଲେ। ଯଦି ତାଇୱାନ ଉପରେ ଚୀନ୍‌‌ ଆକ୍ରମଣ କରେ ତେବେ ଗମ୍ଭୀର ପରିଣାମ ଭୋଗିବାକୁ ହେବ ବୋଲି ସେ କହିଥିଲେ। ସେ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଳଦିମିର ପୁତିନ ଓ ଚୀନ୍‌‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌‌ଙ୍କୁ ପ୍ରଶଂସା କରିଥିଲେ। ଯଦି ଆମେରିକା ପରମାଣୁ ପରୀକ୍ଷା କରେ ତେବେ ୩ ଦଶନ୍ଧି ପରେ ଏପରି ହେବ। ଚୀନ୍‌‌ ଓ ରୁଷ୍‌‌ ଏପରି କରୁଥିବାର ଆମେରିକା ମଧ୍ୟ ପରମାଣୁ ଅସ୍ତ୍ର ପରୀକ୍ଷା କରିବା ଯଥାର୍ଥ ହେବ ବୋଲି ସେ କହିଥିଲେ।

About The Author: Deviprasad Mohanty