ଅନୁଗୁଳ: ସମାଜ ସେବା ପାଇଁ ଇଞ୍ଜିନିଅରିଂ ପାଠ ପଢି ମଧ୍ଯ ଚାକିରି କରିନାହାନ୍ତି। ଆଜୀବନ ଅବିବାହିତ ରହିବାକୁ ନିଷ୍ପତି ନେଲେ । ଏବେ ରାଜନୀତିରେ ପାଦ ଥାପିଛନ୍ତି। ସରପଞ୍ଚ ହୋଇ ଅଞ୍ଚଳବାସୀଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି। ଏଭଳି ଜଣେ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତରେ। ପ୍ରାର୍ଥୀ ଜଣକ ହେଉଛନ୍ତି ଗିରିସ ଚନ୍ଦ୍ର ପ୍ରଧାନ। ବୟସ ୬୦ଟପିଲାଣି। ସେ ଅବିବାହିତ ଅଛନ୍ତି। ଗିରିଶ ଏକାଧାରରେ ଜଣେ ଭଲ ଚାଷୀ, ନିଜ ଅଞ୍ଚଳର ଜଳ ଜମି ଓ ଜଙ୍ଗଲ ବଞ୍ଚାଅ ଆନ୍ଦୋଳନର ପୁରୋଧା ଏବଂ ସମାଜ ସେବୀ। ସେ ଅଞ୍ଚଳରେ ଯାହାର ଯାହା ଅସୁବିଧା ହେଲେ ଗିରିଶ ପହଞ୍ଚି ସହାୟତାର ହାତ ବଢ଼େଇ ଦିଅନ୍ତି। ଦିନ ରାତି ପରିଶ୍ରମ କରି ନିଜ କ୍ଷେତରେ ସୁନା ଫଳାନ୍ତି। ଧାନ, ଗହମ, ମକା, ମାଣ୍ଡିଆ, ସହ ଭଳିକି ଭଳି ପନିପରିବା କରନ୍ତି। ଏବୟସରେ ମଧ୍ୟ ଥକି ପଡୁ ନାହାନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରନ୍ତି। କ୍ଷେତରେ ଯାହା ଉତ୍ପନ୍ନ ହୁଏ ଅଭାବୀ ଲୋକଙ୍କୁ ବାଣ୍ଟି ଦିଅନ୍ତି।
୧୯୯୩ରେ ସେ ବ୍ରହ୍ମପୁର ସ୍ଥିତ ଏକ ଇଞ୍ଜିନିଅରିଂ କଲେଜରେ ପାଠ ପଢିଛନ୍ତି। କିନ୍ତୁ କେବଳ ଜନ ସେବା କରିବାକୁ ଚାକିରି କଲେ ନାହିଁ। ନିଜ ଜୀବନକୁ ଅନ୍ୟର ସେବାରେ ନିୟୋଜିତ କରିଛନ୍ତି। ତାଙ୍କ ଅଞ୍ଚଳରେ ଖଣି ଖଦାନ ପାଇଁ ଅନେକ ଥର ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଗିରିଶ ସବୁଥର ନିଜ ଅଞ୍ଚଳର ସୁନା ଫଳାଉ ଥିବା ଜମି, ଜଙ୍ଗଲ ଓ ପ୍ରାକୃତିକ ନାଳକୁ ବଞ୍ଚାଇବାକୁ ଆନ୍ଦୋଳନର ମଙ୍ଗ ଧରିଛନ୍ତି। ଏଥର ନିଜ ପଞ୍ଚାୟତରେ ସରପଞ୍ଚ ଭାବେ ବିଜୟୀ ହୋଇ ଲୋକଙ୍କ ପାଇଁ ଆହୁରି କିଛି କରିବାକୁ ସ୍ୱପ୍ନ ଦେଖୁଛନ୍ତି। କୃଷି କାର୍ଯ୍ୟ ଓ ସମାଜସେବା କାର୍ଯ୍ୟରୁ କିଛି ସମୟ ବାହାର କରି ଘର ଘର ବୁଲି ପ୍ରଚାର କରୁଛନ୍ତି। ତାଙ୍କ ପ୍ରତି ଲୋକଙ୍କର ରହିଛି ବିପୁଳ ସମର୍ଥନ। ଏଭଳି ଜଣେ ବିରଳ ପ୍ରାର୍ଥୀ ସରପଞ୍ଚ ହେଲେ ନିଶ୍ଚିତ ଭାବେ ପଞ୍ଚାୟତ ତଥା ଲୋକଙ୍କର ଉନ୍ନତି ହୋଇ ପାରିବ ବୋଲି କହିଛନ୍ତି ଅନେକ ପଞ୍ଚାୟତ ବାସୀ। ତେବେ ଗିରିଶ କହିଛନ୍ତି ସେ ତାଙ୍କ ଜୀବନକୁ ଲୋକଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ସେଥିପାଇଁ ସେ ବିବାହ ନକରିବାକୁ ଦୃଢ଼ ନିଷ୍ପତି ନେଇଛନ୍ତି। ନିଜ ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ଦୂର କରି ବିଭିନ୍ନ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ଏବଂ ସରକାରୀ ଅର୍ଥକୁ ସଠିକ ବିନିଯୋଗ କରିବା ଲକ୍ଷନେଇ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।