ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କୁ ଛୁରାମାଡ଼। ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସତ୍ୟନାରାୟଣ ସାହୁଙ୍କୁ ଜଣେ ଠିକା ସଫେଇ କର୍ମଚାରୀ କ୍ୟାମ୍ପସ ଭିତରେ ଛୁରାମାଡ଼ କରି ଗୁରୁତର ଆହତ କରିଛନ୍ତି। ଏହି ଆକ୍ରମଣ ପରେ ସମଗ୍ର କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ସୁଇପର (ଝାଡୁଦାର) ରସାୟନ ବିଜ୍ଞାନ ବିଭାଗ ଭିତରକୁ ପଶି ଆସିଥିଲେ। କୌଣସି କାରଣକୁ ନେଇ ସେ ପ୍ରଫେସର ଡ. ସତ୍ୟନାରାୟଣ ସାହୁଙ୍କ ଉପରକୁ ହଠାତ୍ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। କିଛି ଦିନ ତଳେ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା । ପ୍ରତିକ୍ରିୟାଶୀଳ ହୋଇ ଅଧ୍ୟାପକଙ୍କୁ ଛୁରାମାଡ଼ କରିଥିବା ସୂଚନା । ଛୁରାମାଡ଼ ଯୋଗୁଁ ପ୍ରଫେସର ସାହୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି, ସେ ନେଇ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଗୁରୁତର ଅବସ୍ଥାରେ ପ୍ରଫେସର ସାହୁଙ୍କୁ ତୁରନ୍ତ ବୁର୍ଲା ସ୍ଥିତ ଭୀମସାର (VIMSAR) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ଥାନା ପୋଲିସ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।