ଭାରତରେ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ଓ ଟେରର୍ ଫଣ୍ଡିଂ ବିରୋଧରେ ଏକ ବଡ଼ ସଫଳତା ହାସଲ ହୋଇଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ‘ଜିହାଦୀ ଡ୍ରଗ୍ସ’ ନାମରେ କୁଖ୍ୟାତ ଥିବା କ୍ୟାପ୍ଟାଗନ୍ (Captagon) ର ଏକ ବଡ଼ ଖେପ ଜବତ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇ କହିଛନ୍ତି ଯେ ‘ଅପରେସନ୍ ରେଜପିଲ୍’ (Operation RAGEPILL) ଅଧୀନରେ ୧୮୨ କୋଟି ଟଙ୍କାର ଏହି ନିଶାଦ୍ରବ୍ୟ ଜବତ କରାଯାଇଛି।
'ଅପରେସନ୍ ରେଜପିଲ୍' ଓ ଜବତର ବିବରଣୀ
ସୂଚନା ଅନୁଯାୟୀ, ଗୁଜରାଟର ମୁନ୍ଦ୍ରା ବନ୍ଦର ଏବଂ ଦିଲ୍ଲୀର ନେବ୍ ସରାୟ ଅଞ୍ଚଳରୁ ପ୍ରାୟ ୨୦୦ କିଲୋଗ୍ରାମ ଓଜନର ଏହି କ୍ୟାପ୍ଟାଗନ୍ ଟାବଲେଟ୍ ଜବତ କରାଯାଇଛି। ସିରିଆରୁ ଏହି ଡ୍ରଗ୍ସ ମୁନ୍ଦ୍ରା ବନ୍ଦର ଦେଇ ଉଲ୍ କଣ୍ଟେନରରେ ଆସିଥିବା ବେଳେ ଦିଲ୍ଲୀରେ ଏହାକୁ ଚା’ ପତି ବାକ୍ସରେ ଲୁଚାଇ ରଖାଯାଇଥିଲା। ଏହି ଘଟଣାରେ ଜଣେ ସିରିଆ ନାଗରିକଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତକୁ ଏକ ଟ୍ରାନ୍ଜିଟ୍ ରୁଟ୍ ବା ମାଧ୍ୟମ ଭାବେ ବ୍ୟବହାର କରି ଏହି ଡ୍ରଗ୍ସକୁ ପଶ୍ଚିମ ଏସିଆ (ମୁଖ୍ୟତଃ ସାଉଦି ଆରବ)କୁ ପଠାଇବା ପାଇଁ ଯୋଜନା କରାଯାଇଥିଲା।
କ'ଣ ଏହି କ୍ୟାପ୍ଟାଗନ୍ ବା 'ଜିହାଦୀ ଡ୍ରଗ୍ସ'?
କ୍ୟାପ୍ଟାଗନ୍ ହେଉଛି ଆମ୍ଫେଟାମାଇନ୍ ଶ୍ରେଣୀର ଏକ ସିନ୍ଥେଟିକ୍ ଉତ୍ତେଜକ ନିଶା। ଏହାକୁ ଆତଙ୍କବାଦୀ ସଂଗଠନ, ବିଶେଷକରି ସିରିଆ ଓ ଇରାକରେ ସକ୍ରିୟ ଥିବା ଆଇଏସଆଇଏସ (ISIS) ର ଆତଙ୍କବାଦୀମାନେ ବହୁଳ ଭାବରେ ବ୍ୟବହାର କରନ୍ତି। ଏହାକୁ ସେବନ କଲେ ନିଦ କିମ୍ବା ଭୋକ ଲାଗେ ନାହିଁ ଏବଂ ଭୟ ମଧ୍ୟ ଦୂର ହୋଇଯାଏ। ଦୀର୍ଘ ସମୟ ଧରି ନିରନ୍ତର ଯୁଦ୍ଧ କରିବା ଏବଂ ନିଷ୍ଠୁର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଏହାକୁ ଖାଉଥିବାରୁ ଏହାକୁ 'ଜିହାଦୀ ଡ୍ରଗ୍ସ' କୁହାଯାଏ। ବିଶ୍ବ ବଜାରରେ ଏହି ନିଶା କାରବାରରୁ ମିଳୁଥିବା ଅର୍ଥ ଆତଙ୍କବାଦୀଙ୍କ ପାଣ୍ଠି ସଂଗ୍ରହର ଏକ ମୁଖ୍ୟ ଉତ୍ସ ପାଲଟିଛି।
ନିଶା ବିରୋଧରେ ସରକାରଙ୍କ ଜିରୋ ଟଲରାନ୍ସ ନୀତି
ଏହି ସଫଳତା ପାଇଁ NCB ର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଏକ୍ସ (X) ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର "ନିଶାମୁକ୍ତ ଭାରତ" ଗଠନ ପାଇଁ ସଂକଳ୍ପବଦ୍ଧ। ଭାରତ ମଧ୍ୟକୁ ପ୍ରବେଶ କରୁଥିବା ବା ଭାରତକୁ ଏକ ଟ୍ରାନ୍ଜିଟ୍ ରୁଟ୍ ଭାବେ ବ୍ୟବହାର କରି ଚୋରା ଚାଲାଣ ହେଉଥିବା ପ୍ରତ୍ୟେକ ଗ୍ରାମ୍ ଡ୍ରଗ୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଏହି ଡ୍ରଗ୍ସ ସିଣ୍ଡିକେଟର ଆତଙ୍କବାଦୀ ଲିଙ୍କ୍ ଉପରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତିା