ପୋଲସରା(ମନୋଜ କୁମାର ଘଡ଼େଇ): କୌଣସି କାମ ଛୋଟ କିମ୍ୱା ବଡ଼ ନୁହଁ। ଉତ୍ତମ ସ୍ୱଭାବ ଓ ସଠିକ କର୍ମ ହିଁ ମଣିଷର ପରିଚୟ। କୋମଳ ବ୍ୟବହାର ଓ ଭଲ କାମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏଭଳି ଏକ ନାରୀ ହେଉଛନ୍ତି ପୋଲସରା ଅଞ୍ଚଳର ଲକ୍ଷ୍ମୀ ଦାସ।
ଆଜି ବି ଚିହ୍ନା ଅଚିହ୍ନା ବାଟୋଇଙ୍କ ପାଦର ପାଣ୍ଢେଇକୁ ସଜାଡ଼ି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଜକୁ ୨୭ବର୍ଷ ଧରି ପୋଲସରା ପୁରୁଣା ପୁଲିସ ଫାଣ୍ଡି ସମ୍ମୁଖରେ ନିଜର କୌଳିକ ବୃତ୍ତିକୁ ଆପଣାଇ ଲୋକଙ୍କ ପୁରୁଣା ଛିଣ୍ଡା ପାଣ୍ଢେଇ ତଥା ଚପଲକୁ ସିଲାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀ ଦାସ। ଛିଣ୍ଡା ଅସଜଡା ଚପଲକୁ ପ୍ଲାଷ୍ଟିକ ସୂତାରେ ଯୋଡ଼ି ମଧୁର ସମ୍ପର୍କର ସେତୁବାନ୍ଧନ୍ତି ଲକ୍ଷ୍ମୀ। ତାଙ୍କ ସେବା ମନବୃତ୍ତି ଯୋଗୁଁ ସେ ଚିହ୍ନା ଅଚିହ୍ନା ସମସ୍ତଙ୍କ ଆଗରେ ସୁପରିଚିତ। ଲକ୍ଷ୍ମୀଙ୍କ ପରିବାର କହିଲେ ମାଁ ସାବିତ୍ରୀ ଦାସ ଓ ଏକମାତ୍ର ଝିଅ। ଆଜକୁ ୩୦ବର୍ଷ ଅର୍ଥାତ ବିବାହର ମାତ୍ର ୩ ବର୍ଷ ପରେ ସେ ନିଜ ସ୍ୱାମୀଙ୍କୁ ହରାଇଥିଲେ ହେଁ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି। ବାଦ ବିବାଦର ସଂଘର୍ଷ ଭିତରେ ସମ୍ପୂର୍ଣ୍ଣ ପରିବାର ବୋଝକୁ ମୁଣ୍ଡରେ ଧରି ସ୍ୱାମୀ ଛାଡ଼ି ଯାଇଥିବା ନିଜ କୌଳିକ ବୃତ୍ତିକୁ ଆପଣାଇ ନେଇଛନ୍ତି। ଲକ୍ଷ୍ମୀ ନିଜେ ଅଶିକ୍ଷିତ ହୋଇ ମଧ୍ୟ ନିଜ ଝିଅକୁ ଉଚ୍ଚଶିକ୍ଷିତ କରାଇ ଝିଅର ବାହାଘର କରିଥିଲେ। ପରିସ୍ଥିତିର ପ୍ରତ୍ୟେକଟି ଜୁଆରକୁ ସାମ୍ନା କରି ଘରର ସମସ୍ତ ଦାୟିତ୍ୱ ଗ୍ରହଣ କରି ଲକ୍ଷ୍ମୀ ଆଜି ଅନ୍ୟମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।