ଆସନ୍ତା ୧୦ ତାରିଖରେ ମାଣ୍ଡିଆ ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ଯକାରୀ ହୋଇଥିଲା […]

ଭୁବନେଶ୍ୱର: ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ଯକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ଯକାରୀ ହେଉଛି ।

ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି।

ମିଲେଟ ଉତ୍ପାଦନ ଓ ଏହାର ଚାଷକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶାର ସମକକ୍ଷ କେହି ନୁହନ୍ତି। ଓଡ଼ିଶା ମିଲେଟ ମିଶନର ସଫଳତାକୁ ସ୍ୱୀକୃତି ମିଳିଛି। ଉତ୍ପାଦନ ଓ ଚାଷ ପାଇଁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଷକ ଅନାଜ ପୁରସ୍କାର ମଧ୍ୟ ମିଳିଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‍ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍‍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି। ଏହି ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସହର ତଥା ଗ୍ରାମାଞ୍ଚଳର ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର ପାଇଁ ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକି ଦେଶରେ ପ୍ରଥମ। ମିଲେଟ୍‍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‍ ମିଶନ୍‍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ଭାରତ ସରକାର ମିଲେଟ୍‍ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‍କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍‍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଲେଟ୍‌ ଓ କାଫେ ଖୋଲାଯାଉଛି। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‍)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍‍ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‍କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି।

About The Author: The Sakala