ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ରାୟଗଡ: ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତା ହାତୀର ଜୀବନ । ରାୟଗଡ ଜିଲ୍ଲା ବିଷମକଟକ ବନ ବିଭାଗ ଅଧୀନରୁ ଆସିଛି ଏପରି ଏକ ଦୁଃଖଦ ଖବର। ବିଷମକଟକ ଓ ଥେରୁବାଲି ରେଳ ଷ୍ଟେସନ ମଧ୍ୟରେ ବଡ଼ ବୃନ୍ଦାବାଡ଼ି ନିକଟ ରେଳଧାରଣାର କିଲୋମିଟର ୩୧୨/୫-୭ରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବିଷମକଟକ ଷ୍ଟେସନରୁ ଥେରୁବାଲି ଅଭିମୁଖେ ଯାଉଥିବା ଏକ ଆଲୋକ ଇଞ୍ଜିନ ସହ ଦନ୍ତା ହାତୀଟିର ଧକ୍କା ହୋଇଥିଲା। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା ସୂଚନା ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଅଞ୍ଚଳରେ ହାତୀପଲଙ୍କ ଗତିବିଧି ରହୁଥିବାରୁ ରେଳ ବିଭାଗ ପକ୍ଷରୁ ଟ୍ରେନର ବେଗ ନିୟନ୍ତ୍ରଣ ସହ ହର୍ଣ୍ଣର ବ୍ୟାପକ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଥିବା କୁହାଯାଉଛି। ତେବେ ଏଭଳି ସତର୍କତା ସତ୍ତ୍ୱେ ଦନ୍ତା ହାତୀଟି ଟ୍ରେନ ଧକ୍କାରେ କିଭଳି ପ୍ରାଣ ହରାଇଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ ବନ ବିଭାଗ ଓ ରେଳ ବିଭାଗର ତଦନ୍ତ ପରେ ସ୍ପଷ୍ଟ ହେବ।

About The Author: Madhusudan Das