କାବୁଲ : ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ସେମାନେ ଯୁବତୀ ଏବଂ ବିଧବାଙ୍କୁ ଜୋର ଜବରଦସ୍ତ ବିବାହ କରୁଛନ୍ତି। ଏପରିକି ନିଜ ଲାଳସା ପୂର୍ଣ୍ଣ କରିବା ପାଇଁ ମହିଳାଙ୍କ ଶବକୁ ମଧ୍ୟ ଛାଡୁନାହାନ୍ତି ଆତଙ୍କବାଦୀ। ସେମାନଙ୍କ ଅତ୍ୟାଚାରରେ ଲୋକେ ଅତିଷ୍ଠ ହୋଇ ଘରଦ୍ବାର ଛାଡି ଚାଲିଯାଉଛନ୍ତି। ଏହା ମଧ୍ୟରେ ସରକାର ଗଠନ ପାଇଁ ପ୍ରକ୍ରିଆ ଆରମ୍ଭ କରିଛି ତାଲିବାନ୍। ଆଫଗାନରେ ତାଲିବାନ ଶାସକଙ୍କ ଚେହେରା ସାମ୍ନାକୁ ଆସିଛି। ଦେଶକୁ ଚଲାଇବା ପାଇଁ ତାଲିବାନ ମଙ୍ଗଳବାର ୧୨ ସଦସ୍ୟ ବିଶିଷ୍ଟ ଏକ ପରିଷଦ ଗଠନ କରିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ହକ୍କାନି ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ଖଲିଲ-ଉର-ରେହମାନ ହକ୍କାନି ଏବଂ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ନାମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ତାଲିବାନର ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର, ତାଲିବାନ ପ୍ରତିଷ୍ଠାତାର ପୁଅ ମୁଲ୍ଲା ୟାକୁବ, ପୂର୍ବତନ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଅବଦୁଲ୍ଲା, ହାନିପ ଅତମାର ଏବଂ ଗୁଲବୁଦିନ ଗେକମତୟାରର ନାମ ସାମିଲ ରହିଛି। ତେବେ ୫ ଜଣଙ୍କ ନାମ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇପାରି ନାହିଁ।
ସୂଚନା ଅନୁଯାୟୀ ରାଷ୍ଟ୍ରପତି ଏବଂ ଏମିରେଟ୍ସ ବ୍ୟତୀତ ତାଲିବାନର ୧୨ ସଦସ୍ୟ ବିଶିଷ୍ଟ ପରିଷଦ ଦେଶରେ ଶାସନ କରିବେ। ହକ୍କାନି ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାଲେ ସାମିଲ ରହିଛି। ତାହା ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ରହିଛି। ତାଲିବାନ ମଙ୍ଗଳବାର ନିଜର ଅନ୍ତରୀଣ ସରକାରର ଅନେକ ମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ପୂର୍ବରୁ ତାଲିବାନର ତୀବ୍ର ବିରୋଧୀ ଗୁଲ ଆଗା ଶେରଜଇଙ୍କୁ ସଂଗଠନ ଅର୍ଥମନ୍ତ୍ରୀ ନିଯୁକ୍ତି କରିଛି। ସେ ପୂର୍ବରୁ କାନ୍ଦାହାର ଏବଂ ନଙ୍ଗରହାରର ଗଭର୍ଣ୍ଣର ଥିଲେ। ତାଲିବାନ ବିରୋଧୀ ଲଢେଇରେ ସେ ସିଆଇଏର ପ୍ରମୁଖ ସହଯୋଗୀ ଥିଲେ। ତାଙ୍କୁ ତାଲିବାନର କଂସେଇ କୁହାଯାଏ। କାନ୍ଦାହାରର ଗଭର୍ଣ୍ଣର ଥିବା ସମୟରେ ତାଲିବାନକୁ ନିପାତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ନଙ୍ଗରହାର ଗଭର୍ଣ୍ଣର ଥିବା ସମୟରେ ସଡକ ନିର୍ମାଣ କରାଇଥିଲେ। ତେଣୁ ତାଙ୍କୁ ଆଫଗାନର ବୁଲଡୋଜର ମଧ୍ୟ କୁହାଯାଏ। ସେ କିଛି ଦିନ ତଳେ ତାଲିବାନର ଆନୁଗତ୍ୟ ସ୍ବୀକାର କରିଥିଲେ। ତାଲିବାନ ମୁଲ୍ଲା ସଖାଉହ୍ଲାକୁ କାର୍ଯ୍ୟକାରୀ ଶିକ୍ଷାମନ୍ତ୍ରୀ ଏବଂ ଅବଦୁଲ ବାରିଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀ ନିଯୁକ୍ତ କରିଛି। ସଦ୍ର ଇବ୍ରାହିମ ଅନ୍ତରୀଣ ଗୃହମନ୍ତ୍ରୀ କରାଯାଇଛି। ମୁଲ୍ଲା ସିରିନ କାବୁଲ ଗଭର୍ଣ୍ଣର ଏବଂ ହମଦୁଲ୍ଲା ନୋମାନି କାବୁଲ ମେୟର ହୋଇଛନ୍ତି।
