ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ଦୈନନ୍ଦିନ ଜୀବନରେ କଫି ପିଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ନିକଟରେ ହୋଇଥିବା ଏକ ୧୩ ବର୍ଷର ଲମ୍ବା ରିସର୍ଚ୍ଚରୁ ଜଣାପଡିଛି ଯେ ନିୟମିତ କଫି ପିଇବା ଦ୍ୱାରା ଲିଭର ସୁସ୍ଥ ରହିବା ସହ ଲିଭର କ୍ୟାନସର (Liver Cancer) ଏବଂ ସିରୋସିସ୍ (Cirrhosis) ଭଳି ମାରାତ୍ମକ ରୋଗର ଆଶଙ୍କା ହ୍ରାସ ପାଇଥାଏ।
୩.୫ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ହୋଇଥିଲା ଷ୍ଟଡି
ଏହି ଷ୍ଟଡି ଲସ୍ ଆଞ୍ଜେଲସ୍ ସ୍ଥିତ ସେଡାର୍ସ-ସିନାଇ ହେଲ୍ଥ ସାଇନ୍ସେସ୍ ୟୁନିଭର୍ସିଟି ର ଗବେଷକଙ୍କ ଦ୍ୱାରା କରାଯାଇଥିଲା। ପ୍ରମୁଖ ଗବେଷକ ଡ. ହ୍ୟୁନସୋକ କିମ୍ (Dr. Hyunseok Kim) ଙ୍କ ନେତୃତ୍ୱରେ କରାଯାଇଥିବା ଏହି ରିସର୍ଚ୍ଚ କ୍ଲିନିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ହେପାଟୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଏହି ଷ୍ଟଡିରେ ୟୁକେ ବାୟୋବ୍ୟାଙ୍କର ପ୍ରାୟ ୩,୫୪,୯୫୭ ଲୋକଙ୍କର ସ୍ୱାସ୍ଥ୍ୟ ତଥ୍ୟକୁ ପ୍ରାୟ ୧୩ ବର୍ଷ ଧରି ଅନୁଧ୍ୟାନ କରାଯାଇଥିଲା।
କେତେ କପ୍ କଫି ପିଇବା ଲାଭଦାୟକ?
ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନକୁ ୩ ରୁ ୪ କପ୍ କଫି ପିଇବା ସବୁଠାରୁ ଅଧିକ ଫାଇଦା ଦେଇଥାଏ। ଯେଉଁମାନେ ଦିନକୁ ୫ କିମ୍ବା ତା'ଠାରୁ ଅଧିକ କପ୍ କଫି ପିଅନ୍ତି, ସେମାନଙ୍କ କ୍ଷେତ୍ରରେ: ସିରୋସିସ୍ ର ଆଶଙ୍କା ୩୨% କମିଥାଏ, ଲିଭର କ୍ୟାନସରର ସାଧାରଣ ରୂପ, ହେପାଟୋସେଲ୍ୟୁଲାର୍ କାର୍ସିନୋମା ର ଆଶଙ୍କା ୪୭% ପର୍ଯ୍ୟନ୍ତ କମ୍ ହୋଇଥାଏ ଏବଂ ଲିଭର ଜନିତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ୪୨% ହ୍ରାସ ପାଇଥାଏ। କେବଳ ଏତିକି ନୁହେଁ, ଦିନକୁ ୧ କିମ୍ବା ୨ କପ୍ କଫି ପିଉଥିବା ଲୋକଙ୍କଠାରେ ମଧ୍ୟ ଲିଭର ସମସ୍ୟା ଯଥେଷ୍ଟ କମ୍ ଦେଖିବାକୁ ମିଳିଥିଲା।
ସବୁ ପ୍ରକାରର କଫି ପ୍ରଭାବଶାଳୀ
ଏହି ରିସର୍ଚ୍ଚରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଆପଣ କେଉଁ ପ୍ରକାରର କଫି ପିଉଛନ୍ତି ତାହା ବିଶେଷ ଫରକ ପକାଏ ନାହିଁ। କ୍ୟାଫେନ୍ ଥିବା କିମ୍ବା ଡିକ୍ୟାଫିନେଟେଡ୍ (Decaffeinated) ଉଭୟ କଫି ଲିଭର ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି। ଯଦିଓ ଚିନି ବା ଆର୍ଟିଫିସିଆଲ୍ ସ୍ୱିଟନର୍ ମିଶାଇ ପିଉଥିବା ଲୋକଙ୍କ ଠାରେ ଲାଭ ଦେଖାଯାଇଥିଲା, ତଥାପି ବିନା ଚିନିରେ ଅର୍ଥାତ୍ ଅନସ୍ୱିଟେଣ୍ଡ୍ (Unsweetened) କଫି ପିଇବା ଅଧିକ ସ୍ୱାସ୍ଥ୍ୟକର ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
କିପରି ଲିଭରକୁ ରକ୍ଷା କରେ କଫି?
କଫିରେ ଏମିତି ଅନେକ ବାୟୋଆକ୍ଟିଭ୍ ଯୌଗିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି ଯାହା ଲିଭରକୁ ସୁରକ୍ଷା ଦେଇଥାଏ। ଏମ୍.ଆର୍.ଆଇ (MRI) ସ୍କାନ୍ ଏବଂ ବ୍ଲଡ୍ ପ୍ରୋଟିନ୍ ଆନାଲିସିସ୍ ରୁ ଜଣାପଡିଛି ଯେ, ନିୟମିତ କଫି ପିଉଥିବା ଲୋକଙ୍କ ଲିଭରରେ ଫ୍ୟାଟ୍ ଏବଂ ଆଇରନ୍ ଜମା ହେବା କମ୍ ରହିଥାଏ, ଯାହା ଲିଭରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ସାହାଯ୍ୟ କରେ।






