ଦୁଷ୍କର୍ମ ପୀଡ଼ିତାଙ୍କୁ ଫେବର୍‌ ମାଗୁଛି ପୁଲିସ: ବିଜେଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୫ ଜୁନ୍‌ରେ ଘଟିଥିବା ବହୁଚର୍ଚ୍ଚିତ ଏକ ଦୁଷ୍କର୍ମ ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୀଡ଼ିତାଙ୍କୁ ଏଯାଏଁ ନ୍ୟାୟ ମିଳିପାରିନାହିଁ। ପୀଡ଼ିତାଜଣଙ୍କ ବାରମ୍ୱାର ପୁଲିସର ଦ୍ୱାରସ୍ଥ ହୋଇ ନିରାଶ ହୋଇଛନ୍ତି। ପୀଡ଼ିତାଙ୍କୁ ପୁଲିସ ନ୍ୟାୟ ଦେବା ବଦଳରେ ତାଙ୍କର ଶୋଷଣ କରିଛି ବୋଲି ସଂଗିନ୍‌ ଅଭିଯୋଗ କରିଛି ବିଜେଡି। ଏହାସହ ଏହି ଘଟଣାକୁ ଦଳ ତୀବ୍ର ନିନ୍ଦା କରିଛି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ ବିଜୁ ଯୁବ ଜନତା ଦଳର ମହାସଚିବ ସୋଫିଆ ଆଲାମ ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଠୋର୍‌ ସମାଲୋଚନା କରିଛନ୍ତି। 

ଇପ୍ସିତା କହିଛନ୍ତି, ୨୦୨୫ ମସିହାରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ପାଖରୁ ଭରତପୁର ଥାନା ଏସ୍‌ଆଇ ପାର୍ଥସାରଥୀ ସ୍ୱାଇଁ, ଗଙ୍ଗାଧର ରାହୁଳ, କନଷ୍ଟେବଲ ସର୍ବେଶ୍ୱର ଦାସ ଓ ଆର୍‌ ସତୀଶ ରାଓ ତଦନ୍ତ ଆଳରେ ଟଙ୍କା ହଡ଼ପ କରିଛନ୍ତି। ଆସାମୀକୁ ଧରିବା ବାହାନରେ ବିମାନଯାତ୍ରା କରିବା ପାଇଁ ଟିକେଟ୍‌ ନେଇଛନ୍ତି। ବିଭିନ୍ନ ଆଳ ଦେଖାଇ ରାତି ଅଧରେ ତାଙ୍କୁ ନେଗେଟିଭ ଫେବର୍‌ ମାଗିଛନ୍ତି। ଏ ସମସ୍ତ ଘଟଣାରୁ ଜଣାପଡ଼ୁଛି ଯେ ପୁଲିସ୍‌ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଶୋଷଣ କରିବା ପାଇଁ ସବୁପ୍ରକାର ପଦକ୍ଷେପ ନେଇଛି। ପୁଲିସ୍‌ ପାଖରୁ ନିରାଶ ହେବା ପରେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ଏହି ଘଟଣାରେ ପୁଲିସ୍‌ ଡିଜି ଅବଗତ ଅଛନ୍ତି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। 

ତେବେ ଏତେ ସବୁ ନିର୍ଯାତନା ପରେ ଶେଷରେ ବାଧ୍ୟ ହୋଇ ମହିଳାଜଣଙ୍କ ଗଣମାଧ୍ୟମ ସମ୍ମୁଖରେ ନିର୍ଯାତନାର କାହାଣୀ ବଖାଣିଥିଲେ। ଗଣମାଧ୍ୟମରେ ମୁହଁ ଖୋଲିବା ପରେ ତାଙ୍କୁ ଅଜଣା ନମ୍ୱରରୁ ହତ୍ୟା ଧମକ ମିଳୁଛି। ତେଣୁ, ପୀଡ଼ିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀମାନଙ୍କୁ ଚାକିରିରୁ ବହିଷ୍କୃତ କରିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବିଜେଡି ଦାବି କରିଛି। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେଡି ଏ ଲଢେ଼ଇ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

About The Author: Madhusudan Das