ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: କୋଟିଏ ଟଙ୍କା ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ବଡ଼ ଧରଣର ମାଓବାଦୀ ବିରୋଧୀ ଅପରେସନ ସମୟରେ ୧ କୋଟି ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଏହି ମିଳିତ ଅପରେସନ ଅବୁଝମାଡ଼ ଜଙ୍ଗଲରେ କରାଯାଇଥିଲା। ଏଥିରେ ନାରାୟଣପୁର ପୋଲିସ, ଡିଆରଜି (DRG), ଏସଟିଏଫ (STF), ଆଇଟିବିପି (ITBP) ଏବଂ ବିଏସଏଫ (BSF) ଯବାନମାନେ ସାମିଲ ଥିଲେ। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ୧,୦୧,୬୪,୦୦୦ ଟଙ୍କା ନଗଦ ଜବତ କରିଛନ୍ତି। ଏହା ସହିତ ତିନୋଟି ଏକେ-୪୭ (AK-47) ରାଇଫଲ, ତିନୋଟି ଏସଏଲଆର (SLR) ରାଇଫଲ, ଦୁଇଟି .୩୦୩ ରାଇଫଲ ଏବଂ ଗୋଟିଏ .୩୧୫ ରାଇଫଲ ଉଦ୍ଧାର କରାଯାଇଛି। ବିପୁଳ ପରିମାଣର ଜୀବନ୍ତ ଗୁଳି, ମାଗାଜିନ, ବିଜିଏଲ ସେଲ୍, ଡିଟୋନେଟର, ଯୋଗାଯୋଗ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ସୁରକ୍ଷା କର୍ମୀମାନେ ଅତିରିକ୍ତ ଭାବେ ୧୨-ବୋର ବନ୍ଧୁକ, ଦେଶୀ ପିସ୍ତଲ, ୱାକି-ଟକି ଏବଂ ଆଇଇଡି (IED) ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉଦ୍ଧାର କରିଛନ୍ତି। ପୋଲିସର କହିବା ଅନୁଯାୟୀ, ଏହି ସଫଳତା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ଲଜିଷ୍ଟିକ୍ ନେଟୱାର୍କ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳାକୁ ଏକ ଶକ୍ତ ଧକ୍କା ଦେଇଛି।

ନାରାୟଣପୁରର ପୋଲିସ ଅଧୀକ୍ଷକ (ଏସପି) ରବିନସନ ଗୁରିଆ କହିଛନ୍ତି ଯେ, ଏହା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ଏବଂ ଏହି ଅଞ୍ଚଳରେ ମାଓବାଦୀ ନେଟୱାର୍କ ଦୁର୍ବଳ ହେବାର ଏହା ଏକ ସ୍ପଷ୍ଟ ସଙ୍କେତ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଗୁଇନ୍ଦା ବିଭାଗର ସୂଚନା ଏହି ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ସାମଗ୍ରୀ ଉଦ୍ଧାର ସହିତ, ୨୦୨୫-୨୬ ବର୍ଷ ମଧ୍ୟରେ ନାରାୟଣପୁର ଜିଲ୍ଲାରେ ମୋଟ ୨୭୦ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି, ଯାହା ଅଞ୍ଚଳରେ ବଢୁଥିବା ଶାନ୍ତି ଏବଂ ବିକାଶର ପ୍ରମାଣ ଦେଉଛି।

About The Author: Madhusudan Das