କେମ୍ବ୍ରିଜ: ପ୍ରଥମ ଥର ପାଇଁ ମହାକାଶରେ ଏକ ଅଦ୍ଭୁତ ଦୃଶ୍ୟକୁ ଦେଖିବାକୁ ମିଳିଛି। ଏକ ଗ୍ରହକୁ ତାରା ଗିଳିଦେଇଛି। ଏହି ତାରାର ଆକାର ପ୍ରାୟ ସୂର୍ଯ୍ୟଙ୍କ ପରି ଏବଂ ଗ୍ରହଟି ବୃହସ୍ପତି ଆକାରର ଗ୍ୟାସ ପିଣ୍ଡ ସଦୃଶ ଥିଲା। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ହାଭାର୍ଡ ୟୁନିଭର୍ସିଟି ଏବଂ କାଲିଫର୍ଣ୍ଣିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଟିମ୍ ଦେଖିଛନ୍ତି। ଟିମ୍ ପକ୍ଷରୁ କୁହାଯାଇଛି ଯେ ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଏହି ପ୍ରକ୍ରିୟା ବିଷୟରେ ତଥ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ ଥିଲା। ଦିନେ ସୂର୍ଯ୍ୟ ଆମ ପୃଥିବୀ ଏବଂ ଏହା ଆଗରେ ଥିବା ତିନି ଗ୍ରହକୁ ଗିଳିଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ବୈଜ୍ଞାନିକଙ୍କ ଅନୁଯାୟୀ ପୂର୍ବରୁ କେବେ ତାରା ଗ୍ରହକୁ ଗିଳୁଥିବାର ଦୃଶ୍ୟ ଦେଖାଯାଇ ନାହିଁ। ଏମ୍ଆଇଟିରେ ଏହା ଉପରେ ଗବେଷଣା କରୁଥିବା କିସଲେ ଡେ କହିଛନ୍ତି ଯେ ଦିନେ ସୂର୍ଯ୍ୟ ସମ୍ପୂର୍ଣ୍ଣ ସୌରମଣ୍ଡଳକୁ ଗିଳିଦେବ ବୋଲି ଆମେ ପଢିଆସୁଛୁ। ୫ ଅରବ ବର୍ଷ ପରେ ଏପରି ହେବ। ସେ ସମୟରେ କିଛି କ୍ଷଣରେ ପୃଥିବୀ ଧ୍ବଂସ ହୋଇଯିବ। ଏବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ୨୦୨୦ରେ ତାରା ଗ୍ରହକୁ ଗିଳି ଦେଇଥିଲା। ଏହାକୁ ବୁଝିବା ପାଇଁ ବୈଜ୍ଞାନିକଙ୍କୁ ତିନି ବର୍ଷ ଲାଗିଥିଲା। ଗ୍ରହକୁ ଗିଳିଥିବା ତାରା ସୂର୍ଯ୍ୟ ଭଳି ୧୦ ଅରବ ବର୍ଷ ତଳର ଥିଲା। ପୃଥିବୀଠାରୁ ୧୨ ହଜାର ଆଲୋକ ବର୍ଷ ଦୂରରେ ଥିବା ଏକ୍ବିଲା ନାମକ ତାରାମଣ୍ଡଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।