ଭାରତର ୧୦ଟି ମନ୍ଦିରରେ ୯ ଲକ୍ଷ କୋଟିର ସମ୍ପତ୍ତି; ତିରୁପତି ବାଲାଜୀ ବିଶ୍ୱର ତୃତୀୟ ଧନୀ ଧର୍ମପୀଠ

ନୂଆଦିଲ୍ଲୀ: ଭାରତର ୧୦ଟି ମନ୍ଦିର ପାଖରେ ୯ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏକଥା ବିଶ୍ୱାସ ନହେଲେ ବି ସତ। ଗ୍ଲୋବାଲ ୱେଲଥ ଇଣ୍ଡେକ୍ସ-୨୦୨୬ର ରିପୋର୍ଟ ଅନୁଯାୟୀ, ଭାରତର ଶୀର୍ଷ ୧୦ଟି ଧନୀ ମନ୍ଦିରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏଥିମଧ୍ୟରୁ ତିରୁପତି ବାଲାଜୀ ମନ୍ଦିର ବିଶ୍ୱର ତୃତୀୟ ସବୁଠାରୁ ଧନୀ ଧର୍ମପୀଠ ଭାବେ ମାନ୍ୟତା ପାଇଛି। ତିରୁପତି ବାଲାଜୀ ମନ୍ଦିର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହା  ଅନେକ ଦେଶର ଜଡିପିଠାରୁ ବି ଅଧିକ। ଏଠାରେ ପ୍ରତିଦିନ ହାରାହାରି ୧ରୁ ୫ କୋଟି ଟଙ୍କା ଦାନ ମିଳିଥାଏ। ଚଳିତବର୍ଷ ମାର୍ଚ୍ଚ ୧୭ରେ ଗୋଟିଏ ଦିନରେ ୪.୮୮ କୋଟି ଟଙ୍କାର ଦାନ ମିଳିଥିଲା। 

ସେହିପରି କେରଳର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରାଚୀନ ସମ୍ପତ୍ତି ଦୃଷ୍ଟିରୁ ସବୁଠାରୁ ଧନୀ ବିବେଚିତ ହୋଇଛି। ଏହାର ୯୯ ପ୍ରତିଶତ ସମ୍ପତ୍ତି ସୁନା ମୂର୍ତ୍ତି, ମୁଦ୍ରା ଏବଂ ହୀରା ଆଦି ପ୍ରାଚୀନ ସମ୍ପତ୍ତି ଆକାରରେ ରହିଛି, ଯାହାର ବର୍ତ୍ତମାନ ବଜାରର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେହିଭଳି ଓଡ଼ିଶାର ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତି ମଧ୍ୟ ବହୁତ ଅଧିକ। ଏହି ମନ୍ଦିର ପାଖରେ ୬୦,୦୦୦ ଏକରରୁ ଅଧିକ ଜମି ରହିଛି। ଏହାଛଡ଼ା ୬ଟି ରାଜ୍ୟରେ ୩୯୫ ଏକର ଜମି ରହିଛି। ମନ୍ଦିରର ରତ୍ନଭଣ୍ଡାର, ଜମି ଏବଂ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିିର ମୂଲ୍ୟ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ହେବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି୤  ଅନ୍ୟପଟେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ସମ୍ପତ୍ତି ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ  କୋଟିଏ ଟଙ୍କାରୁ ଅଧିକ ଦାନ ମିଳୁଛି୤  ମନ୍ଦିରର ସମ୍ପତ୍ତିି ୬,୦୦୦ରୁ ୮,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଅବଶ୍ୟ ଏହି ମନ୍ଦିର ନିର୍ମାଣରେ ୧,୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।

About The Author: Madhusudan Das