ଅଗଷ୍ଟ ୪ ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୪ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭିଭିଆଇପି ସୁରକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ବ୍ଲୁ ବୁକ୍ ପ୍ରୋଟୋକଲକୁ ଅନୁସରଣ କରିବାକୁ ଡିଜିପି ସମସ୍ତ ୟୁନିଟ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ନୋଡାଲ୍ ଅଫିସରମାନଙ୍କୁ ନିଯୁକ୍ତ କରାଯାଉଛି। ପ୍ରସ୍ତୁତି ସ୍ୱରୂପ ଆଣ୍ଟି-ସାବୋଟେଜ୍ ଯାଞ୍ଚ, ଟ୍ରାକ୍ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଏବଂ ଗସ୍ତ ରାସ୍ତାରେ ଥିବା ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ କଡ଼ା ପହରା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଡ୍ରୋନ୍ ମାଧ୍ୟମରେ ସୁରକ୍ଷା ଯାଞ୍ଚ ଏବଂ ନିରନ୍ତର ଭେନ୍ୟୁ ପରିଦର୍ଶନ କାର୍ଯ୍ୟ ଜାରି ରହିଛି।

ରାଷ୍ଟ୍ରପତିଙ୍କ ଏହି ଗସ୍ତ ଯେପରି ସୁରୁଖୁରୁରେ, ନିରାପଦରେ ଏବଂ ସମ୍ମାନଜନକ ଭାବେ ସମ୍ପନ୍ନ ହେବ, ସେଥିପାଇଁ ଡିଜିପି ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ପୋଲିସ, ରେଳବାଇ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ନିବିଡ଼ ସମନ୍ୱୟ ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।

About The Author: Madhusudan Das