ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ୍ରେ ପାକିସ୍ତାନ ଲିଙ୍କ୍ ମାମଲାରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫକୁ ବଡ଼ ସଫଳତା ମିଳିଛି। ଆସାମରୁ ଆଉ ଜଣକୁ ଗିରଫ କରିଛି ଏସ୍ଟିଏଫ ଟିମ୍ । ଅଭିଯୁକ୍ତ ଜଣକ ହେଲେ ଇକ୍ବାଲ ହୁସେନ୍ । ଏସ୍ଟିଏଫ ଆସାମର ସ୍ଥାନୀୟ କୋର୍ଟରେ ଇକ୍ବାଲ୍କୁ ହଜାର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି। ଇକ୍ବାଲ୍ ନିକଟରୁ ଏକାଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍, ମୋବାଇଲ୍ ଫୋନ୍, ଲାପ୍ଟପ ଏବଂ ହାର୍ଡଡିସ୍କ ଜବତ ହୋଇଛି। ତା’ ମୋବାଇଲ୍ରୁ ଏସ୍ଟିଏଫ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଇକ୍ବାଲ ଭାରତରୁ ବହୁ ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦାକୁ ଦେଇଛି। ଏହା ବଦଳରେ ତା’ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସିଛି। ତେଣୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇଛି, ତାକୁ ଜେରା ପରେ ଜଣାପଡ଼ିବ ବୋଲି ଏସ୍ଟିଏଫ ଏସ୍ପି କେ.କେ ପାଣିଗ୍ରାହୀ କହିଛନ୍ତି।
ଇକ୍ବାଲ ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ରହୁଥିଲା। କିଛି ଦିନ ତଳେ ଘରକୁ ଫେରିଥିଲା। ସେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ଅବଦୁଲ ହଲିମ୍ ସହ ୨ ବର୍ଷ ହେଲା ସମ୍ପର୍କରେ ଥିଲା। ତାକୁ ବିଭିନ୍ନ ଓଟିପି ସେୟାରିଂ କରିବା ସହ ଅନ୍ୟ ଗୁପ୍ତ ତଥ୍ୟ ଯୋଗାଉଥିଲା। ଓଟିପି ସେୟାରିଂ ପାଇଁ ଖୋଲାଯାଇଥିବା ‘ଅଲ୍ ସେଭିଂ ଆକାଉଣ୍ଟ ଆଭେଲେବଲ’ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଇକ୍ବାଲ ସଦସ୍ୟ ଥିବା ଏସ୍ଟିଏଫ ଜାଣିବାକୁ ପାଇଛି। ନୟାଗଡ଼ରୁ ଗିରଫ ହୋଇଥିବା ପଠାଣି ସାମନ୍ତ ଲେଙ୍କା ସିଲିଗୁଡ଼ି ଥାନାର ମୋଷ୍ଟୱାଣ୍ଟେଡ୍ ଅପରାଧୀ ଥିଲା। ସେଠାକାର ପୁଲିସ ଗତ ମେ’ ୨ ତାରିଖରେ ପଠାଣି ସାମନ୍ତକୁ ଖୋଜିବାକୁ ନୟାଗଡ଼ ଆସିଥିଲା। କିନ୍ତୁ ପଠାଣି ଫେରାର୍ ଥିବାରୁ ସିଲିଗୁଡ଼ି ପୁଲିସ ଖାଲି ହାତରେ ଫେରିଥିଲା।
ବେଙ୍ଗାଲୁରୁ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଗୁଡୁ ମୁସ୍ଲିମ୍ ସହ ମିଶି ପଠାଣି ସାମନ୍ତ ପାକିସ୍ତାନ ଏଜେଣ୍ଟମାନଙ୍କୁ ଓଟିପି ପଠାଉଥିବା ଏସ୍ଟିଏଫ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ବେଙ୍ଗାଲୁରୁ ଅଟୋ ବିସ୍ଫୋରଣ ପଛରେ ଯାଜପୁରର ପ୍ରୀତମ ମଧ୍ୟ ସଂପୃକ୍ତ ଥିଲା। ସେ ଆତଙ୍କବାଦୀମାନଙ୍କୁ ଓଟିପି ଏବଂ ପ୍ରି-ଆକ୍ଟିଭେଟେଡ୍ ସିମ୍ ଯୋଗାଇଥିଲା। ଏହା ମାଧ୍ୟମରେ ଆତଙ୍କୀମାନେ ଏତେ ବଡ଼ ବିସ୍ଫୋରଣ ଘଟାଇବାକୁ ସକ୍ଷମ ହୋଇଥିଲେ। ଆହୁରି ମଧ୍ୟ, ଗୁଡୁ ସହ ଇକ୍ବାଲର ଲିଙ୍କ୍ ରହିଛି କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ପାକିସ୍ତାନରୁ ଟଙ୍କା ଆସିବା ଏକପ୍ରକାର ସ୍ପଷ୍ଟ ହେବା ପରେ ତାକୁ ଏସ୍ଟିଏଫ ଗିରଫ କରିଛି।