ଭୁବନେଶ୍ଵର: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ । ମୋବାଇଲ ନମ୍ବର ମାଗିଲା ଦୃର୍ବୁତ୍ତ, ନମ୍ବର ନଦେବାରୁ ଯୁବତୀଙ୍କୁ ଆକ୍ରମଣ କଲା । ଆକ୍ରମଣରେ ଯୁବତୀଙ୍କ ଫାଟିଲା ନାକ ଓ ଆଖି । ରକ୍ତ ଯୁଡୁବୁଡୁ ଅବସ୍ଥାରେ ଲିଙ୍ଗରାଜ ଥାନାରେ ଅଭିଯୋଗ କଲେ ଯୁବତୀ। ସିସିଟିଭି ଯାଞ୍ଚ୍ ସହ ଯୁବକଙ୍କୁ ଧରିବାକୁ ପୁଲିସର ତନାଘନା।
ରାଜଧାନୀ ଭୁବନେଶ୍ଵର ପୁଣି ଯୁବତୀଙ୍କୁ ଅସଦାଚରଣ ସହ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ସୋରୁମରୁ କାମ ସାରି ଘରକୁ ଫେରୁଥିବା ବେଳେ ରବି ଟକିଜ୍ ଛକ ନିକଟରେ ଦୃର୍ବୁତ୍ତ ଜଣଙ୍କ ଯୁବତୀଙ୍କୁ ଅଟକାଇ ଥିଲେ, ପରେ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ। ଅଚିହ୍ନା ଯୁବକ ହଠାତ୍ ମୋବାଇଲ ନମ୍ବର ମାଗୁଥିବା ଦେଖି ଯୁବତୀ ଆଶ୍ଚର୍ଯ୍ୟ ହେବା ସହ ନମ୍ବର ଦେବାକୁ ମନା କରିଥିଲେ। ଦୃର୍ବୁତ୍ତ ଜଣକ ପିଛା କରିକରି ଯୁବତୀଙ୍କ ଡ୍ରେସ୍ ଟଣାଓଟରା କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାରୁ ଦୃର୍ବୁତ୍ତ ଜଣକ ନିଜ ମୋବାଇଲରେ ଯୁବତୀଙ୍କ ନାକ ଏବଂ ଆଖିକୁ ଜୋରଦାର ଆକ୍ରମଣ କରି ଫେରାର ହୋଇଯାଇଥିଲା। ଯାହା ଫଳରେ ଯୁବତୀଙ୍କ ନାକ ଫାଟିବା ସହ ଆଖିରେ ଆଘାତ ବାଜି ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ଲିଙ୍ଗରାଜ ଥାନାକୁ ଯାଇ ଯୁବତୀ ଅଭିଯୋଗ କରିଥିଲେ। ପୋଲିସ ଯୁବତୀଙ୍କୁ ମେଡିକାଲ ଟ୍ରିଟମେଣ୍ଟ କରାଇବା ପରେ ସ୍ପଟ୍ ଭେରିଫିକେସନ୍ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ଘଟଣାସ୍ଥଳର ଆଖପାଖ ସିସିଟିଭି ଯାଞ୍ଚ୍ କରିବା ସହ ଚଢାଉ ଜାରି ରଖିଚି ପୋଲିସ।