ନୂଆଦିଲ୍ଲୀ: ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାଙ୍କୁ ଜିଅନ୍ତା ଜଳାଇବା ମାମଲା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ବଳଙ୍ଗା ଘଟଣାକୁ ନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ‘ଆମେ ଲଜ୍ଜିତ’ ବୋଲି କହିଛନ୍ତି।
ନାରୀ ହିଂସା ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ବଳଙ୍ଗା ଘଟଣାକୁ ଉଲ୍ଲେଖ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଏଭଳି ମାମଲା ଏବେ ବି ଘଟୁଛି। ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଅନ୍ୟ ସମ୍ବନ୍ଧିତ ପକ୍ଷଙ୍କ ଠାରୁ ଠୋସ୍ ପ୍ରସ୍ତାବ ମାଗିଛନ୍ତି। ଗ୍ରାମାଞ୍ଚଳରେ ସ୍କୁଲ ଛାତ୍ରୀ, ମହିଳା ଏବଂ ଶିଶୁଙ୍କୁ ସୁରକ୍ଷିତ ପରିବେଶ ମିଳିବା ଉଚିତ ବୋଲି କହିଛନ୍ତି। ଏମାନଙ୍କ ସଶକ୍ତୀକରଣ ଏବଂ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଜରୁରୀ। ବ୍ଲକସ୍ତରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଦୀର୍ଘକାଳୀନ ପ୍ରସ୍ତାବ ମାଗିଛନ୍ତି। ମହିଳାଙ୍କ ଲାଗି ସାରା ଦେଶରେ ସୁରକ୍ଷିତ ପରିବେଶ ପ୍ରଦାନ ନିମନ୍ତେ ମାର୍ଗଦର୍ଶିକା ଜାରି ଦାବି କରି ଏକ ମାମଲାର ବିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି । ସରକାରଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ନାରୀ ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ ଓଡ଼ିଶାକୁ ଏବେ ଜାତୀୟ ସ୍ତରରେ ନିନ୍ଦିତ ହେବାକୁ ପଡ଼ୁଛି।