ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ। ତଥାପି ଲୋକମାନେ କରୋନା ଗାଇଡଲାଇନ୍କୁ ପାଳନ କରନ୍ତୁ। ଆମ ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ନାହିଁ । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଆଜି ସାରା ଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟରେ କରୋନା ସ୍ଥିତି ବାବଦରେ ପଚାରିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ମହାରାଷ୍ଟ୍ର ଭଳି ସ୍ଥିତି ଓଡିଶାରେ ନାହିଁ । ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି ।
ସେପଟେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ, ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଯାତ୍ରୀଙ୍କ ଓଡିଶା ପ୍ରବେଶ ଉପରେ କଟକଣା ରହିଛି । ଅର୍ଥାତ ସେମାନେ ସାଙ୍ଗରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ସାଙ୍ଗରେ ଧରି ଆସୁଛନ୍ତି । ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଥିଲେ ନମୂନା ସଂଗ୍ରହ କରି ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି । ବିମାନବନ୍ଦରରେ ଚେକ କରାଯାଉଛି । ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଇ ଆସୁଛନ୍ତି । ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କ ଚେକିଂ କରାଯାଉଛି। ଟ୍ରେନରେ ଯେଉଁମାନେ ଆସିବେ ଲକ୍ଷଣ ରହିଥିଲେ ତାଙ୍କର ଆରଟି ପିସି ଆର ଟେଷ୍ଟ କରାଯିବ । ଯଦି ପଜିଟିଭ ବାହାରେ ତେବେ ଆଇସୋଲେସନ, କୋଭିଡ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନରେ ରଖାଯିବ । ପରିସ୍ଥିତିକୁ ଦେଖି ଏହି କଟକଣାର ପରିସରକୁ ବୃଦ୍ଧି କରାଯାଇପାରେ ବୋଲି ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ଏପଟେ ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜରେ ୯୧ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ୮୨ ପ୍ରତିଶତ ଆଗ ଧାଡିର କରୋନା ଯୋଦ୍ଧା ଟିକା ନେଇଛନ୍ତି । ଯାହା ସାରାଦେଶରେ ଦ୍ୱିତୀୟ ସର୍ବାଧିକ । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଓ ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ଲୋକ ରହିଛନ୍ତି । ଯେଉଁମାନଙ୍କ ଟିକାକରଣ ଆଗାମୀ ମେ’ ମାସ ୧୫ ତାରିଖ ସୁଦ୍ଧା କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।