ନୂଆଦିଲ୍ଲୀ: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଆୟର୍ଲାଣ୍ଡରେ କଲା ଜରୁରୀକାଳୀନ ଅବତରଣ । ନ୍ୟୁୟର୍କର ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ନୂଆଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଆୟର୍ଲାଣ୍ଡର ସାନନ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି।
ଏୟାର ଇଣ୍ଡିଆର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୫ ତାରିଖରେ ନିୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ବିମାନ AI102 ରେ କିଛି ବୈଷୟିକ ସମସ୍ୟା ଦେଖାଦେଇଥିଲା। ଏହା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ଆୟର୍ଲାଣ୍ଡର ସାନନ୍ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସ୍ଥାନୀୟ ସମୟ ଭୋର ୪:୩୦ ମିନିଟରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବର୍ତ୍ତମାନ ବିମାନର ବୈଷୟିକ ଯାଞ୍ଚ ଚାଲିଛି ଏବଂ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଏୟାରଲାଇନ୍ସ ପକ୍ଷରୁ ପ୍ରାଥମିକତା ଦିଆଯାଉଛି।
ଅନ୍ୟପକ୍ଷରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମିଳିତ ଭାବେ ମାର୍ଚ୍ଚ ୧୬ ତାରିଖରେ ପଶ୍ଚିମ ଏସିଆ ଅଞ୍ଚଳ ପାଇଁ ୪୮ ଟି ନିର୍ଦ୍ଧାରିତ ଏବଂ ଅଣ-ନିର୍ଦ୍ଧାରିତ ବିମାନ ଚଳାଚଳ କରିବେ। ଜେଦ୍ଦା ଏବଂ ମସ୍କଟକୁ ନିର୍ଦ୍ଧାରିତ ଉଡ଼ାଣ ଜାରି ରହିବ, ଯେଉଁଥିରେ ଭାରତ ଓ ଜେଦ୍ଦା ମଧ୍ୟରେ ମୋଟ ୧୦ ଟି ବିମାନ ସାମିଲ ଅଛି। ଏହା ବ୍ୟତୀତ ୟୁଏଇ (UAE) ଏବଂ ସାଉଦି ଆରବ ପାଇଁ ମୋଟ ୨୬ ଟି ସ୍ୱତନ୍ତ୍ର ବିମାନ ଚଳାଚଳ କରିବା ନେଇ କମ୍ପାନୀ ସୂଚନା ଦେଇଛି।
ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଏୟାର ଇଣ୍ଡିଆର ସମସ୍ତ ବିମାନ ନିଜ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ। ତେବେ ସାମୟିକ ଭାବେ ବାତିଲ ହୋଇଥିବା ରୁଟ୍ଗୁଡ଼ିକର ଯାତ୍ରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ଭବିଷ୍ୟତ ତାରିଖ ପାଇଁ ଟିକେଟ୍ ବୁକିଂ ବା ସମ୍ପୂର୍ଣ୍ଣ ରିଫଣ୍ଡ (ଫେରସ୍ତ) ନେବାର ବିକଳ୍ପ ପ୍ରଦାନ କରାଯାଇଛି। ଯାତ୍ରୀମାନେ ନିଜର ମୋବାଇଲ ନମ୍ବର ଅପଡେଟ୍ ରଖିବା ସହ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ନୂଆ ବୁକିଂ କରିପାରିବେ।