ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ: ଭାରତର ତିନୋଟି ପ୍ରମୁଖ ଅଞ୍ଚଳ- ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ପରବର୍ତ୍ତୀ ସରକାର ବାଛିବା ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ପାଇଁ ଏହା ଏକ ବଡ଼ ପରୀକ୍ଷା ବୋଲି ବିବେଚନା କରାଯାଉଛି। 

ଆସାମ: ଆସାମରେ ଗତ ଏକ ଦଶନ୍ଧି ଧରି ବିଜେପି କ୍ଷମତାରେ ରହିଛି ଏବଂ ପୁଣିଥରେ ସତ୍ତା ବଜାୟ ରଖିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅନୁପ୍ରବେଶ ଏବଂ ଜନସାଂଖ୍ୟିକ ପରିବର୍ତ୍ତନକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଶାସନ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛି।

କେରଳ ଏବଂ ପୁଡୁଚେରୀ: କେରଳରେ ସାଧାରଣତଃ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ଏବଂ କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ବାମପନ୍ଥୀ ମେଣ୍ଟ ଗତ ୧୦ ବର୍ଷ ଧରି ଏଠାରେ କ୍ଷମତାରେ ଅଛି। ସେହିପରି ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ବର୍ତ୍ତମାନ କ୍ଷମତାରେ ରହିଛି।

ଚଳିତ ମାସ ଶେଷ ଆଡ଼କୁ ଅନ୍ୟ ଦୁଇଟି ରାଜ୍ୟ- ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ମେ ୪ ତାରିଖରେ ସମସ୍ତ ୫ଟି ଯାକ ଅଞ୍ଚଳର ଭୋଟ ଗଣତି କରାଯିବ। ଭାରତର ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଏହି ୫ଟି ରାଜ୍ୟରେ ମୋଟ ୧୭୪ ନିୟୁତ ଭୋଟର ଅଛନ୍ତି, ଯାହାକି ଦେଶର ସମୁଦାୟ ଭୋଟରଙ୍କ ପ୍ରାୟ ୧୮ ପ୍ରତିଶତ। ବିଜେପି ବର୍ତ୍ତମାନ ଆସାମରେ କ୍ଷମତାରେ ଥିବା ବେଳେ ପୁଡୁଚେରୀରେ ଶାସକ ମେଣ୍ଟର ଅଂଶବିଶେଷ ରହିଛି। ତେବେ ପଶ୍ଚିମବଙ୍ଗ, କେରଳ ଏବଂ ତାମିଲନାଡୁରେ ଦଳ କେବେବି ସରକାର ଗଠନ କରିପାରି ନାହିଁ। ନିଜର ପାରମ୍ପରିକ ଗଡ଼ ବାହାରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ପତିଆରା ବିସ୍ତାର କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ବିଜେପିର ଆଧିପତ୍ୟକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ନିମନ୍ତେ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

୫ଟି ଅଞ୍ଚଳର ମୋଟ ୮୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ତେବେ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମକୁ ନେଇ ବଡ଼ ବିବାଦ ଦେଖାଦେଇଛି। ବିଜେପିକୁ ଫାଇଦା ପହଞ୍ଚାଇବା ପାଇଁ ଏହି ପ୍ରକ୍ରିୟା ଜରିଆରେ ବିଶେଷ କରି ସଂଖ୍ୟାଲଘୁ (ମୁସଲମାନ) ସମ୍ପ୍ରଦାୟର ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି। ଯଦିଓ ନିର୍ବାଚନ ଆୟୋଗ ଏବଂ ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।

About The Author: Madhusudan Das