କୋଲକାତା : ଆଗକୁ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ। ଯଦିଓ ମତଦାନ ପାଇଁ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା ହୋଇନାହିଁ ତଥାପି ପଶ୍ଚିମବଙ୍ଗରେ ଜୋର ରହିଛି ରାଜନୀତି ତାତି। ପ୍ରତିଦିନ ରାଜନୈତିିକ ଦଳମାନେ ରାଲି କରିି ଲୋକଙ୍କ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ବିରୋଧରେ ବୟାନ ବାଜି କରି ରାଜନୈତିିକ ମାହୋଲକୁ ଗରମ କରୁଛନ୍ତି। ବିଶେଷ କରିି ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର।
ତେବେ ଏହାରି ମଧ୍ୟରେ ବୁଧବାର ହୁଗଳିର ଡନଲପ୍ରେ ଏକ ବିଶାଳ ରାଲିକୁ ସମ୍ବୋଧନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ, ରାକ୍ଷସ ଏବଂ ଗୁଣ୍ଡା ବୋଲି କହିଛନ୍ତି ମମତା। ରାଲିରେ ଲୋକମାନଙ୍କୁ ସମ୍ଭୋଧିତ କରୁଥିବା ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କୁ ‘ଦଙ୍ଗାବାଜ’ ବୋଲି କହିବା ସହ ଦେଶ ଏକ ଦାନବ ଦ୍ୱାରା ଶାସିତ ହେଉଛି ବୋଲି ମଧ୍ୟ କହିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ବିଜେପି ଆମ ରାଜ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ସେମାନେ ପଶ୍ଚିମବଙ୍ଗକୁ ଦଖଲ କରିବେ ବୋଲି ଭାବୁଛନ୍ତି । କିନ୍ତୁ ସେ ଏହାକେବେ କରିପାରିବେ ନାହିଁ । ବେଙ୍ଗଲ ଉପରେ କେବଳ ବେଙ୍ଗଲୀ ଶାସନ କରିବେ । ବେଙ୍ଗଲ ଉପରେ ଗୁଜୁରାଟୀ ଶାସନ ଚଳିବ ନାହିଁ। ମୋଦୀ ବେଙ୍ଗଲରେ ରାଜ କରିପାରିବେନି। ବେଙ୍ଗଲରେ ଗୁଣ୍ଡା ଏବଂ ବଦମାସ ରାଜ ଚଳିବ ନାହିଁ ବୋଲି ମମତା କହିଛନ୍ତି।
ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ଜାଣିଣୁଣି ନିର୍ବାଚନ ପୁର୍ବରୁ ସିବିଆଇ ଭୟ ଦେଖାଉଛନ୍ତି। କିନ୍ତୁ ସେ ଜଣଙ୍କୁ ଗିରଫ କରିକି ଦେଖନ୍ତୁ। ମୋ ସରକାରକୁ ଏବଂ ମୋତେ ମୋଦୀ ଚାପିବା ପାଇଁ ମୋଦୀଙ୍କ ଅପଚେଷ୍ଟା କେବେ ସଫଳ ହେବ ନାହିଁ।ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ମୋଦୀଙ୍କର ଆହୁରି ଖରାପ ଦଶା ହେବ। ବିଧାନସଭା ନିର୍ବାଚନରେ ମୁଁ ଗୋଲକିପର ହେବି ଏବଂ ବିଜେପି ଗୋଟିଏ ବି ଗୋଲ ସ୍କୋର କରିପାରିବ ନାହିଁ ବୋଲି ମମତା କହିଛନ୍ତି।