ଭୁବନେଶ୍ୱର : ସାରା ରାଜ୍ୟର ୧୦୬ଟି ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ଭୋଟ ଗଣତି ଚାଲିଛି। ପ୍ରାୟ ସମସ୍ତ ପୌରସଂସ୍ଥାର ଗଣନା ସରିଥିବା ବେଳେ ଆଉ ମାତ୍ର କିଛି ପୌରସଂସ୍ଥା ଏବଂ ଦୁଇ ମହାନଗର ନିଗମରେ ରେଜଲ୍ଟ ଆସିବାରେ ବାକିଅଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ପୌର ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସମର୍ଥନ ଦେଇଛନ୍ତି ରାଜ୍ୟବାସୀ । ପୌର ନିର୍ବାଚନରେ ବିଜେଡିକୁ ମିଳିଛି ୯୦ ପ୍ରତିଶତରୁ ଅଧିକ ଭୋଟ୍ ।
ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବେଚନରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ମାଟି କାମୁଡିଛନ୍ତି । ଗୋଟିଏ ପଟେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୩.୫ ପ୍ରତିଶତ ଭୋଟ । ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଳିଛି ମାତ୍ର ୪.୫ ପ୍ରତିଶତ ଭୋଟ । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜେଡି ବିଜୟ ପତାକା ଉଡାଇ ଚାଲିଥିବା ବେଳେ ବିରୋଧୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା, ସ୍ବଚ୍ଛ ଓ ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟ ଜିଣିଛି । ଯାହାର ପ୍ରତିଫଳନ ପୌର ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେଡିର ବିକାଶ ଧାରା ଉପରେ ସହରବାସୀ ପୁଣି ଥରେ ବିଶ୍ବାସ ଦେଖାଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ତୃଣମୂଳସ୍ତରୀୟ ନିର୍ବାଚନ। ଏହି ଦୃଷ୍ଟିରୁ ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳ ଆଗାମୀ ଦିନର ରାଜନୈତିକ ସ୍ଥିତି ନେଇ ଦେଇଛି ଭିନ୍ନ ସଙ୍କେତ। ୩୦ ଜିଲ୍ଲାରେ ପରିଷଦ ଗଠନ ସହ ଏକତରଫା ବିଜୟ ହାସଲ କରିଥିବା ବିଜେଡି ପୌର ନିର୍ବାଚନରେ ବିପୁଳ ସଫଳତା ପାଇବା ସହ ନିଜକୁ କେବଳ ଅବଦମିିତ ବୋଲି ପ୍ରମାଣିତ କରିଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପିର କ୍ରମାଗତ ପରାଜୟ ଏବଂ ବିଜେଡିକୁ ମୁକାବିଲା କରିବାରେ ଅକ୍ଷମତା ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି। ଅନୁରୂପ ଭାବରେ ଦଳର ଭୋଟ ପ୍ରତିଶତ ହ୍ରାସ ରାଜ୍ୟରେ ଦୁଇ ବିରୋଧୀଙ୍କ ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅତୀତରେ ପୌରାଞ୍ଚଳର ନିର୍ବାଚନକୁ ତର୍ଜମା କଲେ ଚଳିତ ପୌର ନିର୍ବାଚନରେ ଭୋଟ ହାର ପାଖାପାଖି ୫% ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଅତୀତରେ ଯେତେବେଳେ ଭୋଟ ହାର ବଢ଼଼ିଛି ତାହା ପ୍ରାୟତଃ ବିଜେଡି ସପକ୍ଷରେ ଯାଇଛି। ଚଳିତ ପୌର ନିର୍ବାଚନରେ ସାରା ରାଜ୍ୟରେ ୬୫% ମତଦାନ ହୋଇଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ଭୋଟଦାନ ହାର ମନ୍ଦ ହୋଇନାହିଁ। ବ୍ରହ୍ମପୁରରେ ୩ଟି ୱାର୍ଡ଼ରେ କର୍ପୋରେଟର ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଓ ସାମଗ୍ରିକ ଭୋଟ ହାର ୪୭% ରହିଛି। ରାଜଧାନୀ ଭୁବନେଶ୍ୱରରେ ଭୋଟଦାନ ହାର ୪୩% ଥିବା ସୂଚନା ମିଳିଛି। ଏହା ସତ୍ତ୍ବେ ଦୁଇ ମହାନଗର ନିଗମରେ ବିଜେଡି ସପକ୍ଷରେ ପ୍ରଚଣ୍ଡ ସମର୍ଥନ ମିଳିବା ସମ୍ଭାବନା ରହିଛି।
୧୯୯୭ ମସିହାରେ ପ୍ରଥମାର୍ଦ୍ଧରେ ପୌର ନିର୍ବାଚନ ହୋଇଥିଲା। ସେ ସମୟରେ ଜନତା ଦଳ ମାତ୍ର ୧୮.୭୬% ଭୋଟ ପାଇଥିଲା। ବିଜେପି ୧୮.୫୭% ଏବଂ କଂଗ୍ରେସ ୩୬.୫୪ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୨୩.୬୧% ଭୋଟ ପାଇଥିଲା। ୯୯୭ ମସିହା ଶେଷ ଆଡକୁ ବିଜେଡି ଗଠନ ହୋଇଥିଲା। ବିଜେପି ସହ ମେଣ୍ଟ ହେବା ସହ ୧୯୯୮,୧୯୯୯ ଲୋକସଭା ଏବଂ ୨୦୦୦ ବିଧାନସଭା ଓ ୨୦୦୨ ପଞ୍ଚାୟତ ନିର୍ବାଚନରେ ଭଲ ଫଳ ପ୍ରଦର୍ଶନ କରିଥିଲା। ୨୦୦୩ରେ ମେଣ୍ଟରେ ଥାଇ ବିଜେଡି ୨୬.୬୦% ଏବଂ ବିଜେପି ୨୧.୧୨ % ଭୋଟ ପାଇଥିଲେ। ସେ ସମୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୯.୦୨ % ଭୋଟ ପାଇଥିଲା। ଏହା ପରେ ରାଜ୍ୟ ରାଜନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଥିଲା। ୨୦୦୮ରେ ପ୍ରଥମ ଥର ବିଜେଡି ନିଜ ସହଯୋଗୀ ବିଜେପି ଠାରୁ ଅଲଗା ହୋଇ ନିର୍ବାଚନ ଲଢିଥିଲା। ଯାହାର ଫଳ ସ୍ୱରୂପ ସହରାଞ୍ଚଳରେ ବିଜେଡି ନିଜର ପ୍ରକୃତ ଶକ୍ତି ଜାଣିପାରିଥିଲା। ୨୦୦୮ରେ ବିଜେଡି ୩୩.୨୧%, କଂଗ୍ରେସ ୨୭.୧୩%, ବିଜେପି ୧୮.୫୯ ଏବଂ ସ୍ୱାଧିନ ପ୍ରାର୍ଥୀମାନେ ୧୫.୦୯% ଭୋଟ ହାତେଇଥିଲେ। ଏହାର ଗୋଟିଏ ବର୍ଷ ପରେ ସାଧାରଣ ନିର୍ବାଚନ ହୋଇଥିଲା। ବିଜେଡି ଏକାକୀ ଲଢିବା ସହ କିଛି ଛୋଟ ଦଳଙ୍କ ସହ ଆସନ ବୁଝାମଣା କରି ଶତାଧିକ ବିଧାନସଭା ଆସନ ହାସଲ କରିପାରିଥିଲା। ସେହିପରି ୨୦୧୩ ପୌର ଭୋଟରେ ବିଜେଡି ୪୪.୮୬% ଭଳି ରେକର୍ଡ ଭୋଟ ପାଇଥିଲା। କଂଗ୍ରେସର ଭୋଟ ହ୍ରାସ ପାଇ ୨୬.୬୬% ଏବଂ ବିଜେପିର ଭୋଟ ପ୍ରତିଶତ ୧୨.୦୪% ଖସି ଆସିଥିଲା।
୨୦୦୩, ୨୦୦୮ ଏବଂ ୨୦୧୩ ନିର୍ବାଚନକୁ ହିସାବ କଲେ ବିଜେଡି ଯଥାକ୍ରମେ ୫୩୦,୬୯୮ ଏବଂ ୧୦୨୪ଟି ୱାର୍ଡ ଦଖଲ କରିପାରିଥିଲା। ପ୍ରତିଥର ବିଜେଡି ନିଜ ଆସନ ସଂଖ୍ୟା ବୃଦ୍ଧି କରିପାରିଛି। ହେଲେ ସମାନ ପରିସ୍ଥିତିରେ ବିଜେପି ଏବଂ କଂଗ୍ରେସ ଆସନ ସଂଖ୍ୟା ହ୍ରାସ ପାଇଛି। ବିଜେପି ୩୩୪ ପରେ ୩୧୧ ଏବଂ ଗତ ୨୦୧୩ରେ ମାତ୍ର ୯୪ଟି ୱାର୍ଡରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ୫୦୨ରୁ ୪୬୬, ପରବର୍ତ୍ତୀ ସମୟରେ ୪୨୨ଟି ୱାର୍ଡରେ ପହଞ୍ଚିଥିଲା। ମେୟର/ଅଧ୍ୟକ୍ଷ ପଦ ହାତେଇବାରେ ମଧ୍ୟ ବିଜେଡି ପ୍ରତିଥର ପୂର୍ବ ରେକର୍ଡକୁ ଭାଙ୍ଗି ଚାଲିଛି। ୨୦୦୩ରେ ବିଜେଡି ୪୦ଟି ୨୦୦୮ରେ ୫୦ ଏବଂ ୨୦୧୩ରେ ୭୦ଟି ପଦ ହାସଲ କରିପାରିଥିଲା। ଅପରପକ୍ଷରେ ବିଜେପି ସମାନ ବର୍ଷରେ ପ୍ରଥମେ ୨୨, ପରେ ୨୦ ଏବଂ ୨୦୧୩ରେ ମାତ୍ର ୩ଟି ଅଧ୍ୟକ୍ଷ ପଦ ହାସଲ କରିଥିଲା। ସେହିପରି କଂଗ୍ରେସ ୨୦୦୩ରେ ୨୮, ୨୦୦୮ରେ ୧୬ ଏବଂ ୨୦୧୩ରେ ୧୫ଟି ଅଧ୍ୟକ୍ଷ ପଦ ହାସଲ କରିପାରିଥିଲା। ସାମଗ୍ରିକ ଭାବରେ ଦେଖିଲେ, ଗତ ୨୦୧୩ ପୌର ନିର୍ବାଚନ ଅପେକ୍ଷା ମଧ୍ୟ ଭୋଟ ପ୍ରତିଶତ ୫% ବୃଦ୍ଧି ପାଇଛି।