ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ପହଞ୍ଚି ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି। ଜିଲ୍ଲା ଗସ୍ତରେ ଆସି ଶ୍ରୀ ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ଯବାନ ମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନବଳ ବଢାଇଥିଲେ। ଏହାସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲ୍ଲା ସଦରରରେ ଥିବା ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଆଇଜି ସି.ଡି ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବିଏସଏଫର ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୁଲିସ ଅଧିକାରୀଙ୍କ ସହିତ ମାଓ ଦମନର ରଣନିତି ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଯାହା ସମସ୍ଯା ଅଛି ତାହାକୁ ସମାଧାନ କରାଯିବା ସହ ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖୁରାନିଆ ପ୍ରକାଶ କରିଥିଲେ।
ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି। ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରୁ ବିଏସଏଫ ଯବାନଙ୍କୁ ସ୍ଥାନାନ୍ତର ବିଷୟରେ ସେ ପ୍ରକାଶ କରିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳରେ ଯେଉଁ ଶାନ୍ତି ଫେରି ଆସିଛି ତାହା ସବୁବେଳେ ରହିବା ପାଇଁ ଆମର ପ୍ରୟାସ ରହିବ। ସ୍ଵାଭିମାନ ଅଞ୍ଚଳରେ ସବୁବେଳେ ସୁରକ୍ଷା ବଳର ସ୍ଵତନ୍ତ୍ର କ୍ୟାମ୍ପ ରହିବ, ତେଣୁ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହି ବୋଲି ଶ୍ରୀ ଖୁରାନିଆ ଲୋକଙ୍କୁ ଅପିଲ କରିଥିଲେ। ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି ଅପରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସଆଇଡବ୍ଲ୍ୟୁ କେଭି ସିଂ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥ ପ୍ରମୁଖଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।