ଏହାରି ମଧ୍ୟରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ କରିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହି ଧମକ ଦେଇଛି। ନାଟୋ ସେନା ୩୧ ତାରିଖ ସୁଦ୍ଧା ଯେକୌଣସି ସ୍ଥିତିରେ ଆଫଗାନ ଛାଡି ଚାଲିଯିବାକୁ କହିଛି। ଏହି ସମୟସୀମାକୁ ଆଉ ବୃଦ୍ଧି କରାଯିବ ନାହିଁ। ସେ ଆଫଗାନରୁ ଦକ୍ଷ ଲୋକଙ୍କୁ ନ ନେବା ପାଇଁ ଆମେରିକାକୁ ଅନୁରୋଧ କରିଛି। ଏହା ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ୩୧ ତାରିଖ ସମୟସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଚଳିତ ମାସ ଶେଷ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।
ମୁଜାହିଦ କହିଛି ଯେ ଆମେରିକା ଡାକ୍ତର, ଇଞ୍ଜିନିୟର ଏବଂ ଶିକ୍ଷିତ ଲୋକଙ୍କୁ ନିଜ ଦେଶକୁ ନେବାକୁ ପ୍ରୋତ୍ସାହନ ଦେବା ଅନୁଚିତ। ବିମାନବନ୍ଦରରେ ଦଳଚକଟା ହେଉଥିବାରୁ ଆଫଗାନ ନାଗରିକଙ୍କୁ ସେଠାକୁ ଯିବାକୁ ଦିଆଯାଉ ନାହିଁ। ଦେଶ ଛାଡି ନଯିବା ପାଇଁ ତାଲିବାନ ଆଫଗାନ ନାଗରିକଙ୍କୁ ଅନୁରୋଧ କରିଛି। ସୁରକ୍ଷା ଦୃଷ୍ଟିରୁ ମହିଳାଙ୍କୁ ଘରେ ରହିବାକୁ କହିଛି ମୁଜାହିଦ। କାମ କରିବା ଲାଗି ମହିଳାଙ୍କ ଉପରେ ସ୍ଥାୟୀ କଟକଣା ଲଗାଯିବ ନାହିଁ। ଏବେ ତାଲିବାନ ପଞ୍ଜିସିରକୁ ନେଇ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଏହି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ। ତାଲିବାନ କାହାକୁ ନିଶାଣ କରୁନାହିଁ। କାହାରି ଘର ତଲାସୀ କରାଯିବ ନାହିଁ। ଆମେ ଏକ ନୂଆ ବ୍ୟବସ୍ଥା, ନୂଆ ସରକାର ପ୍ରତିଷ୍ଠା କରି ଆଫଗାନ ରାଷ୍ଟ୍ର ନିର୍ମାଣ କରିବାକୁ ଚାହୁଁଛୁ। କାବୁଲରୁ ସମସ୍ତ କଟକଣାକୁ ହଟାଯିବ ଏବଂ ବୁଧବାର ଠାରୁ ବ୍ୟାଙ୍କ ଖୋଲିବ ବୋଲି ଘୋଷଣା କରାଯାଇଛି। ଆମେରିକା ଗୁଇନ୍ଦା ଏଜେନ୍ସି ମୁଖ୍ୟଙ୍କ ସହ ମୁଲ୍ଲା ବରାଦର ବୈଠକକୁ ନେଇ କୌଣସି ସୂଚନା ଦେବାକୁ ମୁଜାହିଦ ମନା କରିଦେଇଛି। ସେ ଦେଶ ଛାଡିଥିବା ନେତାଙ୍କୁ ନେଇ କହିଛି ଯେ କେହି ଆମର ଶତ୍ରୁ ନୁହଁନ୍ତି ଏବଂ କୌଣସି ତାଲିକା ପ୍ରସ୍ତୁତ କରାଯାଇ ନାହିଁ। ଯେଉଁମାନେ ଦେଶ ଛାଡି ଯାଇଛନ୍ତି ସେମାନେ ଫେରି ଆସନ୍ତୁ। ପୁଣିଥରେ ବିଦେଶୀ ଦୂତାବାସ ସୁରକ୍ଷାର ଆଶ୍ବସନା ଦେଇଛି ତାଲିବାନ।