ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଲ୍ୟାଣ୍ଡର୍ ବିକ୍ରମ : ୨ୟ ‘ଡିବୁଷ୍ଟିଙ୍ଗ୍‌’ ସଫଳ, ୨୩ ତାରିଖରେ କରିବ ସଫ୍ଟ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ଆଉ ପାଦେ ଆଗେଇଲା ଇସ୍ରୋର ଚନ୍ଦ୍ରଯାନ-୩। ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଙ୍ଗ୍‌ ସଫଳ ହୋଇଛି। ଡିବୁଷ୍ଟିଙ୍ଗ୍‌ ଫଳରେ ଚନ୍ଦ୍ରଯାନ ବେଗ ହ୍ରାସ ପାଇବା ସହ ଚୂଡ଼ାନ୍ତ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ ହୋଇଛି। ଏନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଲ୍ୟାଣ୍ଡର୨୫x୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ଇସ୍ରୋ କହିଛି ଯେ ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷଣ କରାଯିବ ଏବଂ ଚନ୍ଦ୍ରରେ ନିର୍ଦ୍ଧାରିତ […]

ନୂଆଦିଲ୍ଲୀ : ଆଉ ପାଦେ ଆଗେଇଲା ଇସ୍ରୋର ଚନ୍ଦ୍ରଯାନ-୩। ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଙ୍ଗ୍‌ ସଫଳ ହୋଇଛି। ଡିବୁଷ୍ଟିଙ୍ଗ୍‌ ଫଳରେ ଚନ୍ଦ୍ରଯାନ ବେଗ ହ୍ରାସ ପାଇବା ସହ ଚୂଡ଼ାନ୍ତ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ ହୋଇଛି। ଏନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଲ୍ୟାଣ୍ଡର୨୫x୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ଇସ୍ରୋ କହିଛି ଯେ ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷଣ କରାଯିବ ଏବଂ ଚନ୍ଦ୍ରରେ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫.୪୫ରେ ଚନ୍ଦ୍ରରେ ଅବତରଣ କରିବ।

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କକ୍ଷ ପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର୍ । ଦୁଇ ଦିନ ତଳେ ଲ୍ୟାଣ୍ଡରର ପ୍ରଥମ ଡିବୁଷ୍ଟିଙ୍ଗ୍‌ ହୋଇଥିଲା। ଏବେ ରହିଲା ଶେଷ ଅଗ୍ନି ପରୀକ୍ଷା। ଆସନ୍ତା ୨୩ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ। ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ମଧ୍ୟ ସନ୍ଧାନ ମଧ୍ୟ କରିବ।

ସୂର୍ଯ୍ୟୋଦୟକୁ କାହିଁକି ଅପେକ୍ଷା କରାଯାଇଛି।

ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହିତ ସମାନ । ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଛି। ୨୩ ଅଗଷ୍ଟରେ ସୂର୍ଯ୍ୟୋଦୟ ହେବେ । ସୂର୍ଯ୍ୟୋଦୟ ପରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପକ୍ରିୟା ଆରମ୍ଭ କରାଯିବ। ଏହାର କାରଣ ହେଉଛି ଲ୍ୟାଣ୍ଡର ସୂର୍ଯ୍ୟୋଲୋକରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିବ ଯାହା ଦ୍ବାରା ରୋଭର ସେଠାରେ ଉନ୍ନତ ଅନୁସନ୍ଧାନ କରିପାରିବ ଏବଂ ଉନ୍ନତ ଚିତ୍ର ପଠାଇବ ।

ସେପଟେ ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସବୁଠୁ ବଡ଼ ଆହ୍ବାନ ହୋଇଛି। କାରଣ ଲ୍ୟାଣ୍ଡର ମଡ୍ୟୁଲକୁ ଚନ୍ଦ୍ରରେ ଅବତରଣ କରିବାର ସବୁଠାରୁ ବଡ ଆହ୍ବାନ ହେଉଛି ଅବତରଣ ପୂର୍ବରୁ ଏହାକୁ ଫୋଲ୍ଡ କରିବା। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଯେତେବେଳେ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ, ଏହା ଏକ ଭୂସମାନ୍ତର ସ୍ଥିତିରେ ରହିବ କିନ୍ତୁ ଅବତରଣ କରିବା ପୂର୍ବରୁ ଏହାକୁ ୯୦ ଡିଗ୍ରୀ ସେଲସିୟସରେ ବୁଲାଇ ଭୂଲମ୍ବ ହେବାକୁ ପଡିବ। ଯଦି ଏହା ସଫଳତାର ସହିତ କରାଯାଏ, ତେବେ ଚନ୍ଦ୍ରରେ ଲ୍ୟାଣ୍ଡରର ସଫଳ ଅବତରଣ କରିବାର ସମ୍ଭାବନା ବଢିବ। ଅନ୍ୟପଟେ ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ସେହିପରି ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।

ରୁଷ୍‌ର ମହାକାଶଯାନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଶନିବାର ଦିନ ରୁଷ୍‌ର ‘ଲୁନା-୨୫’ର କକ୍ଷପଥ ପରିବର୍ତ୍ତନ କରାଯାଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତି ବା ବୈଷୟିକ ଅସୁବିଧା ସୃଷ୍ଟି ହୋଇଥିଲା ବୋଲି ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ କହିଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ରସ୍‌କସ୍‌ମସ୍‌’ କହିଛି, ‘ପ୍ରୋବ୍‌’କୁ ପ୍ରାକ୍‌ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍‌’କୁ ରିଲିଜ୍‌ କରାଯାଇଥିଲା। ଏଭଳି କରାଯିବା ବ‌େଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ‘ବ‌ୋର୍ଡ’ରେ ଅସ୍ବାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳତଃ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲା ନାହିଁ। କିନ୍ତୁ, ଉପରୋକ୍ତ ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ‘ରସ୍‌କସ୍‌ମସ୍’ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍‌ଲସ୍କାଏ’ ଗହ୍ବରରେ ଏହା ଅବତରଣ କରିବା କଥା।

About The Author: The Sakala