ସମ୍ବଲପୁର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହୁଲପାଲି ଏସଆଇ । ସମ୍ବଲପୁର ଜିଲ୍ଲା ମହୁଲପାଲି SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ୧୦ ହଜାର ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ ଏସଆଇ ସୁଜିତ ମହାନ୍ତ । ଏକ ମିସଲେନିୟସ କେସର ସମାଧାନ କରିବା ପାଇଁ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ।
ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ବିରୋଧରେ ଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ସୁଜିତ କୁମାର ମହାନ୍ତ କାର୍ଯ୍ୟ କରୁଥିଲେ। ମାମଲାଟିକୁ ରଫାଦଫା କରିବା ପାଇଁ ସେ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଏକ ଯୋଜନାବଦ୍ଧ ଭାବେ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ଭିଜିଲାନ୍ସ ଟିମ୍ ଚଢ଼ାଉ କରିବା ସମୟରେ ଏସଆଇ ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ ତାଙ୍କୁ ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡିଥିଲେ। ତେବେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପୋଖରୀ ଭିତରୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।