ନୂଆଦିଲ୍ଲୀ: ଛତିଶଗଡ଼ର ବାଲୋଦା ବଜାର-ଭାତାପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି। ଗୋଟିଏ ଟ୍ରକ୍ ଓ ପିକ୍ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ଯରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ମୃତହାତମାନେ ସାହୁ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସେମାନେ ଖିଲୋରା ଠାରୁ ଆୟୋଜିତ ବିବାହ କାର୍ଯ୍ଯକ୍ରମରେ ଯୋଗଦେଇ ଅରଜୁନିକୁ ଫେରୁଥିଲେ। ହେଲେ ପରିବାରର ସଦସ୍ୟମାନେ ପିକଭ୍ୟାନରେ ଖାମାରିଆର ଡିପିଡବ୍ଲ୍ୟୁଏସ୍ ସ୍କୁଲ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ସହ ସାହୁ ପରିବାରର ସଦସ୍ୟମାନେ ଯାଉଥିବା ପିକଅପ୍ ଭ୍ୟାନନର ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଓ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।