ଭୁବନେଶ୍ବର: ଏଟିଏମ ଲୁଟ ଉଦ୍ୟମ କୁ ପଣ୍ଡ କଲା ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତ ମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି । ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଏଟିଏମ ଭିତରେ ପଶିବା ସହିତ ଏଟିଏମ ମେସିନର ତଳ ଭାଗକୁ ବାଡେଇ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେଠାରେ ଲାଗିଥିବା ସିକ୍ଯୁରିଟି ଏଲାର୍ମ ସିଷ୍ଟମ ମାଧ୍ୟମରେ କଣ୍ଟ୍ରୋଲରୁମକୁ ଏକ ମେସେଜ ଯାଇଥିଲା ଏବଂ ସେଠାରୁ ସେମାନେ ବାଲିଅନ୍ତା ଥାନାକୁ ଯୋଗାଯୋଗ କରିଥିଲ।
କଣ୍ଟ୍ରୋଲରୁମରୁ ସୂଚନା ପାଇବା ପରେ କନଷ୍ଟେବଲ ସବିତ କୁମାର ଭୋଳଙ୍କ ତତ୍ବାବଧାନରେ ପିସିଆର-୬ର ସଦସ୍ୟ ମାନେ ତୁରନ୍ତ ଘଟଣା ସ୍ଥଳକୁ ଯିବା ସହିତ ରାତ୍ରିକାଳୀନ ପେଟ୍ରୋଲିଂ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଯାହାଫଳରେ ଏକ ବଡଧରଣର ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରାଯାଇ ପାରିଥିଲା । ବାଲିଅନ୍ତା ଥାନା ଇନ୍ସପେକଟର ଓ ଅନ୍ଯାନ୍ଯ ଅଧିକାରୀ ସହିତ ପିଓପିଡି ଟିମ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏଟିଏମ ଭିତରେ ଲାଗିଥିବା ସିସି ଟିଭି ଏବଂ ଏହାର ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି।