ଭୁବନେଶ୍ୱର: କରୋନା ମହାମାରୀର ୨ଟି ଲହର, ଜାତୀୟ ଅର୍ଥନୀତି ମାନ୍ଦାବସ୍ଥା ସତ୍ତ୍ବେ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରଭାବିତ ହୋଇନାହିଁ। ପୁଞ୍ଜିନିବେଶ ସହ ରାଜ୍ୟସ୍ତରୀୟ ଶିଳ୍ପ ଅନୁମୋଦନ ମଧ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିଛି। ଏହି କ୍ରମରେ ବୃହତ ପୁଞ୍ଜିନିବେଶ ପାଇଁ ଆବଶ୍ୟକ ଭିତ୍ତିଭୂମି ରାଜ୍ୟରେ ରହିଛି। ସୁଦୀର୍ଘ ବେଳାଭୂମି, ସ୍ଥିର ରାଜନୈତିକ ନେତୃତ୍ୱ, ଶିଳ୍ପ ଅନୁକୂଳ ପ୍ରଶାସନିକ ବାତାବରଣର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭବିଷ୍ୟତରେ ରାଜ୍ୟକୁ ଅଧିକ ଶିଳ୍ପ ସମୃଦ୍ଧ କରିବା ପାଇଁ ଜଳପଥ ପରିବହନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଓଡ଼ିଶା ଏକ ବନ୍ଦର ସମୃଦ୍ଧ ରାଜ୍ୟ ହେବାକୁ ଯାଉଛି।
ରାଜ୍ୟରେ ବର୍ତ୍ତମାନ ଧାମରା-ପାରାଦୀପ ଭାୟା ମଙ୍ଗଳାଗଦିରୁ ପଙ୍କପାଳ ଯାଏ ଜାତୀୟ ଜଳପଥ ନଂ ୫ ଯାଇଛି। ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଏହି ଜଳପଥକୁ ବିକଶିତ କରାଯିବା ସହ ଆଗାମୀ ଦିନରେ ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନିକଟରେ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ କାର୍ଗୋ/ପାସେଞ୍ଜର ପରିବହନ ପାଇଁ ଉପଯୁକ୍ତ ୨୫ଟି ଜଳପଥର ତାଲିକା ପ୍ରକାଶ ପାଇଛି। ଏହା ମଧ୍ୟରେ ଉପରୋକ୍ତ ଜଳପଥ ନଂ-୫ ରହିଛି। ସେହିପରି ପୂର୍ବରୁ ସାରା ଦେଶରେ ୧୧୧ଟି ଜଳପଥ ଚିହ୍ନଟ କରାଯାଇଥିଲା। ଏହା ମଧ୍ୟରେ ୫ଟି ପୂର୍ବରୁ ରହିଥିଲା। ଏଥିସହ ନୂତନ କରି ୧୦୬ଟି ଜଳପଥର ସନ୍ଧାନ କରାଯାଇଛି। ଉପରୋକ୍ତ ୧୧୧ଟି ଜଳ ମଧ୍ୟରୁ ୨୮ଟି ତାଲିକାଭୁକ୍ତ କରାଯାଇଛି। ଏଗୁଡିକ ବୈଷୟିକ-ଅର୍ଥନୈତିକ ଅନୁକୂଳ, ପର୍ଯ୍ୟଟନ ଭିତ୍ତିଭୂମିର ଉପସ୍ଥିତି ଇତ୍ୟାଦି ଯାଞ୍ଚ କରାଯାଉଛି। ଉପରୋକ୍ତ ପ୍ରକଳ୍ପ ଗୁଡିକ ମଧ୍ୟରେ ଜାତୀୟ ଜଳପଥ ନଂ-୫ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ପଡୁଛି। ସାମଗ୍ରିକ ଭାବେ ଏହି ୨ ରାଜ୍ୟରେ ଜଳମାର୍ଗର ଦୈଘ୍ୟ- ୫୮୮ କିଲୋ ମିଟର ରହିଛି। ଏଗୁଡିକ ହେଉଛି- ୨୫୬ କି.ମି ଦୈଘ୍ୟ ବିଶିଷ୍ଟ ଇଷ୍ଟକୋଷ୍ଟ କେନାଲ ଏବଂ ମାତାଇ ନଦୀ, ୨୬୫ କି.ମି ଦୈଘ୍ୟ ବିଶିଷ୍ଟ ବ୍ରାହ୍ମଣୀ-ଖରସୁଆଁ-ଧାମରାସ୍ଥିତ ନଦୀ ସମୂହ ଏବଂ ୬୭ କି.ମି ଦୈଘ୍ୟର ମହାନଦୀ ଡେଲ୍ଟା ନଦୀ। ଏହା ମଧ୍ୟରେ ରହିଛି ହଂସୁଆ ନଦୀ, ନୁନାନାଳ, ଗୋବରୀନାଳ, ଖଡ଼ାନାସୀ ନଦୀ ଏବଂ ମହାନଦୀ। ସେହିପରି ଝାଡଖଣ୍ଡ-ଓଡ଼ିଶା-ପଶ୍ଚିମ ବଙ୍ଗରେ ଜଳମାର୍ଗ ପରିବହନ ପାଇଁ ୩୧୧ କି.ମି ଦୈଘ୍ୟ ବିଶିଷ୍ଟ ଭିତ୍ତିଭୂମି ରହିଛି। ଏହା କେବଳ ସୁବର୍ଣ୍ଣରେଖା ନଦୀ ମଧ୍ୟରେ ପର୍ଯ୍ୟବେସିତ। ତେଣୁ ଉପରୋକ୍ତ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ ହେଲେ ପ୍ରାୟ ୮୯୯ ଦୈଘ୍ୟର ଜଳମାର୍ଗ ବିକଶିତ ହୋଇ ପାରିବ।
