ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଆଜି ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ।
ତେବେ ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯାଇଥିବାବେଳେ ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍ ଭାବେ ଗ୍ରହଣ କରାଯାଇଛି। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍ଏସ୍ଇ ଦର୍ଶାଇଛି।
ସୂଚନାଥାଉକି ବିଜ୍ଞାନରେ ପ୍ରାୟ ୯୨ହଜାର ଓ ବାଣିଜ୍ୟରେ ୨୩ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ୧ଲକ୍ଷ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ।