ସମସ୍ତଙ୍କ ଜିଜ୍ଞାସାର କେନ୍ଦ୍ର ପାଲଟିଛନ୍ତି ପ୍ରାଚୀନ ଭାଷା ‘ସଉରା’ ଓ ତା’ର ସ୍ରଷ୍ଟା ମାଙ୍ଗାଇ ଗମାଙ୍ଗ

ରାୟଗଡ଼ା/ପଦ୍ମପୁର(ଆଦିତ୍ୟ ମିଶ୍ର): ଗୋଟେ ଭାଷା ସୃଷ୍ଟି ହେବା ପରେ ପିଢ଼ି ପରେ ପିଢ଼ି ମାର୍ଜିତ ହୁଏ। ଆମ ଦେଶରେ ଅନେକ କଥିତ ଆଦିବାସୀ ଭାଷା ଅଛି। କିଛି ଭାଷାର ଲିପି ଅଛି, ଆଉ କିଛି ଭାଷା, ଲିଖିତ ପରିପ୍ରକାଶ ପାଇଁ ଅନ୍ୟ ଲିପି ଉପରେ ନିର୍ଭରଶୀଳ। ଆମ ରାଜ୍ୟର ଏକ ପୁରାତନ ଭାଷା ସଉରା ଭାଷା କିନ୍ତୁ ଏ ଦୃଷ୍ଟିରୁ ଭାରି ସୌଭାଗ୍ୟଶାଳୀ। ଏ ଭାଷାର ନିଜସ୍ୱ ଲିପି ଅଛି। ସ୍ୱାଭାବିକ ଭାବେ ଏ ପ୍ରାଚୀନ ଲିପିର […]

ରାୟଗଡ଼ା/ପଦ୍ମପୁର(ଆଦିତ୍ୟ ମିଶ୍ର): ଗୋଟେ ଭାଷା ସୃଷ୍ଟି ହେବା ପରେ ପିଢ଼ି ପରେ ପିଢ଼ି ମାର୍ଜିତ ହୁଏ। ଆମ ଦେଶରେ ଅନେକ କଥିତ ଆଦିବାସୀ ଭାଷା ଅଛି। କିଛି ଭାଷାର ଲିପି ଅଛି, ଆଉ କିଛି ଭାଷା, ଲିଖିତ ପରିପ୍ରକାଶ ପାଇଁ ଅନ୍ୟ ଲିପି ଉପରେ ନିର୍ଭରଶୀଳ। ଆମ ରାଜ୍ୟର ଏକ ପୁରାତନ ଭାଷା ସଉରା ଭାଷା କିନ୍ତୁ ଏ ଦୃଷ୍ଟିରୁ ଭାରି ସୌଭାଗ୍ୟଶାଳୀ। ଏ ଭାଷାର ନିଜସ୍ୱ ଲିପି ଅଛି। ସ୍ୱାଭାବିକ ଭାବେ ଏ ପ୍ରାଚୀନ ଲିପିର ସ୍ରଷ୍ଟା ମାଙ୍ଗାଇ ଗମାଙ୍ଗଙ୍କୁ ଏ ଜନଜାତି ଭଗବାନ ଆସନରେ ବସାଇଛି।

ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଏକ ମହାନ କାମର ମୂଳଦୁଆ ପକାଇଛନ୍ତି। ଏ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ସ୍ୱାଭାବିକ ଭାବେ ସମସ୍ତଙ୍କ ଜିଜ୍ଞାସାର କେନ୍ଦ୍ର ପାଲଟିଛନ୍ତି ଏ ପ୍ରାଚୀନ ଭାଷା ଓ ତା’ର ସ୍ରଷ୍ଟା ମାଙ୍ଗାଇ ଗମାଙ୍ଗ।