ରାଜ୍ୟରେ ବର୍ତ୍ତମାନ ପାରଦୀପ ବୃହତ ବନ୍ଦର କାର୍ଯ୍ୟକାରୀ କରୁଛି। ଏହା ବ୍ୟତୀତ ଧାମରା ଏବଂ ଗୋପାଳପୁର ପରି ଅଣବୃହତ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେଉଛି। ଏହା ବ୍ୟତୀତ ରାଜ୍ୟରେ ଅନ୍ୟ ୧୨ଟି ନୂତନ ଅଣ-ବୃହତ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ଥାନ ନିରୂପଣ କରି ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଏଗୁଡିକ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୫ଟି, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୨ଟି ଲେଖାଏଁ ଅଣବୃହତ ବନ୍ଦର ପ୍ରତିଷ୍ଠା କରାଯିବ। ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହାବଳପୁର, ଚାନ୍ଦିପୁର, ଇଞ୍ଚୁଡ଼ି, ଭଦ୍ରକ ଜିଲ୍ଲାର ଚୂଡାମଣୀ, ଜଗତସିଂହପୁରର ଜଟାଧାରୀ ମୁହାଣରେ ବନ୍ଦର ନିର୍ମାଣ କରାଯିବ। ସେହିପରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ ବାଲି ହରଚଣ୍ଡୀ, ଗଞ୍ଜାମ ଜିଲ୍ଲାର ପାଲୁର ଓ ବାହୁଦା ମୁହାଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀଭିତ୍ତିକ ବନ୍ଦର ଆଖଡ଼ାଶାଳୀ ନିର୍ମାଣ କରାଯିବ। ବାଲେଶ୍ୱର ଜିଲ୍ଲାର ୁସୁବର୍ଣ୍ଣପୁର ମୁହାଣ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗଠାରେ ଅଣବୃହତ ବନ୍ଦର ପ୍ରତିଷ୍ଠା ପାଇଁ କ୍ରିଏଟିଭ୍ ପୋର୍ଟ ଡେଭଲପମେଣ୍ଟ ପ୍ରାଃ ଲିଃ(ବର୍ତ୍ତମାନ ସୁବର୍ଣ୍ଣରେଖା ପୋର୍ଟ ପ୍ରାଃ ଲିଃ) ଏବଂ ନଭଯୁଗ ଇଂଜିନିୟରିଂ କମ୍ପାନୀ ଲିଃ ସହ ରିହାତି ଚୁକ୍ତିନାମା ସରିଥିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱୟ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ସେହିପରି ସୁବର୍ଣ୍ଣରେଖା ବନ୍ଦରର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅନୁରୂପ ଭାବେ କେନ୍ଦ୍ରାପଡ଼ାର ଆଖଡ଼ାଶାଳି ଗ୍ରାମ ନିକଟରେ ନଦୀଭିତ୍ତିକ ବନ୍ଦର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଏହା ନିର୍ମାଣ ଓ ପରିଚାଳନା କରିବ ବୋଲି ଜଣାପଡ଼ିଛି।