ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସରକାର। ଏହି ସଂରକ୍ଷିତ ବର୍ଗଗୁଡ଼ିକ ମଧ୍ୟରେ ଆୟ ଭିତ୍ତିକ ସବ୍-କୋଟା କିମ୍ବା ଉପ-ସଂରକ୍ଷଣ ଲାଗୁ କରିବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ଦୃଢ଼ ବିରୋଧ କରିଛନ୍ତି। ବିଚାରପତିଙ୍କ ସମ୍ମୁଖରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣର ମୂଳ ଉଦ୍ଦେଶ୍ୟ ସାମାଜିକ ଅନଗ୍ରସରତାକୁ ଦୂର କରିବା ଅଟେ, କେବଳ ଅର୍ଥନୈତିକ ମାନଦଣ୍ଡକୁ ନେଇ ନୁହେଁ।\n\nକେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ, SC, ST ଏବଂ OBC ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଐତିହାସିକ ଏବଂ ସାମାଜିକ ଅନଗ୍ରସରତା ଉପରେ ଆଧାରିତ, ଏହା କେବଳ ଆର୍ଥିକ ସ୍ଥିତି ଉପରେ ଆଧାର କରି ପରିବର୍ତ୍ତନ କରାଯାଇପାରିବ ନାହିଁ।
କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୁକ୍ତି
ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ସଂରକ୍ଷିତ ବର୍ଗରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ଆୟ ଭିତ୍ତିକ ସଂରକ୍ଷଣ ନୀତି ଲାଗୁ କରାଯାଉ। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନର ଧାରା ୩୪୧, ୩୪୨ ଏବଂ ୩୪୨A ଅନୁଯାୟୀ କେବଳ ଆୟ ଆଧାରରେ SC, ST ଏବଂ ସାମାଜିକ ତଥା ଶିକ୍ଷାଗତ ପଛୁଆ ବର୍ଗ (SEBC) ତାଲିକାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ସଂରକ୍ଷଣ ନୀତିର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ସମାନତା ଆଣିବା ଏବଂ ଐତିହାସିକ ଭେଦଭାବକୁ ଦୂର କରିବା
କ୍ରିମି ଲେୟାର ନିୟମ ଲାଗୁ ହେବ ନାହିଁ
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ 'କ୍ରିମି ଲେୟାର' (Creamy Layer) ନିୟମ ଲାଗୁ କରିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ବିରୋଧ କରିଛି। ଇନ୍ଦ୍ରା ସାହନି (Indra Sawhney) ମାମଲାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠଙ୍କ ରାୟକୁ ଉଦାହରଣ ଭାବେ ଦର୍ଶାଇ କେନ୍ଦ୍ର କହିଛି ଯେ କ୍ରିମି ଲେୟାର ନିୟମ କେବଳ OBC ବର୍ଗ ପାଇଁ ପ୍ରଯୁଜ୍ୟ ଏବଂ ଏହା SC/ST ବର୍ଗ ପାଇଁ ପ୍ରାସଙ୍ଗିକ ନୁହେଁ। କୌଣସି ଜାତିକୁ ଏହି ତାଲିକାରେ ସାମିଲ କରିବା କିମ୍ବା ବାଦ୍ ଦେବାର କ୍ଷମତା କେବଳ ସଂସଦ ପାଖରେ ରହିଛି।
ସଂରକ୍ଷଣ ନୀତି ସଂସଦର ଅଧିକାର କ୍ଷେତ୍ର
ସରକାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ ଦେଶର ସଂରକ୍ଷଣ ନୀତି ନିର୍ଦ୍ଧାରଣ କରିବା କାର୍ଯ୍ୟପାଳିକା ଏବଂ ବିଧାୟିକାଙ୍କ କ୍ଷେତ୍ରାଧିକାର ଅଟେ। ଏହାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ରିଟ୍ ଅଫ୍ ମାଣ୍ଡାମସ୍ (Writ of Mandamus) ଜରିଆରେ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଏହି ଆବେଦନଗୁଡ଼ିକ ରମାଶଙ୍କର ପ୍ରଜାପତି, ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏବଂ ସମତା ଆନ୍ଦୋଳନ ସମିତି ସମେତ ଅନ୍ୟ କେତେକଙ୍କ ଦ୍ୱାରା ଦାଖଲ କରାଯାଇଥିଲା, ଯାହାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।