ବାତିଲ ହେଲା NEET UG ୨୦୨୬ ପରୀକ୍ଷା: ସାନି ପରୀକ୍ଷା ନେଇ ଖୁବଶୀଘ୍ର ସୂଚନା ଜାରି କରିବ NTA

ନୂଆଦିଲ୍ଲୀ: ବାତିଲ ହେଲା NEET UG ୨୦୨୬ ପରୀକ୍ଷା । ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ନିଟ୍ ୟୁଜି (NEET UG) ୨୦୨୬ ପରୀକ୍ଷାକୁ ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) । ମଙ୍ଗଳବାର ଦିନ ଏନଟିଏ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଦେଶସାରା ଥିବା ବିଭିନ୍ନ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ଜାତୀୟ ପ୍ରବେଶିକା ପରୀକ୍ଷା କରାଯାଇଥାଏ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଜସ୍ଥାନ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପକ୍ଷରୁ ମିଳିଥିବା ତଥ୍ୟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପରିଚାଳନାରେ ଅନିୟମିତତା ନେଇ ଆସିଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ଏନଟିଏ କହିଛି। ଏପରି ଅନିୟମିତତା ସହ ପରୀକ୍ଷା ପ୍ରକ୍ରିୟାକୁ ଆଗକୁ ବଢାଇ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଏହି ଘଟଣାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଭାରତ ସରକାର ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପେପର ଲିକ୍ ଭଳି ସଙ୍ଗିନ ଅଭିଯୋଗର ଏକ ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବ। ତଦନ୍ତ ପ୍ରକ୍ରିୟାରେ ସିବିଆଇକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଏନଟିଏ (NTA) ପକ୍ଷରୁ ପ୍ରକାଶ କରାଯାଇଛି। ପୂର୍ବରୁ ମେ ୧୦ ତାରିଖରେ ଏନଟିଏ ଦାବି କରିଥିଲା ଯେ, ଏଆଇ ସିସିଟିଭି, ବାୟୋମେଟ୍ରିକ୍ ଏବଂ ୫ଜି ଜାମର୍ ଆଦିର ବ୍ୟବହାର କରାଯାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା କରାଯାଇଥିଲା। କିନ୍ତୁ ଅଭିଯୋଗର ଗମ୍ଭୀରତାକୁ ଦେଖି ବର୍ତ୍ତମାନ ଏହି କଠୋର ପଦକ୍ଷେପ ନିଆଯାଇଛି।

ପରୀକ୍ଷା ବାତିଲ ହେବା ଫଳରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ହେଉଥିବା ଅସୁବିଧା ପାଇଁ ଏନଟିଏ ଦୁଃଖ ପ୍ରକାଶ କରିଛି। ତେବେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଏବଂ ପରୀକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ ବଜାୟ ରଖିବା ପାଇଁ ଏପରି କରାଯାଇଥିବା ସ୍ପଷ୍ଟ କରାଯାଇଛି। ପୁନର୍ବାର ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ନୂଆ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। 

ପୂର୍ବରୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟକୁ ଆଧାର କରି ନୂତନ ଆଡମିଟ୍ କାର୍ଡ ଜାରି କରାଯିବ ଏବଂ ପୂର୍ବରୁ ମନୋନୀତ କରିଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟ ସମାନ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପରୀକ୍ଷାର୍ଥୀଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ସେମାନେ ପୂର୍ବରୁ ଦେଇଥିବା ପରୀକ୍ଷା ଫି' ଫେରସ୍ତ କରାଯିବ। ଏନଟିଏ ନିଜସ୍ୱ ପାଣ୍ଠିରୁ ଏହି ପୁନଃପରୀକ୍ଷାର ଖର୍ଚ୍ଚ ବହନ କରିବ। ପରୀକ୍ଷାର ନୂଆ ତାରିଖ ଏବଂ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଜାଣିବା ପାଇଁ କେବଳ ଅଫିସିଆଲ୍ ୱେବସାଇଟ୍ ଉପରେ ନିର୍ଭର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

About The Author: Madhusudan Das