ରାଜଧାନୀରେ ମାଳ ମାଳ ଜିମ୍‌; ଜିମ୍ନାସିୟମ୍‌‌ରେ ବାଜି ଲାଗୁଚି ଜୀବନ, ବିପଦ ସାଜିପାରେ ଷ୍ଟେର୍‌‌ଏଡ ଓ ସପ୍ଲିମେଣ୍ଟ୍‌‌

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇଁ ଯୁବପିଢ଼ିଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ସୃଷ୍ଟି ହେଉଛି। ନିଜକୁ ଫିଟ୍‌‌ ରଖିବା ସହ ମସ୍କୁଲାର୍‌‌ ଦେଖାଯିବା ପାଇଁ ଯୋଗ, ବ୍ୟାୟାମ, ଜୁମ୍ବା, ଏରୋବିକ୍‌‌ ଭଳି ବିଭିନ୍ନ ଅଭ୍ୟାସ ସମସ୍ତେ ଆପଣାଉଛନ୍ତି। ଲୋକମାନଙ୍କର ଏଥିପ୍ରତି ଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ସହର ସାରା ଛତୁ ଫୁଟିଲା ଭଳି ଜିମ୍ନାସିୟମ୍‌‌(ଜିମ୍‌‌) ଖୋଲିଛି। ସଂସ୍ଥାଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଯନ୍ତ୍ରାଂଶ ସବୁ ବ୍ୟବହାର କରାଯାଉଛି। ମାତ୍ର ଏସବୁ ପରିଚାଳନା ତଥା […]

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇଁ ଯୁବପିଢ଼ିଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ସୃଷ୍ଟି ହେଉଛି। ନିଜକୁ ଫିଟ୍‌‌ ରଖିବା ସହ ମସ୍କୁଲାର୍‌‌ ଦେଖାଯିବା ପାଇଁ ଯୋଗ, ବ୍ୟାୟାମ, ଜୁମ୍ବା, ଏରୋବିକ୍‌‌ ଭଳି ବିଭିନ୍ନ ଅଭ୍ୟାସ ସମସ୍ତେ ଆପଣାଉଛନ୍ତି। ଲୋକମାନଙ୍କର ଏଥିପ୍ରତି ଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ସହର ସାରା ଛତୁ ଫୁଟିଲା ଭଳି ଜିମ୍ନାସିୟମ୍‌‌(ଜିମ୍‌‌) ଖୋଲିଛି। ସଂସ୍ଥାଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଯନ୍ତ୍ରାଂଶ ସବୁ ବ୍ୟବହାର କରାଯାଉଛି। ମାତ୍ର ଏସବୁ ପରିଚାଳନା ତଥା ଏ କ୍ଷେତ୍ରରେ ଆବଶ୍ୟକ ଶିକ୍ଷା ଦେବା ପାଇଁ କୌଣସି ଗୋଟିଏ ବି ସଂସ୍ଥାରେ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ନାହାନ୍ତି। ଅଣ ପ୍ରଶିକ୍ଷିତ ଟ୍ରେନ୍‌‌ରମାନେ ‘ୟୁ-ଟ୍ୟୁବ୍‌‌’, ‘ଇଣ୍ଟରନେଟ୍‌‌’ ଆଦି ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରି ପ୍ରଶିକ୍ଷଣ ଦେଉଛନ୍ତି। ବିଶେଷକରି ମାଂସପେଶୀ ବୃଦ୍ଧି ତଥା ମସ୍କୁଲାର ହେବା ପାଇଁ ପ୍ରୋଟିନ୍‌‌ ପାଉଡର୍‌‌ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି। ଏହା ସାମୟିକ ସମୟ ପାଇଁ ଶରୀରକୁ ଆକର୍ଷଣୀୟ କରୁଥିବାବେଳେ ପରବର୍ତ୍ତୀ ସମୟରେ ବେଶ୍‌‌ କ୍ଷତିକାରକ ସାବ୍ୟସ୍ତ ହେଉଛି।

କେବଳ ଯୁବପିଢ଼ି ନୁହଁନ୍ତି, ବିଭିନ୍ନ ବୟସର ଲୋକମାନେ ଏହି ଆଖିଦେଖା ସ୍ୱାସ୍ଥ୍ୟ ସଚେତନା ପନ୍ଥା ଆପଣାଉଛନ୍ତି। ବିଶେଷକରି ମଧୁମେହ, ମେଦବହୁଳତା ଆଦି ଦୁରାରୋଗରେ ପୀଡ଼ିତ ବ୍ୟକ୍ତି ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ‘ବଡି ଟ୍ରାନ୍ସ୍‌‌ଫର୍ମେସନ୍‌‌ ପ୍ଲାନ୍‌‌’ ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓଜନ କମାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ସହରସାରା ଖୋଲିଥିବା ଛୋଟ ବଡ଼ ପ୍ରାୟ ୩ଶହରୁ ଅଧିକ ମଲ୍ଟି ଜିମ୍‌‌ ଉପରେ ସରକାରୀ ନିୟନ୍ତ୍ରଣ ଆବଶ୍ୟକ ବୋଲି ବିଶେଷଜ୍ଞ ଦାବି କରିଛନ୍ତି। ତାଙ୍କ କହିବା କଥା, ଜିମ୍‌‌ରେ ଘଣ୍ଟା ଘଣ୍ଟା ସମୟ ବିତାଇବା ପରେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଖା୍‌‌ଇବା ଦରକାର। ମାତ୍ର ଯୁବକମାନେ ଘରେ ପୁଷ୍ଟିକର ଖାଦ୍ୟ ଖାଇବା ପରିବର୍ତ୍ତେ ଜିମ୍‌‌ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରୋଟିନ୍‌‌ ସପ୍ଲିମେଣ୍ଟ୍‌‌କୁ ଅଧିକ ପସନ୍ଦ କରୁଛନ୍ତି। ୱେଟ୍‌‌ ଲିଫ୍‌‌ଟିଙ୍ଗ୍‌‌ (ଭାରୋତ୍ତଳନ), କାର୍ଡିଓ ବ୍ୟାୟାମ, ଓଜନ ପ୍ରଶିକ୍ଷଣ ନେଉଥିବା ଯୁବକମାନେ ବିଭିନ୍ନ ପ୍ରକାରର ପ୍ରି-ୱାର୍କ ଆଉଟ୍‌‌, ପୋଷ୍ଟ୍‌‌ ୱାର୍କ ଆଉଟ୍‌‌ ସପ୍ଲିମେଣ୍ଟ୍‌‌ ଏବଂ ସ୍ପୋର୍ଟସ୍‌‌ ଡ୍ରିଙ୍କ୍ସ୍‌‌ ନେଉଛନ୍ତି। ଜିମ୍‌‌ ତାଲିମ୍‌‌ଦାତାଙ୍କ ପରାମର୍ଶରେ ଏସବୁ ପାଉଡର୍‌‌ ଖାଉଛନ୍ତି। କିନ୍ତୁ ଏଗୁଡ଼ିକର ମାତ୍ରାଧିକ ବା ଭୁଲ୍‌‌ ପରିମାଣର ସେବନ ଯୋଗୁଁ ଜୀବନ ପ୍ରତି ବିପଦ ରହିଛି।

ହୃଦ୍‌‌ରୋଗ ବିଶେଷଜ୍ଞ ମିତ୍ରଭାନୁ ଶତପଥୀଙ୍କ କହିବାନୁସାରେ, ବ୍ୟାୟାମ ଦୁଇ ପ୍ରକାରର ଯଥା ଏରୋବିକ୍‌‌ ଓ ଆନାରୋବିକ୍‌‌। ସାଧାରଣତଃ ଏରୋବିକ୍‌‌ ବ୍ୟାୟାମରେ ରକ୍ତ ପ୍ରବାହରେ ଆଫ୍ଟର୍‌‌ ଲୋଡ୍‌‌ ପଡ଼େ। ଶୋଇକି କିମ୍ୱା ଆଗକୁ ଝୁଲିକି ଅଧିକା ଓଜନ ଉଠାଇବା ସମୟରେ ଶରୀରରେ ଯେଉଁ ଚାପ ପଡ଼ିଥାଏ, ତାହା ଏକ ମେଡିକାଲ ଟମ୍‌‌ର୍ ‘ଭାଲ୍ସାଲଭା ମାନେଭର୍‌‌’ ସହ ସମାନ। ଫଳରେ ହୃତ୍‌‌ପିଣ୍ଡର ରକ୍ତ ନଳୀ ଫାଟିବାଠାରୁ ଆରମ୍ଭ ‘ଆରିଥ୍‌‌ମିଆ’ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥାଏ ଏବଂ ହୃଦ୍‌‌ଘାତର କାରଣ ପାଲଟିଥାଏ। ଅନ୍ୟପକ୍ଷରେ ମସଲ୍‌‌ ଗେନ୍‌‌ ପାଇଁ ନିଆଯାଉଥିବା ଷ୍ଟେର୍‌‌ଏଡ୍‌‌ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ଏହା ବ୍ଲଡ୍‌‌ ଭଲ୍ୟୁମ୍‌‌ ବଢ଼଼ାଇଥାଏ, ଯାହା ହୃତ୍‌‌ପିଣ୍ଡର ସ୍ପନ୍ଦନକୁ ଅଧିକ ମାତ୍ରାରେ ବୃଦ୍ଧି କରାଇ ଅନିୟମିତତା ସୃଷ୍ଟି କରେ ଏବଂ ଏହା ମଧ୍ୟ ହୃଦ୍‌‌ଘାତର ଅନ୍ୟତମ କାରଣ ହୋଇଥାଏ ବୋଲି ସେ କହିଛନ୍ତି। ତେଣୁ କେଉଁ ବ୍ୟାୟାମ କେତେ ସମୟ ପର୍ଯ୍ୟନ୍ତ କରିବା କଥା, ତାହା ବଡ଼ କଥା।

ଜଣେ ବରିଷ୍ଠ ନ୍ୟୁଟ୍ରେସନିଷ୍ଟ୍‌‌ କହିଛନ୍ତି ଯେ, ସପ୍ଲିମେଣ୍ଟ୍‌‌ଗୁଡ଼ିକରେ ପ୍ରାୟତଃ ଆମିନୋ ଏସିଡ୍‌‌ ରହିଥାଏ। ଏହା ଶରୀରରେ ମେଟାବୋଲିକ୍‌‌ ଅସନ୍ତୁଳନ କରାଏ। ଏହା ହର୍‌‌ମୋନ ଉପରେ ପ୍ରଭାବ ପକାଇବା ସହ ବିଭିନ୍ନ ଅର୍ଗାନ୍‌‌ ଡିଜ୍‌‌ଅର୍ଡର୍‌‌ର ମଧ୍ୟ ସମ୍ଭାବନା ସୃଷ୍ଟି କରେ। ଏଣୁ ଶରୀରର ଆବଶ୍ୟକତା ଅନୁଯାୟୀ କେତେ ଜିମିଂ ଏବଂ କେଉଁ ସପ୍ଲିମେଣ୍ଟ୍‌‌ ଫଳପ୍ରଦ ହେବ, ସେନେଇ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

About The Author: The Sakala