ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

ୱାସିଂଟନ: ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବା ବେଳେ ସ୍ପେସ ଏକ୍ସ ମୁଖ୍ୟ ଏଲନ୍‌ ମସ୍କ ଏହି ସମୟରେ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି। କେବଳ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ବଢ଼ାଇଲେ  ଜଳବାୟୁ ପରିବର୍ତ୍ତନ ବିପଦରୁ ପୃଥିବୀକୁ ସୁରକ୍ଷା ପ୍ରଦାନ ସମ୍ଭବ ନୁହେଁ। ଭବିଷ୍ୟତରେ ପୃଥିବୀର ତାପମାତ୍ରା ନିୟନ୍ତ୍ରଣ ପାଇଁ ବୃହତ୍‌ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଭଳି ପ୍ରଯୁକ୍ତିର ଆବଶ୍ୟକତା ପଡ଼ିପାରେ। ଏ ଦିଗରେ ଯଦି ଏବେଠାରୁ କାମ କରା ନ ଯିବ, ତେବେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ହୁଏତ ଧ୍ୱଂସ ପାଇଯିବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ  ମସ୍କ କହିଛନ୍ତି ଯେ  ପ୍ରାୟ ପ୍ରତି ୧୦ କୋଟି ବର୍ଷରେ ଅତ୍ୟନ୍ତ ଗୁରୁତର ବିଲୁପ୍ତି ଘଟଣା ଘଟିଥାଏ। ଏଭଳି ବଡ଼ ବିପଦକୁ ରୋକିବା ଏକ ଆହ୍ୱାନ। ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ମହାକାଶ ଉପଗ୍ରହ ଓ ବୃହତ୍‌ ପରିମାଣର ଜିଓ-ଇଞ୍ଜିନିୟରିଂ ଆବଶ୍ୟକ ହୋଇପାରେ। ଏଭଳି ପଦକ୍ଷେପ ନ ନିଆଗଲେ ଭବିଷ୍ୟତରେ ପରିସ୍ଥିତି ‘ଗେମ୍‌ ଓଭର୍‌’ ଭଳି ହୋଇପାରେ। ଜଳବାୟୁ ସଙ୍କଟର ଦୀର୍ଘକାଳୀନ ସମାଧାନ ପାଇଁ ମସ୍କ ଏକ ଅତ୍ୟାଧୁନିକ ପ୍ରଯୁକ୍ତିଗତ କାର୍ଯ୍ୟର ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ  ସୌର ଶକ୍ତିଚାଳିତ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଇଓ) ନିୟନ୍ତ୍ରିତ ‘ସେନ୍ସିଏଣ୍ଟ ସାଟେଲାଇଟ୍‌’ର ଏକ ବିଶାଳ ସମୂହ ପୃଥିବୀ-ସୂର୍ଯ୍ୟ ଲାଗ୍ରାଞ୍ଜ ପଏଣ୍ଟରେ ସ୍ଥାପନ କରାଯାଇପାରେ। ଏହି ଉପଗ୍ରହଗୁଡ଼ିକ ପୃଥିବୀରେ ପହଞ୍ଚୁଥିବା ସୌର ଶକ୍ତିର ପରିମାଣରେ ସୂକ୍ଷ୍ମ ପରିବର୍ତ୍ତନ ଆଣି ତାପମାତ୍ରା ନିୟନ୍ତ୍ରଣରେ ସହାୟକ ହୋଇପାରିବ।  ଚନ୍ଦ୍ରରେ ନିର୍ମାଣ ହୋଇଥିବା ‘ମାସ୍‌ ଡ୍ରାଇଭର୍‌’ ମାଧ୍ୟମରେ ଏହି ଉପଗ୍ରହଗୁଡ଼ିକୁ ମହାକାଶକୁ ପଠାଯାଇପାରିବ। ଚନ୍ଦ୍ରର ଅପେକ୍ଷାକୃତ କମ୍‌ ମାଧ୍ୟାକର୍ଷଣକୁ ବ୍ୟବହାର କରି ବୃହତ୍‌ ପରିମାଣର ବସ୍ତୁକୁ ମହାକାଶକୁ ପଠାଇବାର ଏହି ପ୍ରଣାଳୀ ଭବିଷ୍ୟତରେ ଉପଯୋଗୀ ହୋଇପାରେ। ଏପରି ବ୍ୟବସ୍ଥା ଗ୍ଲୋବାଲ୍‌ ୱାର୍ମିଂ ସମସ୍ୟାକୁ ପ୍ରାୟ ୧ ବିଲିୟନ ବର୍ଷ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିବ ବୋଲି ସେ କହିଛନ୍ତି । 

ମସ୍କ ବିଶେଷ କରି ସମୁଦ୍ରତଟ ଅଞ୍ଚଳକୁ ନେଇ ତତ୍କାଳ ପଦକ୍ଷେପର ଆବଶ୍ୟକତା ଉପରେ ଜୋର୍‌ ଦେଇଛନ୍ତି। ଲୋକମାନେ ଆଜି ଯେଉଁ ସମୁଦ୍ରତଟ ଅଞ୍ଚଳରେ ବସବାସ କରୁଛନ୍ତି, ଆଗାମୀ ଦିନରେ ମଧ୍ୟ ସେଠାରେ ରହିବାକୁ ଚାହାନ୍ତି, ତେବେ ଜଳବାୟୁ ସଙ୍କଟ ବିରୋଧରେ ଦ୍ରୁତ ଗତିରେ କାମ କରିବା ଦରକାର ।ମହାକାଶଭିତ୍ତିକ ପ୍ରଯୁକ୍ତି ବିକଶିତ କରିବା ପାଇଁ ପ୍ରାୟ ୫୦ ବର୍ଷର ସମୟ ରହିଛି। ଏହି ସମୟ ମଧ୍ୟରେ ଏହି କାର୍ଯ୍ୟ କରା ନ ଗଲେ ପୃଥିବୀ ଅଚିରେ ଧ୍ୱଂସ ପାଇଯିବ ବୋଲି ସେ ଆଶଙ୍କା କରିଛନ୍ତି।

About The Author: Madhusudan Das