ବର୍ତ୍ତମାନର ରାୟଗଡ଼ା ଜିଲ୍ଲାର ପଦମପୁର ବ୍ଲକର ଶବରପଲ୍ଲୀ ମରିଚଗୁଡ଼ାରେ ୧୯୧୬ ମସିହା ଜୁନ୍‌‌ ୧୬ ତାରିଖରେ ଜନ୍ମ ହୋଇଥିଲେ ମାଙ୍ଗାଇ ଗମାଙ୍ଗ। ପ୍ରତିଭାବାନ ଥିଲେ ମାଙ୍ଗୋଇ। ଗୁଣପୁରରୁ ଶିକ୍ଷା ସମାପ୍ତ ପରେ ସେ ପୁରୀରେ ଫାର୍ମାସୀ ପଢିଥିଲେ। ଫାର୍ମାସୀ ପଢିବା ଓ ତାଲିମ ନେବା ବେଳେ ତାଙ୍କର ଭାଷା ଓ ବେଶଭୂଷା ପାଇଁ ଅନେକ ତାତ୍ସଲ୍ୟର ଶିକାର ହୋଇଥିଲେ ମାଙ୍ଗାଇ। କିନ୍ତୁ ମହାନ ଲୋକମାନଙ୍କୁ ତାତ୍ସଲ୍ୟ, ସମାଲୋଚନା କେବେ ଅଟକାଇ ପାରେନି। ଫାର୍ମାସୀ ପଢିଥିଲେ ମଧ୍ୟ ନିଜର ଭାଷାକୁ ଉପରକୁ ନେବା ପାଇଁ ସେ ଉଦ୍ୟମ କରିଥିଲେ। ବାରମ୍ବାର ସରକାରୀ ଚାକିରି ପାଇଁ ଡକରା ଆସିଥିଲେ ମଧ୍ୟ ସେ ତା’କୁ ପ୍ରତ୍ୟାଖ୍ୟାନ କରିଥିଲେ। ନିଜ ଭାଷା ଓ ଲିପି ପାଇଁ ସଂଗ୍ରାମ ଜାରି ରଖିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାଙ୍ଗାଇ ନିଜ ମାମୁଁ ତଥା ସପ୍ତାଙ୍ଗ ଯୋଗ ସାଧକ ପଦ୍ମପୁର ଗ୍ରାମ ପାଖ ଗୁଡିଆବନ୍ଧର ମାଳିଆ ଗମାଙ୍ଗଙ୍କୁ ନିଜ ଗୁରୁ ଭାବେ ଗ୍ରହଣ କରି ଉଭୟେ ସାଧନା ଆରମ୍ଭ କଲେ। ବିଡମ୍ୱନା; ମାତ୍ର କିଛି ଦିନ ଭିତରେ ଗୁରୁଙ୍କୁ ହରାଇଥିଲେ ମାଙ୍ଗାଇ। କିନ୍ତୁ ନିରାଶ ନ ହୋଇ ସାଧନା ଜାରି ରଖିଥିଲେ। ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ଶବର ଜାତିର ଆରାଧ୍ୟ ନୀଳ ମାଧବ (ପରମବ୍ରହ୍ମ) ଅକ୍ଷର ବ୍ରହ୍ମ ଭାବେ ବନ୍ନମ ପାହାଡ଼ରେ ବିରାଜିତ ହୋଇଛନ୍ତି। ଏହାପରେ ସେ ଅକ୍ଷର ବ୍ରହ୍ମଙ୍କୁ ଆବିଷ୍କାର କରିଥିଲେ। ଏଥିରୁ ହିଁ ସୃଷ୍ଟି ହୋଇଥିଲା ଶବର ଅକ୍ଷରମାଳା। ଏଥିରେ ରହିଛି ୧୮ଟି ବ୍ୟଞ୍ଜନ ବର୍ଣ୍ଣ, ୬ଟି ସ୍ୱରବର୍ଣ୍ଣ ଏବଂ ଗୋଟିଏ ସହାୟକ ବର୍ଣ୍ଣ ଓ ୧୦ଟି ସଂଖ୍ୟା।

ମାଙ୍ଗାଇ ସଉରା ଭାଷା ଓ ଲିପିର ପ୍ରଚାର ପ୍ରସାର ପାଇଁ ବହୁତ ଉଦ୍ୟମ କରିଥିଲେ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୫ଟି ଉପକେନ୍ଦ୍ର ସ୍ଥାପନ କରି ସଉରା ଭାଷାର ପ୍ରଚାର ପ୍ରସାର କରିଥିଲେ। ତାଙ୍କ ଉଦ୍ୟମରେ ସଉରା ଭାଷା ପାଇଁ ମାତରବନ୍ନମ ପ୍ରେସ୍‌‌ ମଧ୍ୟ ସ୍ଥାପିତ ହୋଇଥିଲା। ସେ ସଉରା ଭାଷାରେ ପୌରାଣିକ ଗ୍ରନ୍ଥ ରଚନା କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ଶବର ଜାତିର ପୂଜା ପାଠରେ ରକ୍ତ, ମଦ, ମାଂସ ପରିବର୍ତ୍ତେ ଫଳମୂଳ ହିଁ ଅର୍ପଣ ହୋଇ ଆସୁଛି। ସଉରା ଭାଷା ଓ ଲିପିର କ୍ରମ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଙ୍ଗାଇଙ୍କୁ ଆଦିବାସୀ ସମ୍ପ୍ରଦାୟ ‘ଶବର ପଣ୍ଡିତ’ ଉପାଧି ପ୍ରଦାନ କରିଛନ୍ତି। ତାଙ୍କର ପ୍ରତିଭା ଅନେକ ପୁସ୍ତକ ଓ ଗବେଷଣାରେ ସ୍ଥାନ ପାଇଛି। ୧୯୫୪-୫୫ରେ ପ୍ରକାଶିତ ଏକ ପ୍ରସିଦ୍ଧ ପୁସ୍ତକ ‘Goichha’s Directory Who’s Who in India’ରେ ମଧ୍ୟ ସ୍ଥାନ ପାଇଛି ମାଙ୍ଗାଇଙ୍କ ନାମ। ମାଙ୍ଗାଇ ଅନେକ ସମ୍ମାନର ଅଧିକାରୀ ହେବା ସହ ଗୋଟେ ଜାତିର ଅସ୍ମିତାର ସୁରକ୍ଷା ପାଇଁ ଚିରପୂଜ୍ୟ ହୋଇ ରହିଛନ୍ତି।

About The Author: The Sakala