ଭବାନୀପାଟଣା: ଜୀବନ ନେଲା ମହୁମାଛି । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣ। ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର । ଗାଁ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବେତିଆପଡା ଗାଁର ୫ଜଣ ବ୍ୟକ୍ତି ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ମହୁମାଛି ଦଳ ସେମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ସେଠାରୁ ପ୍ରାଣ ବିକଳରେ ଘରକୁ ଦୌଡି ଆସିଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କ ପରିବାର ଲୋକେ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ବୁର୍ଜା ମାଝୀ ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲେ । ତେଣୁ ତାଙ୍କୁ ଭବାନୀପାଟଣାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ବୁର୍ଜା ମାଝୀ । ଏନେଇ ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବିଜେପୁର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମାଲ ରୁଜୁ କରିଛି ।