ଲାଞ୍ଚ ମାମଲାରେ ବାଲିଆପାଳ ସବ-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା। ମହଙ୍ଗା ପଡ଼ିଲା ୭ ହଜାର ଟଙ୍କା ଲାଞ୍ଚ ନେବା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବାଲିଆପାଳ ସବ-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେ ଜଣେ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ଭାବେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ କାର୍ଯ୍ୟରତ ଥିଲେ। 

 ସୂଚନା ଅନୁଯାୟୀ, ଗତ ନଭେମ୍ବର ୬ ତାରିଖରେ ଏକ ଜମି ପଞ୍ଜିକରଣ ଏବଂ ବିକ୍ରୟ ଦଲିଲ୍ କାର୍ଯ୍ୟକାରୀ କରିବା ପାଇଁ ସେ ୭,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଏହାପରେ ନଭେମ୍ବର ୭ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନୀଷା ମିଶ୍ର ନିଜର ପ୍ରୋବେସନ୍ ଅବଧି ମଧ୍ୟ ଶେଷ କରିନଥିଲେ। ତେବେ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ରାଜ୍ୟ ସରକାର ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରି ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।

About The Author: Madhusudan Das