ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଏପଟେ ଆଜି ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନରେ ସ୍ଵାଭାବିକ ହେବ । ଅଧିକାରୀଙ୍କ ସହ ଆଲୋଚନା କରିଛି । ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି । ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।
ଅନ୍ୟପଟେ ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି।